ସଂରକ୍ଷଣ ଅଧିକାର ମୌଳିକ ଅଧିକାର ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସଂରକ୍ଷଣ ଅଧିକାର ମୌଳିକ ଅଧିକାର ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଗୁରୁବାର ତାମିଲନାଡୁର ମେଡିକାଲ କଲେଜଗୁଡ଼ିକରେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ର ଆଶାୟୀମାନଙ୍କ ଲାଗି କୋଟାକୁ ନେଇ ଦାଖଲ ହୋଇଥିବା ପିଟିଶନର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏହା କହିଛନ୍ତି।

ବିଚାରପତି ଏଲ. ନାଗେଶ୍ବର ରାଓଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, କୌଣସି ସଂରକ୍ଷଣର ଅଧିକାରକୁ ମୌଳିକ ଅଧିକାର କୁହାଯାଇପାରିବ ନାହିଁ। ଏହା ଆଜିର ଆଇନ। ଏଥିପାଇଁ କୋଟାର ଲାଭ ପ୍ରଦାନ ନ କରିବା କୌଣସି ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ ବୋଲି ବିବେଚନା କରାଯାଇ ପାରିବ ନାହିଁ।

ସିପିଆଇ, ଡିଏମକେ ଏବଂ ଅନ୍ୟ ନେତାମାନଙ୍କ ଦ୍ବାରା ଦାଖଲ କରାଯାଇଥିବା ପିଟିଶନରେ କୁହାଯାଇଥିଲା ଯେ, ତାମିଲନାଡୁର ମେଡିକାଲ କଲେଜଗୁଡ଼ିକରେ ୫୦ ପ୍ରତିଶତ ସିଟ୍‌ ସ୍ନାତକ, ସ୍ନାତକତ୍ତୋର ମେଡିକାଲ ଏବଂ ଦନ୍ତ ଚିକିତ୍ସା ୨୦୨୦-୨୧ ପାଠ୍ୟକ୍ରମଗୁଡ଼ିକ ପାଇଁ ସର୍ବଭାରତୀୟ କୋଟାରେ ସଂରକ୍ଷିତ ରଖାଯିବା ଉଚିତ। ପିଟିଶନରେ ଦର୍ଶାଯାଇଥିଲା ଯେ, କେନ୍ଦ୍ର ସରକାରଙ୍କ ଅନୁଷ୍ଠାନଗୁଡ଼ିକୁ ଛାଡ଼ି ସମସ୍ତ ଓବିସି ପ୍ରାର୍ଥୀଙ୍କୁ ସର୍ବଭାରତୀୟ କୋଟା ଅନୁଯାୟୀ ଦିଆଯାଇଥିବା ସିଟ୍ ବାହାରେ ମେଡିକାଲ କଲେଜରେ ଆଡ୍‌ମିଶନ କରାଯିବା ଉଚିତ। ଓବିସି ପ୍ରାର୍ଥୀଙ୍କୁ ଆଡମିଶନ ନ କରିବା ସେମାନଙ୍କ ମୌଳିକ ଅଧିକାରର ଉଲ୍ଲଂଘନ। ସଂରକ୍ଷଣ ନ ହେବା ପର୍ଯ୍ୟନ୍ତ ନୀଟ୍‌ ଅଧୀନରେ କାଉନସେଲିଂ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ୍ ବୋଲି କୁହାଯାଇଛି।

ମାତ୍ର ସୁପ୍ରିମକୋର୍ଟ ପିଟିଶନରେ କରାଯାଇଥିବା ଯୁକ୍ତି ଦ୍ବାରା ପ୍ରଭାବିତ ହୋଇ ନ ଥିଲେ ଏବଂ ଆବେଦନକର୍ତ୍ତାଙ୍କୁ ପ୍ରଶ୍ନ କରିଥିଲେ ଯେ, ଯେହେତୁ ସଂରକ୍ଷଣ ମୌଳିକ ଅଧିକାର ନୁହେଁ, ତେ​‌ବେ ଅନୁଚ୍ଛେଦ ୩୨ ଅଧୀନରେ ପିଟିଶନକୁ କିପରି ଗ୍ରହଣ କରାଯାଇ ପାରିବ ? ଏହା ଦ୍ବାରା କାହାର ମୌଳିକ ଅଧିକାର ଉଲ୍ଲଂଘନ ହେଉଛି କି ? ଅନୁଚ୍ଛେଦ ୩୨ କେବଳ ମୌଳିକ ଅଧିକାର ଉଲ୍ଲଂଘନ ପାଇଁ ଉପଲବ୍ଧ। ଆମେ ବିଶ୍ବାସ କରୁ ଯେ ଆପଣ ସମସ୍ତେ ତାମିଲନାଡୁର ନାଗରିକମାନଙ୍କ ମୌଳିକ ଅଧିକାର ପାଇଁ ଆଗ୍ରହୀ। କିନ୍ତୁ ସଂରକ୍ଷଣ ଅଧିକାର ମୌଳିକ ଅଧିକାର ନୁହେଁ ବୋଲି ସୁପ୍ରିମକୋର୍ଟ କହିଥିଲେ।

Comments are closed.