ତତଲାଗଡ଼ରେ ମନ୍ତ୍ରୀଙ୍କ ବିଦ୍ୟୁତ ଓ ଜଳଯୋଗାଣ ସମୀକ୍ଷା 

ଟିଟିଲାଗଡ଼ :  ତତଲାଗଡ ରୁପେ ପରିଚିତ ଟିଟିଲାଗଡ ଅଞ୍ଚଳରେ ପାରା ୪୦ ଡିଗ୍ରୀ ଉପରେ ରହି ଲୋକଙ୍କୁ କଲବଲ କରିଛି। ହେଲେ ପ୍ରତ୍ୟେକ ବର୍ଷ ପରି ଚଳିତ ଥର ମଧ୍ୟ ପ୍ରଶାସନ ତଥା ବିଭାଗୀୟ ଅଧିକାରୀଙ୍କ ବେଖାତିର ମନୋଭାବ ନେଇ ଅଞ୍ଚଳବାସୀ ତ୍ରାହି ଛାଡିଲେଣି । ପ୍ରଚଣ୍ଡ ତାତିରେ ଟିଟିଲାଗଡ ପୌରାଞ୍ଚଳରେ ପାନୀୟ ଜଳ କଷ୍ଟ ତଥା ତଥା ବିଦ୍ୟୁତ କାଟ ସମସ୍ୟା ଉତ୍କଟ ହୋଇଛି। ପିଏଚଡି ପକ୍ଷରୁ ଚାରି ପାଞ୍ଚ ଦିନରେ ଥରେ ବିଭିନ୍ନ ୱାର୍ଡକୁ ପାଇପ ଜଳ ଯୋଗାଣ ହେଉଥିବା ଅଭିଯୋଗ ହୋଇଛି । ଅଘୋଷିତ ବିଦ୍ୟୁତ କାଟ୍ ନେଇ ବିଶେଷ କରି ଶିଶୁ, ବୃଦ୍ଧବୃଦ୍ଧା, ରୋଗୀ ଛଟପଟ ହେଉଛନ୍ତି । ଏନେଇ ସ୍ଥାନୀୟ ପୌର ସମ୍ମିଳନୀ କକ୍ଷରେ ଅନୁିଷ୍ଠିତ ଏକ ବୈଠକରେ ଶୁକ୍ରବାର ରାଜ୍ୟ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି। ବୈଠକରେ ଉପଜିଲାପାଳ ସୁଧାକର ନାୟକ, ପୌରାଧ୍ୟକ୍ଷ ଗୋବର୍ଦ୍ଧନ ନାଗ, ପୌର ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା, ତହସିଲଦାର ସ୍ୱଦିପ ଟପୋ, ନାଗରିକ କମିଟି ସଭାପତି ବରିଷ୍ଠ ଆଇନଜୀବୀ ରାଧାକାନ୍ତ ପାଢୀ, ବରିଷ୍ଠ ଆଇନଜୀବୀ ଶ୍ୟାମାପ୍ରସାଦ ଗରିଆ, ବ୍ୟବସାୟୀ ସଂଘ ସଭାପତି ତ୍ରୀନାଥ ସରାଫ ପ୍ରମୁଖ ଉପସ୍ଥିତ ଥିଲେ।

ତେବେ ସମିକ୍ଷା ବୈଠକରେ ପ୍ରବଳ ତାତିରେ ସିଝୁଥିବା ଅଞ୍ଚଳବାସୀଙ୍କ ପ୍ରତି ହେୟ ମନୋଭାବ ପୋଷଣ କରିଚାଲିଥିବା ବିଦ୍ୟୁତ ଏବଂ ଜନସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଚିରାଚରିତ ଭାବରେ ଚଳିତ ଥର ମଧ୍ୟ ସମାନ ଉତ୍ତର ରଖିବା ବିସ୍ମିତ କରିଛି। ବୈଠକରେ ଉପସ୍ଥିତ ବଲାଙ୍ଗିର ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହି ଯନ୍ତ୍ରୀ ପି.ଏମ ପରିଡା, ଟିଟିଲାଗଡ ସହକାରି ନିର୍ବାହୀ ଯନ୍ତ୍ରୀ ଜଗତାନନ୍ଦ ଜଗତ, ସହକାରୀ ଯନ୍ତ୍ରୀ ମିହିର ମହାନ୍ତି ପ୍ରମୁଖ ବାଞ୍ଜିପଦର ତେଲନଦୀରୁ ଟିଟିଲାଗଡକୁ ଆସିଥିବା ମେନ ପାଇପରୁ ବେଆଇନ ଭାବରେ ୧୦୦ରୁ ଊର୍ଦ୍ଧ୍ବ ସଂଯୋଗ ରହିଥିବା ତଥା କିଛି ଜମିକୁ ପାଣି ନେଇ ଚାଷ କରାଯାଉଥିବାରୁ ସମସ୍ୟା ଉପୁଜୁଥିବା ଭଳି ସମାନ କଥା ପୁଣି ଥରେ ଦୋହରାଇଥିଲେ। ଗତ ତିନି ବର୍ଷ ପୁର୍ବରୁ ଜନସ୍ୱାସ୍ଥ୍ୟ ବିଭାଗର ବରାଦ ମୁତାବକ ରାଜ୍ୟ ସରକାର ପ୍ରାୟ ୪ କୋଟି ଟଙ୍କା ପ୍ରଦାନ କରିବା ପରେ ମଧ୍ୟ କିଭଳି ଅବସ୍ଥା ସୁଧୁରୁନାହିଁ ବୋଲି ଅଧିକାରୀଙ୍କୁ ନାଗରିକ ପ୍ରଶ୍ନ କରିଥିଲେ। ସହରର ସର୍ଗିଗୁଡା ଏବଂ ନିଲଚକ୍ରନଗରରେ ୫ ଲକ୍ଷ ବିଶିଷ୍ଟ ଦୁଇଟି ଭୁତଳ ଟ୍ୟାଙ୍କ ନିର୍ମାଣ କାର୍ଯ୍ୟ କେବେ ସରୁନଥିବା ଅଭିଯୋଗ ହୋଇଥିଲା। ଲୋକେ ପାଣି ମିଳୁନଥିବା ନେଇ ପ୍ରଶ୍ନ କଲେ ଲାଇନ ନ ଥିବା ଏବଂ ଜେନେରେଟର ସେଟ ଚଲାଇବାକୁ ଆବଶ୍ୟକ ଡିଜେଲ ନଥିବା ବିଭାଗୀୟ ଯନ୍ତ୍ରୀ କହୁଥିବା ଅଭିଯୋଗ ହୋଇଥିଲା। ଏନେଇ ସମିକ୍ଷା ବୈଠକରେ ଉପସ୍ଥିତ ଜନସ୍ୱାସ୍ଥ୍ୟ ବିଭାଗ ଯନ୍ତ୍ରୀ ଶ୍ରୀ ମହାନ୍ତିଙ୍କୁ ପଚାରିବାରୁ ସେ ପ୍ରଥମେ ନିରବ ରହିଥିଲେ। ମନ୍ତ୍ରୀ ଅଛନ୍ତି ନିର୍ଭୟରେ କୁହନ୍ତୁ ବୋଲି କହିବାରୁ ପେଟ୍ରୋଲ ପମ୍ପ ମାଲିକ ଧାରରେ ଡିଜେଲ ଦେବା ପାଇଁ ମନା କରୁଥିବା କହି ନିର୍ବାହୀ ଯନ୍ତ୍ରୀଙ୍କ କୋର୍ଟକୁ ବଲ ଫିଙ୍ଗିଥିଲେ। ଅନ୍ୟପକ୍ଷରେ ନିର୍ବାହୀ ଯନ୍ତ୍ରୀ ଶ୍ରୀ ପରିଡା, ମୁଁ ଡିଜେଲ ପଇସା ଦେଉଛି ବୋଲି ସଫେଇ ଦେଇଥିବା ବେଳେ ତତଲାଗଡରେ ଜଳ ଯୋଗାଣ ନେଇ ଏଭଳି ଗଜବ ତମାସା ନାଗିରକଙ୍କୁ ଅବାକ କରିଥିଲା।

ଅନ୍ୟପକ୍ଷରେ ନିଜ ଗୃହକୁ ବ୍ୟକ୍ତିଗତ ପାଇପ ସଂଯୋଗ ନେଇଥିବା ଲୋକେ ବିଦ୍ୟୁତ କାଟ ସମୟରେ ଜେନେରେଟର ଦ୍ୱାରା ଜଳ ଯୋଗାଣ ହେଲେ ମୋଟର ପମ୍ପ ଦ୍ୱାରା ସେମାନଙ୍କ ଘର ଉପରେ ରହିଥିବା ଓଭରହେଡ ଟ୍ୟାଙ୍କକୁ ପାଣି ଚଢାଇବାରେ ଅସୁବିଧା ହେଉଛି । ସେଥିପାଇଁ ବିଦ୍ୟୁତ କାଟ ସମୟରେ ଜଳ ଯୋଗାଣ ପାଇଁ ସେମାନେ ମନା କରୁଥିବା ସହକାରୀ ନିର୍ବାହି ଯନ୍ତ୍ରୀ ଶ୍ରୀ ଜଗତ ପ୍ରଘଟ କରିବାକୁ ତିଳେମାତ୍ର କୁଣ୍ଠା ପ୍ରକାଶ କରିନଥିଲେ। ବିଭିନ୍ନ ସାହିରେ ଆବଶ୍ୟକ ଷ୍ଟାଣ୍ଡପୋଷ୍ଟ ମଧ୍ୟ ନିର୍ମାଣ କରାଯାଇନଥିବା ଖୋଦ ପୌରପାଳ ଅଭିଯୋଗ କରିଥିଲେ। ସହର ମଧ୍ୟରେ ଅନେକ ସ୍ଥାନରେ ପାଇପ ଲିକେଜ ହେଉଥିବା ବେଳେ କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଥିଲା। ଏନେଇ ମନ୍ତ୍ରୀ ଶ୍ରୀମତୀ ସାହୁ ବିଭାଗର କାର୍ଯ୍ୟଦକ୍ଷତା ନେଇ ଅସନ୍ତୋଷ ପ୍ରକାଶ କରିବା ସହ ପ୍ରତ୍ୟେକ ଦିନ ଯେମିତି ସହରବାସୀ ପାନୀୟ ଜଳ ପାଇପାରିବେ ତାହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅପରପକ୍ଷରେ ଅତିତରେ ଗ୍ରୀଷ୍ମ ଋତୁରେ ତତଲା କଡେଇରେ ସିଝୁଥିବା ଟିଟିଲାଗଡ ଅଂଚଳରେ ବିଦ୍ୟୁତ କାଟ ବନ୍ଦ ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ୨୦୧୧ରେ ବିଦ୍ୟୁତ ବିଭାଗ ଏକକାଳିନ ୧୪ ଦିନ ବିଦ୍ୟୁତ କାଟ କରିଥିବା ବେଳେ ସମସ୍ତ ଅବ୍ୟବସ୍ଥା ଦୁର କରିଥିବା ଦାବି କରିଥିଲା। ଏହା ସତ୍ୱେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଘୋଷିତ ବିଦ୍ୟୁତ କାଟ ନେଇ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଏସ. ପଣ୍ଡା ମଧ୍ୟ ଏଥିପାଇଁ କାଳ ବୈଶାଖୀ ଦାୟୀ ବୋଲି ଗଜବ ଉତର ରଖିଥିଲେ। ବିଦ୍ୟୁତ କାଟ ହେଲେ ଏସଡିଓ, ଜେଇ ଫୋନ ଉଠାଉନଥିବା ଅଭିଯୋଗ ନେଇ ଖୁବ ଶୀଘ୍ର ହେଲ୍ପ ଲାଇନ ନମ୍ବର କାର୍ଯ୍ୟ କରିବ ବୋଲି ନିଜ ପକ୍ଷ ସାଧୁତାର ସହ ରଖିଥିଲେ। ଏପରିକି ସମୀକ୍ଷା ବୈଠକ ସମୟରେ ବାରମ୍ବାର ବିଦ୍ୟୁତ କାଟ ନେଇ ମନ୍ତ୍ରୀ, ଅଧିକାରୀ, ନାଗରିକ ଝାଳନାଳ ହୋଇପଡିଥିବା ଦେଖାଯାଇଥିଲା। ଅପରପକ୍ଷରେ ସୌଭାଗ୍ୟ ଯୋଜନାରେ ଗରିବ ପରିବାରଙ୍କୁ ବିଦ୍ୟୁତ ସଂଯୋଗରେ ବିଳମ୍ବ ନେଇ ମନ୍ତ୍ରୀ ପ୍ରଶ୍ନ କରିବାକୁ ବିଦ୍ୟୁତ ବିଭାଗ ନିର୍ବାହୀ ଅଧିକାରୀ ଫନି ବାତ୍ୟା ନେଇ ସମସ୍ୟା ଉପୁଜିଥିବା କହିଥିଲେ। ତାଙ୍କ କର୍ମଚାରୀ ପୁରୀରେ ରହି ବିଦ୍ୟୁତ ବ୍ୟବସ୍ଥା ସଜାଡୁଥିବାରୁ ଏଠାରେ କାର୍ଯ୍ୟ ବିଲମ୍ବ ହେଉଥିବା ସୁଚିତ କରିଥିଲେ। ପୌରାଂଚଳରେ ନୁତନ ଭାବରେ ନିର୍ମାଣ ହେବାକୁ ଥିବା ବସଷ୍ଟାଣ୍ଡ, ପାର୍କ, ଟାଉନ ହଲ, ରାତ୍ରିକାଳିନ ଆଶ୍ରୟ ସ୍ଥଳ ପାଇଁ ସ୍ଥାନ ନିରୁପଣ କରିବାକୁ ମନ୍ତ୍ରୀ ଶ୍ରୀମତୀ ସାହୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ପୌରାଂଚଳରେ ୨୪୫୪ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ବଣ୍ଟନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ନୁଆମୁଣ୍ଡା ଜଳାଶୟ ପୁନରୁଦ୍ଧାର ପାଇଁ ଆବଶ୍ୟକ ବେଆଇନ ଜବରଦଖଲ ଉଚ୍ଛେଦ ପାଇଁ ପୌର ପରିଷଦ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ତଥା ୩୦୦ଟି ପୋଷ୍ଟ ଜରିଆରେ ସହରର ଆବର୍ଜନା ସଂଗ୍ରହ କରିବା ଲକ୍ଷ୍ୟ ଧାର୍ଯ୍ୟ ରହିଥିବା ନିର୍ବାହି ଅଧିକାରୀ ଶ୍ରୀ ବେହେରା ଅବଗତ କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅରୁଣ ମିଶ୍ର, କମଲାକାନ୍ତ ସାହୁ, କାଉନସିଲର ସୁନିଲ ସାହୁ, ବଲଦେବ ଜାଲ, ହେମନ୍ତ ଚନ୍ଦନ, ସନ୍ତୋଷିନୀ ସୁନାନୀ, ସୁମିତ୍ରା ସେଠ, ଅନିତା ଚନ୍ଦନ, ପୁଷୁ ଜୈନ, ଯୁଧିଷ୍ଠିର ବେହେରା ପ୍ରମୁଖ ବହୁ ନାଗରିକ ଉପସ୍ଥିତ ଥିଲେ।

Comments are closed.