୩୭୦ଧାରା ଉଚ୍ଛେଦ କରିବା ସର୍ଦ୍ଦାର ପଟେଲଙ୍କ ଲକ୍ଷ୍ୟ ଥିଲା – ମୋଦୀ

Revocation of Article 370 attempt to find solution to decades-old problem: PM

0

ନୂଆଦିଲ୍ଲୀ: ନର୍ମଦା ନଦୀରେ ନିର୍ମିତ ସର୍ଦ୍ଦାର ସରୋବର ବନ୍ଧ ହେଉଛି ପରିବେଶକୁ ଅକ୍ଷୁର୍ଣ୍ଣ ରଖି କିପରି ବିକାଶ କରାଯାଇପାରେ ତାହାର ସର୍ବଶ୍ରେଷ୍ଠ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ନର୍ମଦା ଜିଲ୍ଲାର ସର୍ଦ୍ଦାର ସରୋବର ଡ୍ୟାମ ନିକଟରେ ନମାମି ଦେବୀ ନର୍ମଦେ ମହୋତ୍ସବରେ ଉଦବୋଧନ ଦେଇ ମୋଦୀ କହିଛନ୍ତି, ପ୍ରକୃତି ହେଉଛି ଆମର ଅଳଙ୍କାର ସଦୃଶ ତେଣୁ ଆମେ ତାହାକୁ ପୂଜା କରିବା। ସର୍ଦ୍ଦାର ସରୋବର ନଦୀବନ୍ଧରେ ବିଗତ ପାଞ୍ଚ ବର୍ଷ ମଧ୍ୟରେ ସର୍ବାଧିକ ଜଳଧାରଣ କ୍ଷମତା ୧୩୮ଦଶମିକ୍‍ ୬/୮ ମିଟରରେ ପହଞ୍ଚିଥିବା ବେଳେ ମୋଦୀ କହିଛନ୍ତି ଯେ ଏହି ମହତ୍ତ୍ୱାକାଂକ୍ଷି ପ୍ରକଳ୍ପ ଦ୍ୱାରା ଗୁଜରାଟ ସମେତ ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ରାଜସ୍ଥାନ ଲାଭବାନ ହେବ। ପ୍ରଧାନମନ୍ତ୍ରୀ କହିଛନ୍ତି, ସର୍ଦ୍ଦାର ସରୋବର ବନ୍ଧ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ସ୍ୱପ୍ନ ଥିଲା। ଯାହାକି ଏକତାର ପ୍ରତିମୂର୍ତ୍ତି ଭାବେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମା ସମ୍ମୁଖରେ ନିର୍ମାଣ କରାଯାଇଛି। ସର୍ଦ୍ଦାର ପଟେଲଙ୍କ ଏହି ପ୍ରତିମୂର୍ତ୍ତି ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତିର ମାନ୍ୟତା ଲାଭ କରିଛି। ଗୁଜରାଟରେ ସର୍ଦ୍ଦାର ସରୋବର ଡ୍ୟାମ୍‍ର କେନାଲ୍‍ ନେଟୱାର୍କ କାର୍ଯ୍ୟ ଶେଷ ହୋଇଥିବା ନେଇ ମୋଦୀ ସନ୍ତୋଷ ପ୍ରକଟ କରିଛନ୍ତି। ସର୍ଦ୍ଦାର ସରୋବର ଡ୍ୟାମ୍‍ ଏବଂ ଏକତାର ପ୍ରତିମୂର୍ତ୍ତି ବିଶ୍ୱର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଭାବେ ମାନ୍ୟତା ଲାଭ କରିଛି ବୋଲି ମୋଦୀ କହିଛନ୍ତି।

ବିଗତ ୧୦୦ ଦିନ ମଧ୍ୟରେ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିବା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଆଗାମୀ ଦିନରେ ସରକାର ଏହିଭଳି କାର୍ଯ୍ୟ ଜାରି ରଖିବେ ବୋଲି ସେ କହିଛନ୍ତି। ଭାରତର ପୂର୍ବତନ ସ୍ୱରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ପଟେଲ୍‍ଙ୍କ ଦୂରଦୃଷ୍ଟିରେ ଅନୁପ୍ରାଣିତ ହୋଇ ତାଙ୍କ ସରକାର ଜାମ୍ମୁ କାଶ୍ମୀରରୁ ୩୭୦ଧାରା ଉଚ୍ଛେଦ କରିବା ପାଇଁ ପଦକ୍ଷେପ ନେଇଛନ୍ତି ଏବଂ ଏହା ସର୍ଦ୍ଦାର ପଟେଲଙ୍କ ଲକ୍ଷ୍ୟ ଥିଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଦଶନ୍ଧି ଦଶନ୍ଧି ଧରି ଲାଗିରହିଥିବା ପୁରୁଣା ସମସ୍ୟାର ସମାଧାନ କ୍ଷେତ୍ରରେ ଏହା ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବୋଲି ସେ ବର୍ଣ୍ଣନା କରିଛନ୍ତି। ନିଜର ୬୯ତମ ଜନ୍ମଦିବସ ଅବସରରେ ପ୍ରଧାନମନ୍ତ୍ରୀ ଗୁଜରାଟରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଏହା କହିଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ଗୁଜରାଟର କେଭେଡିଆଠାରେ ସର୍ଦ୍ଦାର ସରୋବର ନଦୀବନ୍ଧରେ ନମାମି ଦେବୀ ନର୍ମଦେ ମହୋତ୍ସବରେ ଯୋଗ ଦେଇ ପୂଜାର୍ଚ୍ଚନା କରିଥିଲେ।

Leave A Reply