‘ମୃତଦେହ ଦେଖି ନଥିଲେ ସୁଶାନ୍ତଙ୍କ ମୃତ୍ୟୁକୁ ବିଶ୍ୱାସ କରି ନ ଥାନ୍ତି’ : ରିୟା

ମୁମ୍ବଇ : ଶବାଗାର ମଧ୍ୟରେ ଥିବା ସୁଶାନ୍ତ ସିଂହଙ୍କ ମୃତଦେହକୁ ଦେଖିବା ଲାଗି ରିୟା ଚକ୍ରବର୍ତ୍ତୀ ଯାଇଥିଲେ। ସୁଶାନ୍ତଙ୍କ ମୃତଦେହ ଦେଖିବା ଲାଗି ସେ କାହିଁକି ଶବାଗାରକୁ ଯାଇଥିଲେ ତାକୁ ନେଇ ରିୟାଙ୍କ ଉପରେ ଅନେକ ପ୍ରଶ୍ନ ଉଠିଛି। ତେବେ ରିୟା କହିଛନ୍ତି ଯେ ସୁଶାନ୍ତଙ୍କ ମୃତଦେହ ସେ ଦେଖି ନଥିଲେ ତାଙ୍କର ମୃତ୍ୟୁକୁ ବିଶ୍ୱାସ କରିବା ତାଙ୍କ ପକ୍ଷେ କଷ୍ଟକର ହୋଇଥାନ୍ତା। ‘ଇଣ୍ଡିଆ ଟୁଡେ’ର ରାଜଦୀପ ସରଦେଶାଇଙ୍କ ସହିତ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ରିୟା ଏହା କହିଛନ୍ତି। ରିୟା କହିଛନ୍ତି ସୁଶାନ୍ତଙ୍କ ମୃତଦେହ ଦେଖିବା ପରେ ସେ କହିଥିଲେ ‘ସରି ବାବୁ’। ସେ କହିଛନ୍ତି ଜୁନ୍‍ ୧୪ତାରିଖ ଅପରାହ୍ଣ ପ୍ରାୟ ୨ଟା ବେଳେ ତାଙ୍କର ଜଣେ ବନ୍ଧୁ ଫୋନ କରି ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ନେଇ ଗୁଜବ ପ୍ରଚାର ବିଷୟରେ କହିଥିଲେ। ଏହି ସମୟରେ ସେ ତାଙ୍କ ଭାଇଙ୍କ ସହିତ ଥିଲେ। ଗୁଜବ ଶୁଣିବା ପରେ ଏହା ବନ୍ଦ କରିବାକୁ ରିୟା ତାଙ୍କ ବନ୍ଧୁଙ୍କୁ କହିଥିଲେ। ଏହାର ୧୦-୧୫ ମିନିଟ୍‍ ପରେ ସେ ସୁଶାନ୍ତଙ୍କ ମୃତ୍ୟୁ ନେଇ ସ୍ପଷ୍ଟ ସୂଚନା ପାଇଥିଲେ। ସୁଶାନ୍ତଙ୍କ ମୃତ୍ୟୁ ସମ୍ପର୍କରେ ଜାଣିବା ପରେ ତାଙ୍କ ଘରକୁ ଯାଇଥିଲେ କି ପ୍ରଶ୍ନର ଉତ୍ତରରେ ରିୟା କହିଛନ୍ତି ‘ନା , ମୁଁ ଯାଇ ନଥିଲି। ମୁଁ ଦୁଃଖରେ ଭାଙ୍ଗି ପଡ଼ିଥିଲି। ମୁଁ ବୁଝି ପାରୁ ନଥିଲି ଏହା କିପରି ଘଟିଲା। ତା ପରେ ମୋତେ କୁହାଯାଇଥିଲା ଯେ ମୁଁ ଅନ୍ତ୍ୟେଷ୍ଟିକ୍ରିୟାରେ ସାମିଲ ହେବାକୁ ଥିବା ବ୍ୟକ୍ତିଙ୍କ ତାଲିକାରେ ନାହିଁ। ତାଙ୍କ ପରିବାର ମୋତେ ସେଠାରେ ଚାହୁଁ ନଥିଲେ।’ ରିୟା କହିଛନ୍ତି ‘ମୁଁ ଅନ୍ତ୍ୟେଷ୍ଟି କ୍ରିୟା ସ୍ଥାନକୁ ଯିବାକୁ ପ୍ରସ୍ତୁତ ଥିଲି; ମାତ୍ର ମୋର ବନ୍ଧୁମାନେ ସେଠାକୁ ନ ଯିବାକୁ କହିଥିଲେ। ମୋତେ ସେଠାରେ ଅପମାନିତ ହେବାକୁ ପଡ଼ିବ ଓ ସ୍ଥାନ ଛାଡି ଚାଲିଯିବାକୁ କୁହାଯିବ। ତା ପରେ ମୋର ଜଣେ ବନ୍ଧୁ କହିଥିଲେ ଶେଷ ଥର ପାଇଁ ସୁଶାନ୍ତଙ୍କ ମୃତଦେହକୁ ମୁଁ ଦେଖିବା ଦରକାର। ଯଦି ନ ଦେଖିବି ତେବେ ତାଙ୍କର ନିକଟତର ହୋଇପାରିବି ନାହିଁ। ତାଙ୍କର ମୃତ୍ୟୁକୁ ବିଶ୍ୱାସ କରିବା କଷ୍ଟକର ହେବ।’ ରିୟା କହିଛନ୍ତି ସେ ଶବାଗାରରେ ୩ରୁ ୪ସେକେଣ୍ଡ ପାଇଁ ରହିଥିଲେ। ସୁଶାନ୍ତଙ୍କ ମୃତଦେହକୁ ଦେଖିବା ପରେ ‘ସରି ବାବୁ’ କହିଥିଲେ। କାରଣ ସେ ତାଙ୍କ ଜୀବନକୁ ହରାଇଛନ୍ତି। ସୁଶାନ୍ତଙ୍କ ପାଦ ଛୁଇଁ ସେ ଶେଷ ସମ୍ମାନ ଜଣାଇଥିବା କହିଛନ୍ତି। ସେହିପରି ‘ଆଜ୍‍ତକ’କୁ ଦେଇଥିବା ଏକ ସାକ୍ଷାତକାରରେ ରିୟା କହିଛନ୍ତି ଯେ ସୁଶାନ୍ତଙ୍କର ଆକାଉଣ୍ଟରୁ ଗୋଟିଏ ଟଙ୍କା ତାଙ୍କ ଆକାଉଣ୍ଟ କିମ୍ବା ତାଙ୍କ ପରିବାର ସଦସ୍ୟଙ୍କ ଆକାଉଣ୍ଟକୁ ଯାଇ ନାହିଁ। ରିୟଲିଟିକ୍ସ କମ୍ପାନୀରେ ସୁଶାନ୍ତଙ୍କ ସହିତ ସେ ଓ ତାଙ୍କ ଭାଇ ସୋୱିକ ପାର୍ଟନର ଅଛନ୍ତି।

Comments are closed.