କେରଳ ହାଇକୋର୍ଟଙ୍କ ଐତିହାସିକ ରାୟ: ଇଣ୍ଟରନେଟ ବ୍ୟବହାର ‘ମୌଳିକ ଅଧିକାର’

0

ଥିରୁଅନନ୍ତପୁରମ : କେରଳ ହାଇକୋର୍ଟ ଗୁରୁବାର ଇଣ୍ଟରନେଟ ବ୍ୟବହାରକୁ ‘ମୌଳିକ ଅଧିକାର’ ର ଏକ ଅଂଶ ବୋଲି ଘୋଷଣା କରିଛନ୍ତି। କୋର୍ଟ ଐତିହାସିକ ରାୟ ଦେଇ କହିଛନ୍ତି ଯେ ଇଣ୍ଟରନେଟ ବ୍ୟବହାର ସମ୍ବିଧାନରେ ଦିଆଯାଇଥିବା ଶିକ୍ଷା ଅଧିକାର ଏବଂ ବ୍ୟକ୍ତିଗତ ଅଧିକାରର ଅଂଶ ଅଟେ। ଛାତ୍ରୀନିବାସରେ ମୋବାଇଲ ବ୍ୟବହାର ଉପରେ ପ୍ରତିବନ୍ଧକ ନେଇ ଏକ ଆବେଦନର ଶୁଣାଣି କରି ଜଷ୍ଟିସ୍‍ ପି.ଭି ଆଶାଙ୍କ ଜଣିକିଆ ପୀଠ ଉପରୋକ୍ତ ରାୟ ଦେଇଛନ୍ତି।

ଅଭିଯୋଗକରିଣୀ କୋଝିକୋଡ଼ ଚେଲାନୁରସ୍ଥିତ ଶ୍ରୀ ନାରାୟଣ କଲେଜର ବିଏ (ଇଂରାଜୀ) ତୃତୀୟ ବର୍ଷର ଛାତ୍ରୀ ଫାହିମା ଶିରିନ ଛାତ୍ରୀ ନିବାସରେ ମୋବାଇଲ ବ୍ୟବହାର ଉପରେ ପ୍ରତିବନ୍ଧକକୁ ନେଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସେ ନିଜ ଆବେଦନରେ ଦର୍ଶାଇଥିଲେ ଯେ ମୋବାଇଲ ବ୍ୟବହାର ପାଇଁ କଲେଜ ଛାତ୍ରୀନିବାସରୁ ତାଙ୍କୁ ବାହାର କରିଦିଆଯାଇଥିଲା। ଛାତ୍ରୀ ନିବାସର ନିୟମ ଅନୁସାରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ମୋବାଇଲ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଛାତ୍ରୀ ଜଣକ ଏହି ପ୍ରତିବନ୍ଧକ ବିରୋଧରେ ଅନ୍ୟ ଛାତ୍ରୀଙ୍କ ସହ ବିରୋଧ ପ୍ରଦର୍ଶନ କରିଥିଲେ। ଫାହିମାଙ୍କ କହିବା ଅନୁସାରେ ମୋବାଇଲ ଫୋନ ବ୍ୟବହାର କରି ସେ ଇଣ୍ଟରନେଟ ଦ୍ୱାରା ଅନେକ ପାଠ ପଢା ତଥ୍ୟ ପାଉଥିଲେ। ଏହା ଉପରେ ପ୍ରତିବନ୍ଧକ ଦ୍ୱାରା ତାଙ୍କ ପାଠ ପଢା ପ୍ରଭାବିତ ହେଉଛି। କୋର୍ଟ ଏହି ମାମଲାର ଶୁଣାଣି କରି ପାଇଥିଲେ ଯେ ମୋବାଇଲ ଫୋନ୍‍ ବ୍ୟବହାର ଉପରେ ପ୍ରତିବନ୍ଧକ ସମ୍ବିଧାନ ଧାରା ୧୯ (କ)ର ବାକ୍‍ ଏବଂ ଅଭିବ୍ୟକ୍ତିର ସ୍ୱାଧୀନତାର ମୌଳିକ ଅଧିକାର ଉଲ୍ଲଙ୍ଘନ କରୁଛି। ଏହାସହ କୋର୍ଟ କହିଥିଲେ ଯେ ବିଦ୍ୟାର୍ଥୀ ଜୀବନରେ ଇଣ୍ଟରନେଟ ବ୍ୟବହାର ଅତ୍ୟନ୍ତ ଆବଶ୍ୟକ। ଏହି କ୍ରମରେ କୋର୍ଟ ଇଣ୍ଟରନେଟ ବ୍ୟବହାରକୁ ମୌଳିକ ଅଧିକାର ଆଖ୍ୟା ଦେଇଛନ୍ତି।

Leave A Reply