ନୂତନ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଶୁଭାରମ୍ଭ

ବାଙ୍କୀ: ରାଜ୍ୟ ସରକାରଙ୍କର ରାଜସ୍ୱ ବିଭାଗ ପରିଚାଳନାରେ ବାଙ୍କୀ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣପୁରରେ ଏକ ନୂତନ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ବୁଧବାର ଶୁଭାରମ୍ଭ ହୋଇଛି। ପୂର୍ବରୁ ସରଣ୍ଡାଗଡ଼ ଅନ୍ତର୍ଗତ ୭ଟି ପଞ୍ଚାୟତର ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ରତାଗଡ଼ଠାରେ ଚାଲୁଥିଲା। ଭୌଗୋଳିକ ପରିସୀମା ଆଧାରରେ ନୂତନ ନୀତି ଅନୁଯାୟୀ, ସୁବର୍ଣ୍ଣପୁର, ଓସ୍ତିଆ, କଦଳୀବାଡି ଓ କନ୍ତପଁହରା ପଞ୍ଚାୟତର ଅଧିବାସୀମାନଙ୍କ ପାଇଁ ଏହି ନୂତନ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଆଜିଠାରୁ ସେବା ଆରମ୍ଭ କରିଛି। ବୁଧବାର ଦିନ ଅପରାହ୍ନରେ ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ ମୁଖ୍ୟଅତିଥି ଭାବରେ ଏହି ଅସ୍ଥାୟୀ କାର୍ଯ୍ୟାଳୟକୁ ଉଦ୍ଦ୍‍ଘାଟନ କରିଛନ୍ତି। ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ଉପଜିଲ୍ଲାପାଳ ରଂଜନ କୁମାର ଜେନା, ତହସିଲଦାର ସତ୍ୟରଂଜନ ପଣ୍ଡା, ବିଡିଓ ଯୋଗେଶ୍ୱର ନାୟକ ଓ ନୂତନ ରାଜସ୍ୱ ନିରୀକ୍ଷକ ପ୍ରସନ୍ନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସରକାରୀ ଭାବରେ ନୂତନ କାର୍ଯ୍ୟାଳୟ ନିର୍ମାଣ ପର୍ଯ୍ୟନ୍ତ ମହାବିଦ୍ୟାଳୟ ପରିସରରେ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଚାଲିବ ବୋଲି ସୂଚନା ମିଳିଛି।

Comments are closed.