ଆଖି ବୁଜିଲେ ବିପ୍ଲବୀ – କବି ରବି ସିଂ

କଟକ: ବର୍ଷିଆନ ବିପ୍ଲବୀ କବି ରବି ସିଂଙ୍କର ଆଜି ୮୮ ବର୍ଷ ବୟସରେ କଟକ ଖପୁରୀଆସ୍ଥିତ ଲେବର୍ କଲୋନିରେ ଥିବା ବାସଭବନରେ ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ଥିଲେ। ଏକ ଧାରାରେ ଜଣେ ସାମ୍ୟବାଦୀ ନେତା, ଅନୁବାଦକ, ସୁବକ୍ତା, ସମାଲୋଚକ ଓ ଶାଣିତ ଶବ୍ଦ ସଂଯୋଜନାର ଅନନ୍ୟ କର୍ଣ୍ଣଧାର ଭାବେ ପରିଚିତି ଲାଭ କରିଥିବା ଏହି ବିପ୍ଲବୀ କବି ତାଙ୍କ କବିତା ମାଧ୍ୟମରେ ସାମାଜିକ ବିପ୍ଳବ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ। କେବଳ ବିପ୍ଲବୀ କବି ନୁହେଁ ବରଂ ସେ ଜଣେ ସମାଲୋଚକ ମଧ୍ୟ ଥିଲେ।

୧୯୫୫ରୁ ସାହିତ୍ୟିକ ଜୀବନ ଆରମ୍ଭ କରିଥିବା କବି ରବି ସିଂକୁ ସମସ୍ତେ ସଶରୀରେ ନ ଦେଖିଥିଲେ ବି ଓଡ଼ିଶାର କୋଣ ଅନୁକୋଣରେ ତାଙ୍କ ଲିଖିତ ବୈପ୍ଲବିକ ଓ ବାମପନ୍ଥୀ ଚିନ୍ତାଧାରା ସମ୍ପନ୍ନ କବିତା ପ୍ରତିଟି ପାଠକ ମନରେ ଆନ୍ଦୋଳନ ସୃଷ୍ଟି କରିଥିଲା। ସମାଜର ପ୍ରତିଟି ତ୍ରୁଟି ବିଚ୍ୟୁତିକୁ ସେ ଅତ୍ୟନ୍ତ ମାର୍ମିକ ଓ ବାସ୍ତବଧର୍ମୀ ରୂପରେ କବିତାରେ ରୂପାନ୍ତରିତ କରିବାର କ୍ଷମତା ରଖିଥିଲେ। ପଥପ୍ରାନ୍ତର କବିତା, ଅପ୍ରୀତିକର କବିତା, ପଦାତିକ, ବିଷବାଣୀ, ଲାଲ ପାଗୋଡ଼ାର ପ୍ରେତ, ଚରମ ପତ୍ର, ଭୃକୁଟି ଏବଂ ବିଦୀର୍ଣ୍ଣ ଭଳି କାଳଜୟୀ କବିତା କବି ରବି ସିଂଙ୍କ ଅନନ୍ୟ କୃତ୍ତି ମଧ୍ୟରୁ ଅନ୍ୟତମ ଅଟେ।

ଜଣେ ଦକ୍ଷ ଅନୁବାଦକ ଭାବରେ ସେ ରୁଷୀୟ ସାହିତ୍ୟର ଅନେକ ସଙ୍କଳନକୁ ଓଡ଼ିଆରେ ଅନୁବାଦ କରିଛନ୍ତି। ସେଗୁଡିକ ମଧ୍ୟରେ ବିରସ କଷଣି, ନାୟକ ଆମ ସମୟର, ବୋତଲ ଭୂତ ଓ ଅନ୍ଧକାରର ସଙ୍ଗୀତ ଅତ୍ୟନ୍ତ ଲୋକପ୍ରିୟ ଅନୁବାଦ ସାହିତ୍ୟ। ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷା ଉପରେ ଦକ୍ଷତା ହାସଲ କରିଥିବା କବି ରବି ସିଂ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ (୨୦୧୭), ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୧୯୬୧), ଝଙ୍କାର ପୁରସ୍କାର, ସାହିତ୍ୟ ଭାରତୀ ସମ୍ମାନ ଏବଂ ଉତ୍କଳ ସାହିତ୍ୟ ସମାଜ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

ପୁଅ ଚନ୍ଦ୍ରଜିତ୍ ସିଂଙ୍କ ସୂଚନା ଅନୁଯାୟୀ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ରବି ସିଂଙ୍କୁ ୫ ଦିନଧରି କଟକର ବଡ଼ ମେଡିକାଲରେ ଚିକିତ୍ସା କରାଯିବା ପରେ ତିନି ଦିନ ତଳେ ଘରକୁ ଅଣାଯାଇଥିଲା। ଆଜି ସକାଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ବିୟୋଗରେ ସାହିତ୍ୟିକ ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଇଚ୍ଛା ଅନୁଯାୟୀ, ରବି ସିଂଙ୍କର ଅନ୍ତିମ ସଂସ୍କାର କଟକର ସତୀଚଉରାଠାରେ କରାଯିବ ବୋଲି ଜଣାଯାଇଛି।

Comments are closed.