ଅମ୍ପନ କ୍ଷତିଗ୍ରସ୍ତଙ୍କୁ ଆରଆଇଙ୍କ ଦୁର୍ବ୍ୟବହାର : ଉପଜିଲାପାଳଙ୍କଠାରେ ଫେରାଦ ହେଲେ କ୍ଷତିଗ୍ରସ୍ତ

ନୀଳଗିରି : “ଅମ୍ପନ” ବାତ୍ୟା ପ୍ରଭାବରେ ନଡ଼ା ଛପର ଘରେ ରହୁଥିବା ପରିବାର ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି। କାହାର ଘର ଉପରେ ଗଛ ପଡ଼ି ଯାଇଛି ତ ଆଉ କେଉଁଠି ଛପର ଉଡ଼ି ଯାଇଛି। ଏଭଳି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା ଯୋଗାଇଦେବା ପରିବର୍ତ୍ତେ ଜଣେ ଆରଆଇ କ୍ଷତିଗ୍ରସ୍ତଙ୍କୁ ଜାଗା ଛାଡ଼ିବାକୁ ଧମକ ଦେବା ଘଟଣା ସାଧାରଣରେ କ୍ଷୋଭ ସୃଷ୍ଟି ହୋଇଛି।
ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଧୋବଶିଳା ପଞ୍ଚାୟତ ଅଧୀନ ଗୋପୀନାଥପୁର ଅଞ୍ଚଳର ଘଟଣା। ଦୀର୍ଘ ବର୍ଷ ଧରି ସେହି ଅଞ୍ଚଳରେ ଘର କରି ରହିଥିବା ଲୋକମାନେ ଅମ୍ପନ ପ୍ରଭାବରେ କ୍ଷତିଗ୍ରସ୍ତ ହେବା ପରେ ମିତ୍ରପୁର ସର୍କଲ ଆରଆଇ ମୁକ୍ତିକାନ୍ତ ପ୍ରଧାନଙ୍କୁ ଭେଟିଥିଲେ। ସେ ସେମାନଙ୍କୁ ଆଶ୍ୱାସନା କିମ୍ବା ସାହାଯ୍ୟ କରିବା ପରିବର୍ତ୍ତେ ଓଲଟା ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏପରିକି ତୁମେମାନେ ସରକାରୀ ଜାଗାରେ ଘର କରିଛ, ତୁମକୁ କୌଣସି ସାହାର୍ଯ୍ୟ ମିଳିବନି ବରଂ ଏଠାରୁ ଉଠିଯାଅ ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଛି। ରାଜ୍ୟ ସରକାର ଦୀର୍ଘ ବର୍ଷ ଧରି ଦଖଲରେ ରହିଥିବା ଲୋକଙ୍କୁ ଘରଡ଼ିହ ପଟ୍ଟା ଯୋଗାଇ ଦେଉଛନ୍ତି। ସମ୍ପୃକ୍ତ କ୍ଷତିଗ୍ରସ୍ତମାନେ ଉକ୍ତ ସ୍ଥାନରେ ରହି ଭୋଟର ପରିଚୟ ପତ୍ର ପାଇବା ସହ ରାସନ ସାମଗ୍ରୀ ମଧ୍ୟ ଉଠାଉଛନ୍ତି। କିନ୍ତୁ ସମ୍ପୃକ୍ତ ଆରଆଇଙ୍କ ଏତାଦୃଶ୍ୟ ବ୍ୟବହାର ଯୋଗୁ ସ୍ଥାନୀୟ ଅଞ୍ଚଳର ତାରାମଣି ରାଉତ, ବେଙ୍ଗ ରାଉତ, ବାସନ୍ତୀ ନାୟକ, ବିଳାସିନି କବାଟ, ସୋମବାରୀ ସିଂ, ମାମା ସିଂ, ଅହଲ୍ୟା ସିଂ, ମାନି ସିଂ, ଗୁରୁବାରୀ ସିଂ, ପାଗିଲି ସିଂ, ନିନି ମଲିକ, ବାସନ୍ତୀ ସିଂ ପ୍ରମୁଖ ନୀଳଗିରି ଉପଜିଲାପାଳ ହରିଶ ଚନ୍ଦ୍ର ଜେନା ଓ ବିଧାୟକ ସୁକାନ୍ତ ନାୟକଙ୍କପାଖରେ ଫେରାଦ ଦେଇଛନ୍ତି। ତୁରନ୍ତ ସମ୍ପୃକ୍ତ ଆରଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ କ୍ଷତିଗ୍ରସ୍ତଙ୍କୁ ସରକାରଙ୍କ ତରଫରୁ ପଟ୍ଟା ଯୋଗାଇବାକୁ ଦାବି ହୋଇଛି। ଅପରପକ୍ଷରେ ଘଟଣା ସମ୍ବନ୍ଧରେ ଆରଆଇ ଶ୍ରୀ ପ୍ରଧାନଙ୍କୁ ପଚରାଯିବାରୁ ସେ ଉପରୋକ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

Comments are closed.