ସୁନ୍ଦରଗଡ଼ ଜିଲାର ରାଜସ୍ୱ ଓ ଜମିଜମା ବିଷୟରେ ବିସ୍ତୃତ ସମୀକ୍ଷା  

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ରାଉରକେଲା ଗସ୍ତ

ରାଉରକେଲା : ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ  ସତ୍ୟବ୍ରତ ସାହୁ ବୁଧବାର ରାଉରକେଲା ଗସ୍ତରେ ଆସି ରାଜସ୍ୱ ଓ ଜମିଜମା ସଂକ୍ରାନ୍ତୀୟ ବିଭିନ୍ନ ପ୍ରସଙ୍ଗ ଉପରେ ସମୀକ୍ଷା କରିଛନ୍ତି । ରାଉରକେଲା ଇସ୍ପାତ କାରଖାନା ସମ୍ପର୍କିତ ଜମିଜମା ପ୍ରସଙ୍ଗ, ରେଜିଷ୍ଟ୍ରେସନ ଅଫିସର ଉନ୍ନତିକରଣ, ଜମି ଅଧିକାର ସଂକ୍ରାନ୍ତୀୟ ପ୍ରସଙ୍ଗ, ବିସ୍ଥାପନ କମିଟି ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସମ୍ପର୍କିତ ଜମିଜମା ବିଷୟରେ ସେ ଅନୁଧ୍ୟାନ କରିଛନ୍ତି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ  ସାହୁ ରାଉରକେଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରି ପ୍ରଶାସନକୁ ହସ୍ତାନ୍ତର ହୋଇଥିବା ଜମି ସବୁ ବୁଲି ଦେଖିଥିଲେ । ବିଭିନ୍ନ ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ଲୋକମାନଙ୍କର ଜମିଜମା ସଂକ୍ରାନ୍ତରେ ରହିଥିବା ଅଭିଯୋଗଗୁଡ଼ିକର ତୁରନ୍ତ ସମାଧାନ କରିବା ପାଇଁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ରାଉରକେଲାରେ ପହଞ୍ଚି ସେ ପ୍ରଥମେ କୋଏଲନଗରଠାରେ ଶିଳ୍ପ ବିସ୍ଥାପିତମାନଙ୍କୁ ଯେଉଁ ଜମି ପ୍ରଦାନ କରାଯିବ ତାହା ବୁଲି ଦେଖିଥିଲେ । ସେହିପରି ବନ୍ଧମୁଣ୍ଡାର ବରକାନିଠାରେ ରାଉରକେଲା ଇସ୍ପାତ କାରଖାନାର ସମ୍ପ୍ରସାରଣ ଏବଂ ଅନ୍ୟାନ୍ୟ ସ୍ଥାନରେ କାରଖାନା ପକ୍ଷରୁ ବିସ୍ଥାପିତ ଲୋକମାନଙ୍କର ଥଇଥାନ ପାଇଁ ଥିବା ଜମି ବିଷୟରେ ମଧ୍ୟ ସେ ସମୀକ୍ଷା କରିଥିଲେ।

୨୦୨୩ରେ ଭୁବନେଶ୍ୱର ସହ ରାଉରକେଲାଠାରେ ପୁରୁଷ ହକି ବିଶ୍ୱକପ୍ ଆୟୋଜନ କରାଯିବ। ଏଥିପାଇଁ ବିପିୟୁଟି କ୍ୟାମ୍ପସଠାରେ ନିର୍ମାଣ କରାଯାଉଥିବା ଦେଶର ସର୍ବବୃହତ୍ ହକି ଷ୍ଟାଡିୟମର ଅଗ୍ରଗତି ସମ୍ପର୍କରେ ଶ୍ରୀ ସାହୁ ଅନୁଧ୍ୟାନ କରିଥିଲେ। ସେହିପରି ପାନପୋଷଠାରେ ଥିବା ସର୍କିଟ ହାଉସର ନବୀକରଣ କରାଯିବା ନେଇ ମଧ୍ୟ ସେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।

ସେହିପରି ସୁନ୍ଦରଗଡ଼ ଜିଲାର  ଜମିଜମା ସଂକ୍ରାନ୍ତୀୟ ତଥ୍ୟକୁ ଡିଜିଟାଲାଇଜ୍ କରିବା ପାଇଁ ହାଇଟେକ୍ ସର୍ଭେ କରାଯାଉଛି । ଏହି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହ ବିଭିନ୍ନ ରାଜସ୍ୱ ଅଧିକାରୀଙ୍କ ସହିତ ଜିଲାର ରାଜସ୍ୱ ତଥା ଜମିଜମା ସଂକ୍ରାନ୍ତୀୟ ଆଲୋଚନା କରିଥିଲେ। ଏହାସହ ଜିଲାରେ  ଥିବା ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକ ନାମରେ ଜମିପଟ୍ଟା କରାଯିବା ନେଇ ମଧ୍ୟ ସମୀକ୍ଷା କରାଯାଇଥିଲା।

ଏହି ଗସ୍ତ ବେଳେ ଜମିଜମା ରେକର୍ଡସ ଆଣ୍ଡ ସର୍ଭେର ନିର୍ଦ୍ଦେଶକ ତୁଷାରକାନ୍ତ ମହାନ୍ତି, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଯୁଗ୍ମ ସଚିବ ଅମୀୟ କୁମାର ସାହୁ, ସୁନ୍ଦରଗଡ଼ ଜିଲାପାଳ  ନିଖିଲ ପବନ କଲ୍ୟାଣ, ରାଉରକେଲା ଅତିରିକ୍ତ ଜିଲାପାଳ  ତଥା ମହାନଗର ନିଗମର କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର, ସୁନ୍ଦରଗଡ଼ ଉପଜିଲାପାଳ  ଅଭିମନ୍ୟୁ ବେହେରା, ପାନପୋଷ ଉପଜିଲାପାଳ  ଦୌଲତ ଚନ୍ଦ୍ରାକର, ରାଉରକେଲା ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ, ପାନପୋଷ ଆରଆଇ ନିରଜ ଗୁପ୍ତା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Comments are closed.