ପଞ୍ଚାୟତରାଜ ବ୍ୟବସ୍ଥାରେ ଅଧିକ ପ୍ରଶାସନିକ ହସ୍ତକ୍ଷେପକୁ ବିରୋଧ, ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଲେ ସଂଗଠନ

ଭୁବନେଶ୍ୱର: ଶୁକ୍ରବାର ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନ ପକ୍ଷରୁ ରାଜ୍ୟପାଳଙ୍କୁ ରାଜଭବନରେ ଭେଟି ପଞ୍ଚାୟତରାଜ ବ୍ୟବସ୍ଥାରେ ଅଧିକ ପ୍ରଶାସନିକ ହସ୍ତକ୍ଷେପକୁ ବିରୋଧ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସଂଗଠନ ପକ୍ଷରୁ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ଡିକେ ସିଂ ଗତ ୧୭.୦୨.୨୦୨୦ ମସିହାରେ ଚିଠି ନଂ ୪୩/୧୪ ମାଧ୍ୟମରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ବିଡ଼ିଓ ରାଜରେ ପରିଣତ କରିବା ପାଇଁ ଯେଉଁ ହୀନ ଚକ୍ରାନ୍ତ କରିଛନ୍ତି ତାହାକୁ ତୁରନ୍ତ ପ୍ରତ୍ୟାହାର କରିବାପାଇଁ ଦାବି କରାଯାଇଛି। ଓଡ଼ିଶାରେ ବିଜେଡ଼ି ସରକାର ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ଭାବରେ ପାଳନ କରିଥିବା ବେଳେ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ପକ୍ଷରୁ ଏହାକୁ ପଞ୍ଚାୟତିରାଜ ସୁରକ୍ଷା ଦିବସ ଭାବରେ ପାଳନ କରିଛି। କାରଣ ବିଜେଡ଼ି ସରକାର ପଞ୍ଚାୟତରାଜ ବ୍ୟବସ୍ଥାକୁ ବିଡ଼ିଓ ରାଜରେ ପରିଣତ କରିବାକୁ ଅପଚେଷ୍ଟା ଚଳାଇଛି ସଂଗଠନ କହିବା ସହ ପଞ୍ଚାୟତିରାଜ ପ୍ରତିନିଧି ଓ ରାଜୀବ ଗାନ୍ଧୀ ପଞ୍ଚାୟତ ସଂଗଠନର କର୍ମକର୍ତାମାନେ ରାଜ୍ୟପାଳଙ୍କୁ ଭେଟି ୬ଦଫା ଦାବୀପତ୍ର ପ୍ରଦାନ କରିଛନ୍ତି।

ପଞ୍ଚାୟତରାଜ ହେଉଛି କ୍ଷମତା ବିକେନ୍ଦ୍ରୀକରଣର ସର୍ବୋତମ ମାଧ୍ୟମ। ତୃଣମୂଳ ସ୍ତରର ବିକାଶର ଏହା ଚାବି କାଠି। ଏହାକୁ ଜାତିର ପିତା ମହାତ୍ମା ଗାନ୍ଧୀ ଅନୁଭବ କରିଥିଲେ ଏବଂ ଗ୍ରାମ ସ୍ୱରାଜର ପରିକଳ୍ପନା କରିଥିଲେ। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ରାଜୀବ ଗାନ୍ଧୀ ଦେଶର ବିକାଶ କ୍ଷେତ୍ରରେ ଏହାକୁ ପ୍ରାଥମିକତା ଦେଇ ସମ୍ବିଧାନ ସଂଶୋଧନ ପାଇଁ ପ୍ରୟାସ କରିଥିଲେ, ଯାହା ପରବର୍ତୀ ସମୟରେ ୭୩ ତମ ଓ ୭୪ ତମ ସମ୍ବିଧାନ ସଂଶୋଧନ ଆଇନ୍‍ ଭାବରେ ପରିଗଣିତ। ଏହି ଆଇନ୍‍ ଦ୍ୱାରା ପଞ୍ଚାୟତ ବ୍ୟବସ୍ଥାକୁ ସଶକ୍ତ, ସୁଦୃଢ଼ ଏବଂ ସ୍ୱତନ୍ତ୍ର କରିବାର ପରିକଳ୍ପନା କରାଯାଇଥିଲା।

ମାତ୍ର ଦୁଃଖ ଏବଂ ପରିତାପର ବିଷୟ ଏହିକି ଯେ ଉପରୋକ୍ତ ସମ୍ବିଧାନ ସଂଶୋଧନ ଆଇନ୍କୁ ଓଡିଶା ସରକାର କେବଳ ଅବମାନନା କରୁନାହାନ୍ତି, ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଫିସରରାଜ ବା ବିଡ଼ିଓରାଜରେ ପରିଣତ କରିଛନ୍ତି। ଏହାର ସଦ୍ୟତମ ଉଦାହରଣ ହେଉଛି ଗତ ୧୭.୦୨.୨୦ ତାରିଖରେ ରାଜ୍ୟ ସରକାରଙ୍କର ପଞ୍ଚାୟତିରାଜ ବିଭାଗର ଶାସନ ସଚିବ ଶ୍ରୀ ଡି.କେ. ସିଂହ ଜିଲ୍ଲାପାଳମାନଙ୍କୁ ପଠାଇଥିବା ଏକ ଚିଠି ଯେଉଁଥିରେ କୁହାଯାଇଛି ଯେ ବିଡିଓଙ୍କ ଦସ୍ତଖତ ବିନା ପଞ୍ଚାୟତର କୌଣସି ପ୍ରକଳ୍ପ ଅନୁମୋଦିତ ହୋଇପାରିବ ନାହିଁ କିମ୍ବା ଅର୍ଥ ରାଶି କାହାକୁ ସେ ବାବଦକୁ ଦିଆଯାଇ ପାରିବ ନାହିଁ। ଏହି ଚିଠି ପ୍ରମାଣିତ କରେ ଯେ ପଞ୍ଚାୟତ ବ୍ୟବସ୍ଥା ପ୍ରତି ରାଜ୍ୟ ସରକାରଙ୍କର ଆଭିମୁଖ୍ୟ କ’ଣ। ଏହି ଚିଠିକୁ ତୁରନ୍ତ ପ୍ରତ୍ୟାହାର ପାଇଁ ସଂଗଠନ ପକ୍ଷରୁ ଦାବି କରାଯାଇଛି। ଅନ୍ୟ ଦାବି ଗୁଡ଼ିକ ହେଲା :

• ସମ୍ବିଧାନର ୭୩ ଓ ୭୪ତମ ସଂଶୋଧନ ଆଇନ ମୁତାବକ ପଞ୍ଚାୟତର ସ୍ୱାତନ୍ତ୍ର୍ୟ ଓ ଅଧିକାରକୁ ସୁରକ୍ଷା ଦିଆଯାଉ।

• ନିୟମିତ ଭାବରେ ଗ୍ରାମସଭା ଓ ପଲ୍ଲୀସଭାର ଆୟୋଜନ କରାଯାଉ ଏବଂ ଗ୍ରାମସଭା ଓ ପଲ୍ଲୀସଭାର ବିନା ଅନୁମୋଦନରେ ପଞ୍ଚାୟତରେ କୌଣସି କାର୍ଯ୍ୟ ନହେଉ।

• ବିଜେଡ଼ି ସରକାର ୨୦ଲକ୍ଷ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନାରେ କାର୍ଡ ବାଣ୍ଟିବାର ଯୋଜନା କରୁଛନ୍ତି। ମାତ୍ର ଏହି ଆବାସ ଯୋଜନାକୁ କାର୍ଯ୍ୟକାରୀ କଲାବେଳେ ପଞ୍ଚାୟତରାଜ ବ୍ୟବସ୍ଥାର ତୃଣମୂଳସ୍ତରର ଜନ ପ୍ରତିନିଧି ୱାର୍ଡ ସଭ୍ୟ / ସଭ୍ୟାଙ୍କର ଅନୁମୋଦନକୁ ବାଧ୍ୟତାମୂଳକ କରାଯାଉ।

• ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟମାନଙ୍କର ଭତା ବୃଦ୍ଧି କରିବା ସହିତ ସେମାନଙ୍କ ପାଇଁ ଖୋଲା ହାତ ପାଣ୍ଠିର ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଉ।

ଶୁକ୍ରବାର ରାଜ୍ୟପାଳଙ୍କୁ ଭେଟିଥିବା ଏହି ପ୍ରତିନିଧି ଦଳରେ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ, ଓଡ଼ିଶାର ଆବାହକ ସୁଦର୍ଶନ ଦାସ, ଶୁଭେନ୍ଦୁ ମହାନ୍ତି, ମନୋରଞ୍ଜନ ଦାଶ, ପ୍ରକାଶ ମିଶ୍ର, ଦୀପକ ସାହୁ, ଦୀପକ ମହାପାତ୍ର,ସୁଭାଷ ପ୍ରଧାନ, ଓଡ଼ିଶା ସଂରପଞ୍ଚ ମହାସଂଘ ସଭାପତି ପ୍ରଦ୍ୟୁମ୍ନ ଜେନା, ସମିତି ସଭ୍ୟ ମହାସଂଘର କାର୍ୟ୍ୟକାରୀ ସଭାନେତ୍ରୀ ବିଷ୍ଣୁପ୍ରିୟା ନନ୍ଦ, ନରେଶ ମହାନ୍ତି, ସତ୍ୟସ୍ମିତ ମହାନ୍ତି, ଶ୍ରିୟାସ୍ମିତା ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ। ରାଜ୍ୟପାଳଙ୍କୁ ଦାବୀପତ୍ର ଦେବା ଅବସରରେ ସଂଗଠନର ଆବାହକ ସୁଦର୍ଶନ ଦାସ ଦାବି ଗୁଡ଼ିକ ଉପରେ ସବିଶେଷ ଆଲୋଚନା କରିଥିଲେ ଏବଂ ରାଜ୍ୟପାଳ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରସରକାରଙ୍କର ସଂପୃକ୍ତ ବିଭାଗକୁ ଏହି ଦାବୀପତ୍ର ପଠାଇବା ସହିତ ତୁରନ୍ତ ପଦକ୍ଷେପ ନେବେବୋଲି ଆଶ୍ୱସନା ଦେଇଥିଲେ।

Comments are closed.