ବବି ମହାନ୍ତି ସବୁଠୁ ଧନୀ ପ୍ରାର୍ଥୀ ; ଏଡିଆର ରିପୋର୍ଟରେ ପ୍ରକାଶ

ଭୁବନେଶ୍ୱର : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନକୁ ଆଉ ଗୋଟିଏ ଦିନ ବାକି ରହିଥିବା ବେଳେ ରବିବାର ଏଡିଆର ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟରେ ସମସ୍ତ ନେତାଙ୍କ ସମ୍ପତି ଓ ଅପରାଧିକ ମାମଲାର ତାଲିକା ରହିଛି । ରିପୋର୍ଟ ଅନୁଯାୟୀ ବିଜେଡିର ସର୍ବାଧିକ ପ୍ରାର୍ଥୀ କୋଟିପତି ବୋଲି ଜଣାପଡିଛି । ବିଜେଡିରେ ୬୬% ଅର୍ଥାତ୍  ୯୭ ଜଣ କୋଟିପତି ପ୍ରାର୍ଥୀ ରହିଥିବା ବେଳେ କଂଗ୍ରେସର ୫୩% ଅର୍ଥାତ୍ ୭୩ ଜଣ ପ୍ରାର୍ଥୀ କୋଟିପତି ଅଛନ୍ତି । ସେହିପରି ବିଜେପିରେ ୫୨% ଅର୍ଥାତ୍ ୭୫ ଜଣ କୋଟିପତି ପ୍ରାର୍ଥୀ ରହିଛନ୍ତି । ମୋଟ୍ ୨୭ % ଅର୍ଥାତ୍ ୩୦୪ ଜଣ ପ୍ରାର୍ଥୀ କୋଟିପତି ଅଛନ୍ତି ।

୧୦୬ କୋଟି ଟଙ୍କାର ଅଧିକାରୀ ବଡମ୍ବାର କଂଗ୍ରେସ ପ୍ରାର୍ଥୀ ବବି ମହାନ୍ତି କୋଟିପତି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି । ସେହିପରି ଦ୍ବିତୀୟ ସ୍ଥାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତୃତୀୟ ସ୍ଥାନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୬୩ କୋଟି ଟଙ୍କା ହୋଇଥିବା ବେଳେ ନିରଞ୍ଜନ ୬୦ କୋଟି ଟଙ୍କାର ସମ୍ପତ୍ତି ରହିଛି । ବିଧାନସଭାର ମୋଟ ପ୍ରାର୍ଥୀଙ୍କ ମଧ୍ୟରେ ୧୧୨ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି ।

ମୋଟ୍ ୧୧୨୧ ପ୍ରାର୍ଥୀଙ୍କ ମଧ୍ୟରୁ ୩୩୨ ଜଣଙ୍କ ନାମରେ ବିଭିନ୍ନ ପ୍ରକାର ଅପରାଧିକ ମାମଲା ରହିଛି । ୨୦୧୯ରେ ୩୦% ପ୍ରର୍ଥୀଙ୍କ ନାମରେ ମାମଲା ରହିଛି । ସେମାନଙ୍କ ମଧ୍ୟରୁ ୭ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ୯ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜ୍ଜୁ ହୋଇଛି । ୬୩ଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରହିଥିବା ବେଳେ ୧୭ଜଣଙ୍କ ବିରୋଧରେ ଅପହରଣ ମାମଲା ରହିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ୨୦୦୯ ଓ ୨୦୧୪ରେ ୨୩% ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ଥିଲା।

Comments are closed.