‘ଉଷୁନା’ ରାଜନୀତି: ମୁହାଁମୁହିଁ ବିଜେଡ଼ି-ବିଜେପି

କେନ୍ଦ୍ର ସରକାର ନେଉ ନାହାନ୍ତି ବଳକା ଉଷୁନା ଚାଉଳ: ବିଜେଡ଼ି

ମିଲରଙ୍କ ପାଇଁ ବିଜେଡ଼ି ଓକିଲାତି କରିବା ଆରମ୍ଭ କରିଛି: ବିଜେପି

 

ଭୁବନେଶ୍ବର: ଦିନ ଥିଲା, ଯେତେବେଳେ ଚାଉଳ ପାଇଁ ମୁହାଁମୁହିଁ ହୋଇଥିଲେ ରାଜ୍ୟ-କେନ୍ଦ୍ର । ଟଙ୍କିକିଆ ଚାଉଳରେ କାହା ଭାଗ କେତେ ତାହାକୁ ନେଇ ଆରମ୍ଭ ହୋଇଥିଲା ପୋଷ୍ଟର ମରା ପ୍ରତିଯୋଗିତା ଟଙ୍କିକିଆ ଚାଉଳ କିଏ ଦେଉଛି ତାହାକୁ ନେଇ ରାଜ୍ୟର ଶାସକ ବିଜେଡ଼ି ଓ କେନ୍ଦ୍ରରେ କ୍ଷମତାସୀନ ବିଜେପି ଭିଡ଼ା ଓଟରା ହେଉଥିଲେ । ଏବେ ଆଉ ଟଙ୍କିକିଆ ଚାଉଳ କିମ୍ବା କାହା ଭାଗ କେତେ ସେଥିନେଇ ଆଲୋଚନା ହେଉନାହିଁ। ଏବେ ‘ଉଷୁନା’କୁ ନେଇ ଆରମ୍ଭ ହୋଇଛି ରାଜନୀତି । ରାଜ୍ୟର ବଳକା ଉଷୁନା ଚାଉଳ କେନ୍ଦ୍ର ସରକାର ନେଉ ନାହାନ୍ତି ବୋଲି ବିଜେଡ଼ି ଅଭିଯୋଗ କରିଥିବାବେଳେ ବିଜେପି କହିଛି ଯେ ବିଜେଡ଼ି ଚାଷୀଙ୍କ ପାଇଁ ନୁହେଁ, ମିଲରଙ୍କ ପାଇଁ ଓକିଲାତି କରୁଛି ।

ବିଜେଡ଼ିର ଅଭିଯୋଗ ଓଡ଼ିଶାରୁ ଉତ୍ପାଦିତ ଉଷୁନା ଚାଉଳର ୫୦% କେନ୍ଦ୍ର ସରକାର ନେବେ ବୋଲି ଘୋଷଣା କରିଛନ୍ତି । ମାତ୍ର ସେହି ଚାଉଳ ନେବା ବେଳକୁ ଟାଳଟୁଳ ନୀତି ଅବଲମ୍ବନ କରୁଛି । ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ମହିଳା ବିଜେଡ଼ି ସଭାପତି ସ୍ନେହାଙ୍ଗିନୀ ଛୁରିଆ ଓ ବିଧାୟକ ରୋହିତ ପୂଜାରୀ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ନିଶାଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଚାଷୀଙ୍କ ବିକାଶ ନିମନ୍ତେ କାର୍ଯ୍ୟ କରୁଥିବା ଉଲ୍ଲେଖ କରି ଚଳିତ ବର୍ଷ ୮୨ ଲକ୍ଷ ଟନ୍ ଧାନ କିଣାଯିବାକୁ ସରକାର ଲକ୍ଷ୍ୟ ରଖିଥିବା ଓ ବର୍ତମାନ ସୁଦ୍ଧା ୩୫ ଲକ୍ଷ ଟନ୍ ଧାନ କିଣାଯାଇଥିବା ସେମାନେ କହିଛନ୍ତି । ଉଭୟ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର ଉଷୁନା ଚାଉଳ ନେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଏହା ସତ୍ବେ ରାଜ୍ୟ ସରକାର ପ୍ରତ୍ୟେକ ଚାଷୀଙ୍କୁ ସହାୟତା ଦେଉଛନ୍ତି, ଧାନ କ୍ରୟ ଅର୍ଥ ପଇଠ କରିଛନ୍ତି । କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ରାଜ୍ୟକୁ ଏ ବାବଦ ଟଙ୍କା ଦେଇନାହାନ୍ତି । ଉଷୁନା ଚାଉଳ ନ ନେଲେ ରାଜ୍ୟ ଉପରେ ପ୍ରାୟ ୧୦ ହଜାର କୋଟି ଟଙ୍କା ବୋଝ ପଡ଼ିବ ବୋଲି ଉଭୟ ରୋହିତ ଓ ସ୍ନେହାଙ୍ଗିନୀ କହିଛନ୍ତି ।

ତେବେ ବିଜେଡ଼ିର ଏହି ଅଭିଯୋଗକୁ ମିଛ ଓ ସତ୍ୟର ଅପଳାପ ବୋଲି କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ସେ କହିଛନ୍ତି ବିଜେଡ଼ି ନେତାମାନେ ଶୂନ୍ୟରୁ କାହାଣୀ ତୋଳୁଛନ୍ତି । ବାସ୍ତବ ସତ୍ୟ ସେମାନେ ଜାଣନ୍ତି ନାହିଁ । ଚାଷୀ କେବେ ଚାଉଳ ବିକେ ନାହିଁ, ଚାଉଳ ବିକେ ମିଲର । ତେଣୁ ବିଜେଡ଼ି ଓ ଏହାର ନେତାମାନେ ଚାଷୀଙ୍କ ପାଇଁ ନୁହେଁ, ମିଲରଙ୍କ ସ୍ବାର୍ଥ ରକ୍ଷା ପାଇଁ କାନ୍ଦୁଛନ୍ତି ଓ ସେମାନଙ୍କ ପାଇଁ ଓକିଲାତି କରୁଛନ୍ତି । ଧାନ କିଣା ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ନେତାମାନେ ତିନି ପ୍ରକାର କଥା କହିଛନ୍ତି । ଏଥିରୁ ବାସ୍ତବରେ ବିଜେଡ଼ି କ’ଣ ଚାହୁଁଛି ତାହା ସ୍ପଷ୍ଟ । ରାଜ୍ୟରେ ଚାଷୀମାନଙ୍କ ବହୁ ସମସ୍ୟା ରହିଛି । ଧାନ କ୍ରୟ ପାଇଁ ଓ ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ପାଇଁ କେନ୍ଦ୍ର ଅର୍ଥ ଦେଉଛି । ଏହା ସତ୍ବେ ରାଜ୍ୟରେ ମଣ୍ଡି ଖୋଲି ପାରିଲା ନାହିଁ । କେଉଁଠି କେତେବେଳେ ମଣ୍ଡି ଖୋଲିଲା, କେତେବେଳେ ବନ୍ଦ ହେଲା କେହି ଜାଣି ପାରିଲେ ନାହିଁ । ଏବେ ବି ବରଗଡ଼ ଜିଲାରେ ଚାଷୀମାନେ ଲକ୍ଷଲକ୍ଷ ବସ୍ତା ଧାନ ବିକ୍ରି ଲାଗି ମଣ୍ଡି ବାହାରେ ଅପେକ୍ଷା କରିଛନ୍ତି । ଏପରି ସ୍ଥିତିରେ କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇ ବିଜେଡ଼ି ନିଜ ଅପାରଗତାକୁ ଢ଼ାଙ୍କିବାକୁ ଉଦ୍ୟମ କରୁଛି ବୋଲି ଲେଖାଶ୍ରୀ କହିଛନ୍ତି ।

Comments are closed.