ଆଇସିସି ହଲ ଅଫ୍‌ ଫେମ୍‌ରେ ପଣ୍ଟିଂ ସାମିଲ

0

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟ ଅଧିନାୟନ ରିକି ପଣ୍ଟିଂଙ୍କୁ ଆଇସିସି ହଲ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ସଂପ୍ରତି ଏଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବୁଧବାର ତୃତୀୟ କ୍ରିକେଟ ଆରମ୍ଭ ହୋଇଥିବା ଅବସରରେ ଆଇସିସି ପକ୍ଷରୁ ପଣ୍ଟିଂଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଚା’ ପାନ ବିରତି ସମୟରେ ପଣ୍ଟିଂ ଷ୍ଟାଡିୟମ ପରିକ୍ରମା କରି ଉପସ୍ଥିତ ଦର୍ଶକଙ୍କ ଅଭିବାଦନ ଗ୍ରହଣ କରିଥିଲେ। ଏହି ସମ୍ମାନ ପାଇବାରେ ପଣ୍ଟିଂ ହେଉଛନ୍ତି ଅଷ୍ଟ୍ରେଲିଆର ୨୫ତମ କ୍ରିକେଟର। ଏମାନଙ୍କ ମଧ୍ୟରେ ଷ୍ଟିଭ୍‌ ୱ, ସେନ୍‌ ୱାର୍ଣ୍ଣ, ଗ୍ଲେନ ମ୍ୟାକ୍‌ଗ୍ରାଥ୍‌ ଓ ଆଦାମ ଗିଲଖ୍ରୀଷ୍ଟ ଅନ୍ୟତମ। ଚଳିତବର୍ଷ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ ଓ ଇଂଲଣ୍ଡର ମହିଳା କ୍ରିକେଟର କ୍ଲେୟାର ଟେଲରଙ୍କ ପରେ ପଣ୍ଟିଂଙ୍କୁ ଏହି କ୍ଲବରେ ସାମିଲ କରାଯାଇଛି। ତାଙ୍କୁ ମିଶାଇ ଏପର୍ଯ୍ୟନ୍ତ ୮୭ ଜଣ କ୍ରିକେଟର ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହୋଇସାରିଛନ୍ତି।
୪୪ ବର୍ଷୀୟ ପଣ୍ଟିଂ ଅଷ୍ଟ୍ରେଲିଆର ସବୁଠାରୁ ସଫଳ କ୍ରିକେଟ ଅଧିନାୟକଭାବେ ମାନ୍ୟତାଲାଭ କରିଛନ୍ତି। ୧୯୯୫ରୁ ୨୦୧୨ ମଧ୍ୟରେ ସେ ୧୬୮ଟି ଟେଷ୍ଟ ଖେଳି ୪୧ଟି ଶତକ ସହ ୧୩୩୭୮ ରନ ସ୍କୋର କରିଥିବା ବେଳେ୩୭୫ଟି ଦିନିକିଆରେ ୩୦ଟି ଶତକ ସହ ୧୩୭୦୪ ରନ କରିଛନ୍ତି। ୧୯୯୯ ବିଶ୍ବକପ ବିଜେତା ଅଷ୍ଟ୍ରେଲିଆ ଦଳକୁ ସେ ପ୍ରତିନିଧିତ୍ବ କରିଥିବାବେଳେ ତାଙ୍କରି ନେତୃତ୍ବରେ ଅଷ୍ଟ୍ରେଲିଆ ୨୦୦୩ ଓ ୨୦୦୭ ବିଶ୍ବକପରେ ଚମ୍ପିଆନ ହୋଇଥିଲା।

Leave A Reply