ଲଦାଖରେ ବିଭିନ୍ନ କ୍ରୀଡ଼ା ପ୍ରକଳ୍ପର ଶିଳାନ୍ୟାସ କଲେ ରିିଜିଜୁ

ଲେହ୍ : ନୂତନ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ବିଭିନ୍ନ କ୍ରୀଡ଼ା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରେନ୍‌ ରିଜିଜୁ। ଏସବୁ କ୍ରୀଡ଼ା ପ୍ରକଳ୍ପ ନିମନ୍ତେ ୧୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ଲେହାଟ୍‌ ଓପନ୍‌ ଷ୍ଟାଡ଼ିୟମରେ ସିନ୍ଥେଟିକ ଟ୍ରାକ୍ ଓ ଆଷ୍ଟ୍ରୋ ଟର୍ଫ ଫୁଟବଲ ଗ୍ରାଉଣ୍ଡର ଶିଳାନ୍ୟାସ କରିଛନ୍ତି ରିଜିଜୁ। ଏହି ଦୁଇଟି ପ୍ରକଳ୍ପର ବ୍ୟୟବରାଦ ୧୦.୬୮ କୋଟି ଟଙ୍କା ଥିବା ବେଳେ ଆସନ୍ତାବର୍ଷ ଜାନୁଆରୀ ସୁଦ୍ଧା ଏହାକୁ ଶେ​‌ଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଏନ୍‌ଡିଏସ୍ ଇନ୍‌ଡୋର ଷ୍ଟାଡ଼ିୟମରେ ଏକ ଜିମ୍ନାସିୟମ୍‌ ନିର୍ମାଣର ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୧.୫୨ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ଆସନ୍ତା ବର୍ଷ ମାର୍ଚ୍ଚ ବେଳକୁ ଏହାର କାର୍ଯ୍ୟ ଶେ​‌ଷ ହେବାର ଲକ୍ଷ୍ୟ ରହିଛି। ଏହି ଅବସରରେ ରିଜିଜୁ ସ୍ଥାନୀୟ ପ୍ରଶାସନକୁ ବାର୍ତ୍ତା ଦେଇ କହିଥିଲେ କ୍ରୀଡ଼ାବିତ୍‌ଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଅର୍ଥ ପୁରସ୍କାର ସହ ସରକାରୀ ଚାକିରି ବ୍ୟବସ୍ଥା କରିବା ଆବଶ୍ୟକ। ଲଦାଖରେ କ୍ରୀଡ଼ାର ଭିତ୍ତିଭୂମି ଉନ୍ନତି ପାଇଁ କେଉଁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ପାରିବ ସେଥିନେଇ ପ୍ରସ୍ତାବ ଦେବାକୁ ରିଜିଜୁ ସ୍ଥାନୀୟ ପ୍ରଶାସକଙ୍କୁ କହିଥିଲେ।

Comments are closed.