ସମ୍ଭାବ୍ୟ ବାତ୍ୟା ମୁକାବିଲା ନିମନ୍ତେ କ୍ୟାବିନେଟ୍‍ ସଚିବଙ୍କ ସମୀକ୍ଷା ବୈଠକ

ସମାଜ ପୋର୍ଟାଲ ଡେସ୍କ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ କ୍ୟାବିନେଟ୍‍ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ପରିଚାଳନା କମିଟିର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏନ୍‍ଡିଆର୍‍ଏଫ୍‍, ସଶସ୍ତ୍ର ସେନା, ଭାରତୀୟ ତଟରକ୍ଷୀ ବାହିନୀ ଏବଂ ରାଜ୍ୟ ସରକାରଙ୍କମାନଙ୍କ ସହ ଗୌବା ସଂପର୍କରେ ଅଛନ୍ତି। ସ୍ୱରାଷ୍ଟ୍ର ଓ ପ୍ରତିରକ୍ଷା ମନ୍ତ୍ରଣାଳୟ, ପାଣିପାଗ ବିଭାଗ, ଏନ୍‍ଡିଏମ୍‍ଏ ଏବଂ ଏନ୍‍ଡିଆର୍‍ଏଫ୍‍ର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇଥିଲେ। କେତେକ ରାଜ୍ୟ ସରକାରଙ୍କ ମୁଖ୍ୟଶାସନ ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ଭିଡ଼ିଓ କନ୍‍ଫରେନ୍ସିଂ ଜରିଆରେ ମଧ୍ୟ ବୈଠକରେ ଭାଗ ନେଇଥିଲେ।

ସୂଚନାଯୋଗ୍ୟ ଭାରତୀୟ ପାଣିପାଗ କାର୍ଯ୍ୟାଳୟର ବାତ୍ୟା ସତର୍କତା ବିଭାଗ କହିଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ଅନୁମାନ କରାଯାଉଛି ଓ ଏହାପରେ ତାହା ଉତ୍ତର-ଉତ୍ତରପୂର୍ବ ଦିଗକୁ ମୁହାଁଇବାର ଆଶଙ୍କା କରାଯାଉଛି। ଏହାର ପ୍ରଭାବରେ ଗତକାଲି ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର କିଛି ସ୍ଥାନରେ ଅଳ୍ପରୁ ମଧ୍ୟମ ବର୍ଷା ହୋଇଥିବାବେଳେ ଆଉ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଛି।

ଆସନ୍ତାକାଲିଠାରୁ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଅଳ୍ପରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ଥିବାବେଳେ ୧୯ ତାରିଖରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ୨୦ ତାରିଖରେ ଉତ୍ତର ଓଡ଼ିଶାରେ କିଛି ସ୍ଥାନରେ ଅତିପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି। ୧୯ ତାରିଖ ଦିନ ପଶ୍ଚିମବଙ୍ଗର ଗାଙ୍ଗେୟ ଉପୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଅଳ୍ପରୁ ମଧ୍ୟମ ବର୍ଷା ହୋଇପାରେ ଓ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୦ ତାରିଖ ଦିନ ମଧ୍ୟ ପଶ୍ଚିମବଙ୍ଗର ଗାଙ୍ଗେୟ ଅଞ୍ଚଳରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଓଡ଼ିଶା, ପଶ୍ଚିମବଙ୍ଗ ଓ ବାଂଲାଦେଶର ମତ୍ସ୍ୟଜୀବୀମାନଙ୍କୁ ୨୦ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଆଦୌ ନଯିବା ପାଇଁ ପାଣିପାଗ ବିଭାଗ କଡ଼ା ଚେତାବନୀ ଜାରି କରିଛି।

Comments are closed.