ପାକିସ୍ତାନ ସେନାରେ ବିଦ୍ରୋହ : ସେନାମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ସବୁ ଲେପ୍ଟନାଣ୍ଟ ଜେନେରାଲଙ୍କ ବିରୋଧ

ଇସଲାମାବାଦ : ପାକିସ୍ତାନ ସେନାମୁଖ୍ୟ କ୍ବାମାର ଜାଭେଦ ବାଜୱାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ନେଇ ସେନା ସୈନ୍ୟବାହିନୀରେ ବିଦ୍ରୋହ ଦେଖାଯାଇଛି। ବାଜୱାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ସେନାର ସମସ୍ତ ୭ଜଣ ଲେପ୍ଟନାଣ୍ଟ ଜେନେରାଲ ବିରୋଧ କରିଛନ୍ତି। ନଭେମ୍ବର ୨୯ରେ ବାଜୱାଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାବେଳେ ସୁପ୍ରିମକୋର୍ଟଙ୍କ ସର୍ତ୍ତ ଆଧାରରେ ୬ମାସ ପାଇଁ ବୃଦ୍ଧି କରାଯାଇଛି। ଇମ୍ରାନ ଖାଁ ନେତୃତ୍ବ ସରକାର ବାଜୱାଙ୍କ କାର୍ଯ୍ୟକାଳ ୩ବର୍ଷ ବୃଦ୍ଧି କରିଥିବାବେଳେ ଏହାକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯାଇଥିଲା। ସୁପ୍ରିମକୋର୍ଟ ସରକାରଙ୍କ ନିଷ୍ପତ୍ତିକୁ ଅଗ୍ରାହ୍ୟ କରି ସେନାମୁଖ୍ୟଙ୍କ କାର୍ଯ୍ୟକାଳକୁ ୬ମାସ ବୃଦ୍ଧି କରିବାକୁ ଅନୁମତି ଦେଇଥିଲେ। ତେବେ ବାଜୱାଙ୍କ ଏହି କାର୍ଯ୍ୟକାଳ ବୃଦ୍ଧିକୁ ସେନାର ବରିଷ୍ଠ ଅଧିକାରୀ ମୁଲତାନ କର୍ପସ କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ (ଏଲଜି) ସର୍ଫରାଜ ସତ୍ତାର ସମେତ ଅନ୍ୟ ଲେପ୍ଟନାଣ୍ଟ ଜେନେରାଲମାନେ ବିରୋଧ କରିଛନ୍ତି। ଜେନେରାଲ ବାଜୱାଙ୍କ ଅବସର ପରେ ସତ୍ତାର ଦେଶର ପରବର୍ତ୍ତୀ ସେନାମୁଖ୍ୟ ହୋଇଥାନ୍ତେ। ସତ୍ତାରଙ୍କ ବ୍ୟତୀତ ଲେପ୍ଟନାଣ୍ଟ ଜେନେରାଲ ନଦୀମ ରାଜା, ହ୍ୟୁମାୟୁନ ଅଜିଜ୍‌, ନଇମ ଅସ୍ରଫ, ଶେର ଆଫଗାନ, ବିଲାଲ ଆକବର ଓ କ୍ବାଜି ଇକ୍ରାମ ବିରୋଧ କରିଛନ୍ତି। ପାକିସ୍ତାନରେ ସରକାର ବିରୋଧୀ ବିଦ୍ରୋହ ଓ ସେନାର କ୍ଷମତା ଦଖଲ ସାଧାରଣ ଘଟଣା। ତେବେ ପାକିସ୍ତାନ ସେନାରେ ଏପରି ବିଦ୍ରୋହ ଦେଖାଯିବା ଓ ସେନାମୁଖ୍ୟଙ୍କୁ ଟାର୍ଗେଟ କରାଯିବା ପ୍ରଥମ ଘଟଣା।
୨୦୨୦ରେ ୬୦ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ସେନାମୁଖ୍ୟ ବାଜୱାଙ୍କ କାର୍ଯ୍ୟକାଳ ବୃଦ୍ଧି ଲାଗି ସୁପ୍ରିମକୋର୍ଟ ସରକାରଙ୍କୁ ଆଇନରେ ସଂଶୋଧନ କରିବାକୁ ନିର୍ଦେଶ ଦେଇଛନ୍ତି। ଇମ୍ରାନ ଖାଁଙ୍କ ସରକାର ବିଭିନ୍ନ ମହଲରୁ ବିରୋଧର ସମ୍ମୁଖୀନ ହେଉଥିବାରୁ ନିଜକୁ ବଞ୍ଚାଇବା ଲାଗି ବାଜୱାଙ୍କ କାର୍ଯ୍ୟକାଳ ବୃଦ୍ଧି କରିଥିବା ଅଭିଯୋଗ ହୋଇଛି। କାରଣ ବାଜୱାଙ୍କ ସହଯୋଗରେ ଇମ୍ରାନ ଦଳ କ୍ଷମତାକୁ ଆସିଛି। ଦେଶର ଆର୍ଥିକ ଦୁରବସ୍ଥା ମୁକାବିଲା କରିବାରେ ଇମ୍ରାନଙ୍କ ବିଫଳତାକୁ ଦେଶବାସୀ ବିରୋଧ କରିଛନ୍ତି। ଏବେ ବାଜୱାଙ୍କ କାର୍ଯ୍ୟକାଳ ବୃଦ୍ଧି ସେନା ଅଧିକାରୀଙ୍କ ବିରୋଧ ଇମ୍ରାନ ସରକାରକୁ ବଡ ଅଡୁଆରେ ପକାଇଛି। ଦେଶରେ କୌଣସି ପ୍ରକାର ଅଘଟଣ ଘଟିବାର ଆଶଙ୍କା ରହିଛି। ୨୦୧୬ ନଭେମ୍ବର ୨୯ରେ ନୱାଜ ସରିଫ ସରକାର ବାଜୱାଙ୍କୁ ଦେଶର ୧୦ମ ସେନାମୁଖ୍ୟ ଭାବେ ୩ବର୍ଷ ପାଇଁ ନିଯୁକ୍ତି ଦେଇଥିଲେ। ଏହା ପୂର୍ବରୁ ସେ ପାକିସ୍ତାନ ସେନାମୁଖ୍ୟାଳୟରେ ଇନ୍ସପେକ୍ଟର ଜେନେରାଲ (ପ୍ରଶିକ୍ଷଣ ଓ ମୂଲ୍ୟାୟନ) ଭାବେ କାର୍ଯ୍ୟ କରିଥିଲେ। ଏହା ସହିତ ବାଲୋଚ ରେଜିମେଣ୍ଟର କମାଣ୍ଡାଣ୍ଟ ଭାବେ କାର୍ଯ୍ୟ କରିଥିଲେ।

Comments are closed.