ରିକ୍ସାଚାଳକଙ୍କ ଝିଅ ଜାତୀୟ ସ୍ତରର କ୍ରୀଡ଼ାବିତ୍‌

ଧର୍ମଗଡ : ଅନିତା ନାଏକ। ବୟସ ୧୫ବର୍ଷ । ଦଶମ ଶ୍ରେଣୀର ଜଣେ ଛାତ୍ରୀ। ସାଇକଲ ପୋଲୋରେ ଭାଗ ନେଇ ସେ ନିଜକୁ ରାଷ୍ଟ୍ରୀୟ ସ୍ତରର ଜଣେ କ୍ରୀଡାବିତ ଭାବେ ପ୍ରତିଷ୍ଠିତ କରିପାରିଛନ୍ତି। ସେ ଲଗାତାର ୫ଥର ସାଇକଲ ପୋଲୋରେ ଚମ୍ପିଆନ ହେବା ସହ ଗୋଲ୍ଡ ମେଡାଲ ହାସଲ କରି ସ୍କଲାରସିପ ପାଇଛନ୍ତି। ଏପରିକି ସେ ଛତିଶଗଡ ସବ୍‌ଜୁନିୟର ଟିମର କ୍ୟାପଟେନ ମଧ୍ୟ ରହିଛନ୍ତି। ତାଙ୍କୁ ମୁଖ୍ୟମନ୍ତ୍ରୀ ଟ୍ରଫି ମଧ୍ୟ ମିଳିଛି। ଏପରି ଜଣେ ପ୍ରତିଭା ସଂପନ୍ନ ଝିଅ ହେଉଛନ୍ତି ଧର୍ମଗଡ ବ୍ଳକ ମଝେନପଦର ଗାଁର।
ପରିବାର ପ୍ରତିପୋଷଣ ପାଇଁ ଭିଟାମାଟି ଛାଡି ଦିନେ ଧର୍ମଗଡ ବ୍ଳକ ମଝେନପଦର ଗାଁର ଭରତ ନାଏକ ଛତିଶଗଡ ରାଜ୍ୟର ଭିଲାଇକୁ ଯାଇଥିଲେ। ରିକ୍ସା ଚଲାଇ ପରିବାର ପ୍ରତିପୋଷଣ ସହ ନିଜ ସାଧ୍ୟମତେ ପିଲାଛୁଆଙ୍କୁ ସ୍କୁଲରେ ନାଁ ଲେଖାଇଲେ। ପାଠ ପଢ଼ା ସହ ଅନିତାଙ୍କ ପ୍ରତିଭା ଦେଖି ପରିବାର ଲୋକେ ତାକୁ ଉତ୍ସାହିତ କରିଥିଲେ। ଦଶମ ଶ୍ରେଣୀରେ ପଢୁଥିବା ଏହି ଝିଅଟି ସାଇକେଲ ପୋଲୋ ସବଜୁନିଅର ଗୃପରେ କ୍ୟାପଟେନ ହିସାବରେ ଛତିଶଗଡ ରାଜ୍ୟର ପ୍ରତିନିଧିତ୍ୱ କରିଥିଲେ। ୨୦୧୩-୧୪ରେ ବୋକାରୋ ଠାରେ ଅନୁଷ୍ଠିତ ରାଷ୍ଟ୍ରୀୟ ସ୍ତରର ୧୨ତମ ସବ୍‌ ଜୁନିୟର ଗାର୍ଲସ ନାସନାଲ ସାଇକଲ ପୋଲୋ ଚମ୍ପିଆନସିପରେ ଭାଗ ନେଇ ଗୋଲ୍ଡ ମେଡାଲ ହାସଲ ସହ ୧୦ହଜାର ଟଙ୍କା ସ୍କଲାରସିପ ପାଇଛନ୍ତି। ୨୦୧୫-୧୬ରେ ବିଜୟୱାଡାରେ ଅନୁଷ୍ଠିତ ୧୩ ତମ ଜୁନିୟର ନାସନାଲ ଗାର୍ଲସ ସାଇକଲ ପୋଲୋରେ ଭାଗ ନେଇ ଗୋଡ୍ଲ ମେଡାଲ ସହ ୧୦ ହଜାର ଟଙ୍କା ସ୍କଲାରସିପ, ୨୦୧୬-୧୭ରେ ରାଜସ୍ଥାନର ଡୁଡଲୋଡ ଠାରେ ଅନୁଷ୍ଠିତ ୧୪ତମ ଜୁନିଅର ନେସନାଲ ଗାର୍ଲସ
ସାଇକଲ ପୋଲୋରେ ଭାଗ ନେଇ ଗୋଲ୍ଡ ମେଡାଲ ସହ ୧୦ ହଜାର ଟଙ୍କା ସ୍କଲାରସିପ, ୨୦୧୭-୧୮ରେ ସେହି ଡୁଡଲୋଡ ଠାରେ ଅନୁଷ୍ଠିତ ୧୬ତମ ନେସନାଲ ଗାର୍ଲସ ସାଇକଲ ପୋଲୋରେ ଭାଗ ନେଇ ଗୋଲ୍ଡ ମେଡାଲ ସହ ୧୫ ହଜାର ଟଙ୍କା ସ୍କଲାରସିପ ପାଇଛନ୍ତି। ଏହା ସହ ୨୦୧୮-୧୯ରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଟ୍ରଫି ମଧ୍ୟ ହାସଲ କରିଛନ୍ତି।
ପେଟ ପାଇଁ ଦାନା ଯୋଗାଡ କରିବାକୁ ଯାଇ ଏଭଳି କୃତିତ୍ୱ ହାସଲ କରିବା ଏ ଅଞ୍ଚଳ ଓ ନିହାତି ରାଜ୍ୟ ପାଇଁ ଏକ ଗୌରବର ବିଷୟ। ଓଡିଶା ସରକାର ଏଭଳି ଜଣେ ପ୍ରତିଭା ସଂପନ୍ନ କ୍ରୀଡାବିତଙ୍କୁ ନିଜ ରାଜ୍ୟକୁ ଫେରାଇଆଣି ତାଙ୍କୁ ଉପଯୁକ୍ତ ଥଇଥାନ କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି।

Comments are closed.