ରାଇସ ମିଲ କାନ୍ଥ ପଡ଼ି ଜଣେ ମୃତ, ୧୪ ଆହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହକମାସ୍ଥିତ ବ୍ଳକ କଲୋନୀ ନିକଟରେ ଲାଠିଆଗୁଡାରେ ଥିବା ତ୍ରିନାଥ ମଡର୍ଣ୍ଣ ରାଇସ ମିଲର କାନ୍ଥ ପଡ଼ି ଆଜି ଜଣେ ଶ୍ରମିକର ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ତ୍ରିନାଥ ମଡର୍ଣ୍ଣ ରାଇସ ମିଲରେ ପ୍ରାୟ ୧୫ ଜଣ ଶ୍ରମିକ ମିଲର କୁଣ୍ଡା (ଚଷୁ) ବାହାର କରୁଥିବା ବେଳେ ହଠାତ କାନ୍ଥ ଭୂଷୁଡ଼ି ପଡ଼ିଥିଲା। ଫଳରେ କାନ୍ଥ ଓ କୁଣ୍ଡା ବସ୍ତା ତଳେ ସେମାନେ ଦବି ଯାଇଥିଲେ। ଖବର ପାଇ ମାଲକାନଗିରି ଥାନା ଭାରପ୍ରାପ୍ତ ନିରୀକ୍ଷକଙ୍କ ସମେତ ପୋଲିସ କର୍ମଚାରୀ ଓ ଅଗ୍ନିଶ୍ରମ ବାହିନୀର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ସମସ୍ତ ୧୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ। ପରେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ଭର୍ତି କରାଇଥିଲେ।

ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ଅଛନ୍ତି। ଘଟଣା ସମ୍ପର୍କରେ ତଦନ୍ତ ଜାରୀ ରହିଥିବା ମାଲକାନଗିରି ଆଦର୍ଶ ଥାନା ଭାରପ୍ରାପ୍ତ ନିରୀକ୍ଷକ ସୌମେନ୍ଦ୍ର ଶେଖର ତ୍ରିପାଠୀ ପ୍ରକାଶ କରିଛନ୍ତି।

Comments are closed.