ବଢୁଛି ସଂକ୍ରମଣ, ସତର୍କ ରହିବାକୁ ଚେତାବନୀ

ନୂଆଦିଲ୍ଲୀ: କରୋନା ଟିକାକରଣ ଅଭିଯାନ ଜୋର୍‌ ଧରିଥିବାବେଳେ ଏଥିସହିତ ତାଳ ଦେଇ ସଂକ୍ରମଣ ମଧ୍ୟ ବଢ଼ିଚାଲିଛି। ଗତ କିଛି ଦିନ ହେଲା ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବଢ଼ିବା ସହିତ ରାଜ୍ୟର କେତେକ ଅଞ୍ଚଳକୁ ତାଲାବନ୍ଦ ଫେରିଥିଲା। ଏବେ କେରଳ, ପଞ୍ଜାବ, ଛତିଶଗଡ଼ ଓ ମଧ୍ୟପ୍ରଦେଶ‌ରେ ସଂକ୍ରମଣ ବଢ଼ୁଥିବା ଦେଖାଯାଇଛି। ମହାରାଷ୍ଟ୍ର ଓ କେରଳରେ ନୂଆ ସଂକ୍ରମଣ ୭୫.୮୭ ପ୍ରତିଶତ ରହିଛି। ସେହିଭଳି ସଦ୍ୟ ମୃତ୍ୟୁମୁଖରେ ପଡ଼ୁଥିବା ସଂକ୍ରମିତଙ୍କ ମଧ୍ୟରୁ ୭୮ପ୍ରତିଶତ ହେଉଛନ୍ତି ଉପରୋକ୍ତ ‌୫ରାଜ୍ୟର ଅଧିବାସୀ। ହ୍ରାସ ପାଉଥିବା କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବା ନେଇ ଜନସାଧାରଣ ଆତଙ୍କିତ ହୋଇପଡ଼ିଛନ୍ତି। ସ୍ଥିତି ସୁଧୁରିବା ପରେ କଟକଣା କୋହଳ କରାଯାଇଥିବାରୁ ପୁଣି ପୂର୍ବପରି ସଂକ୍ରମଣ ବ୍ୟାପିବା ଆଶଙ୍କା ସରକାରଙ୍କୁ ଚିନ୍ତାରେ ପକାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସତର୍କତା ଜାରି କରାଯାଇଛି। ଏ ସଂକ୍ରାନ୍ତରେ ବିବୃତି ଜାରି କରି ସରକାର କରୋନା କଟକଣା ମାନି ଚଳିବାକୁ ଚେତାଇ ଦେଇଛନ୍ତି। ସଂକ୍ରମଣ ହାର ହ୍ରାସ ପାଇଁ କଟକଣା ମାନିବା ଅତ୍ୟନ୍ତ ଜରୁରୀ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ମହାରାଷ୍ଟ୍ର, କେରଳ ଓ କର୍ଣ୍ଣାଟକରେ ପ୍ରବେଶ ପୂର୍ବରୁ ଅନ୍ୟ ଅଞ୍ଚଳର ଲୋକଙ୍କ ପାଇଁ ଆର୍‌ଟିପିସିଆର ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି।

ପଞ୍ଜାବରେ ଗତ ସାତ ଦିନ ମଧ୍ୟରେ ଦୈନିକ ସଂକ୍ରମଣ ବୃଦ୍ଧି ଘଟୁଥିବା ରେକର୍ଡ କରାଯାଇଛି। ଗତ ୨୪ଘଣ୍ଟାରେ ୩୮୩ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ଗତ ୨୪ଘଣ୍ଟାରେ ୬,୨୮୧ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଛତିଶଗଡ଼ରେ ୨୫୯ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହି ରାଜ୍ୟରେ ସପ୍ତାହେ ଧରି ସଂକ୍ରମଣ ବଢ଼ିଚାଲିଛି। ପୁନର୍ବାର କରୋନା ସଂକ୍ରମଣ ବୃଦ୍ଧି ନେଇ ମହାରାଷ୍ଟ୍ର ସରକାର ଗୋଟିଏ ପରେ ଗୋଟିଏ କଟକଣା ଲଗାଇ ଚାଲିଛନ୍ତି। ବିଭିନ୍ନ ସ୍ଥାନରେ ତାଲାବନ୍ଦ ସହିତ କର୍ଫ୍ୟୁ ଜାରି କରାଯାଇଛି। ମୁମ୍ବଇର ୧୩୦୫ଟି କୋଠା ସିଲ୍‌ କରାଯାଇଛି। ମୋଟ ୭୧,୮୩୮ ପରିବାର କଟକଣାରେ ରହିଛନ୍ତି। ମୁମ୍ବଇ ମହାନଗରୀରେ ୨୭୪୯ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ବିଏମସି ଏହି ପଦକ୍ଷେପ ନେଇଛି।

ରାଜ୍ୟରେ ୩ ମାସ ପରେ ପ୍ରଥମ ଥର ଶୁକ୍ରବାର ୬୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ସଂକ୍ରମିତ ଅକୋଲା, ପୁନେ ଏବଂ ମୁମ୍ବାଇରୁ ଚିହ୍ନଟ ହୋଇଥିବା ପ୍ରକାଶ। ପୂର୍ବରୁ ରାଜ୍ୟରେ ୩୦ ଅକ୍ଟୋବରରେ ଗୋଟିଏ ଦିନରେ ୬ ହଜାରରୁ ଅଧିକ କରୋନା ମାମଲା ମିଳିଥିଲା। ସାନି ସଂକ୍ରମଣ ବ୍ୟାପିବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୦,୮୭,୬୩୨ରେ ପହଞ୍ଚିଛି। ରାଜ୍ୟରେ ୪୪ ଜଣଙ୍କ ସହିତ ମୋଟ ମୃତ୍ୟୁ ସଂଖ୍ୟା ୫୧,୭୧୩ରେ ପହଞ୍ଚିଛି। କେବଳ ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯ଜଣ ପ୍ରାଣ ହରାଇଛନ୍ତି।

ମନ୍ତ୍ରଣାଳୟ ସୂଚନାନୁସାରେ ଗତ ୨୪ଘଣ୍ଟା ମଧ୍ୟରେ ୧୮ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ କେହି କରୋନା କାରଣରୁ ମୃତ୍ୟୁମୁଖରେ ପଡ଼ି ନାହାନ୍ତି। ଏହି ରାଜ୍ୟଗୁଡ଼ିକ ହେଉଛି ତେଲଙ୍ଗାନା, ହରିୟାଣା, ଜାମ୍ମୁ-କାଶ୍ମୀର, ଝା‌ଡ଼ଖଣ୍ଡ, ହିମାଚଳ ପ୍ରଦେଶ, ତ୍ରିପୁରା, ଆସାମ, ଚଣ୍ଡିଗଡ଼, ଲାକ୍ଷାଦ୍ବୀପ, ମଣିପୁର, ମେଘାଳୟ, ଲଦାଖ, ମିଜୋରାମ, ସିକିମ, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଦାଦ୍ରା ନଗର ହାବେଳି ଏବଂ ଡାମନ୍ ଏବଂ ଡିୟୁ। ଶନିବାର ପର୍ୟ୍ୟନ୍ତ ଦେଶରେ ମୋଟ ୧୦,୯୭୭,୩୮୭ କରୋନା ମାମଲା ସାମ୍ନାକୁ ଆସିଛି। ଏଥିମଧ୍ୟରୁ ଗତ ୨୪ ଘଣ୍ଟାରେ ୧୩, ୯୯୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁସାରେ ଜାନୁଆରୀ ୨୯ ପରେ ଗୋଟିଏ ଦିନରେ ଏହା ସର୍ବାଧିକ ମାମଲା। ଭୂତାଣୁ ନୂଆ ରୂପରେ ଲୋକଙ୍କୁ ସଂକ୍ରମିତ କରୁଥିବାରୁ ସତର୍କତା ଅବଲମ୍ବନ ପାଇଁ କୁହାଯାଇଛି।

କେରଳରେ ଗୋଟିଏ ଦିନରେ ୪,୫୮୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ପାର କରିଛି। ମଧ୍ୟପ୍ରଦେଶରେ ଫେବୃଆରୀ ୧୩ରୁ ସଂକ୍ରମଣ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟାରେ ଉତ୍ତରପ୍ରଦେଶରେ ୨୯୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ନୂଆ ୨୫୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ଇତିମଧ୍ୟରେ ୨ଲକ୍ଷ ୨୨ହଜାର ୩୧୩ ଥରରେ ମୋଟ ୧,୦୭,୧୫,୨୦୪ ଡୋଜ୍‌ ଟିକାକରଣ କରାଗଲାଣି।

Comments are closed.