ଖୋଲା ରହିବ ୨୦ ଜିଲ୍ଲାର ସବ୍‌ରେଜିଷ୍ଟ୍ରାର ଓ ରାଜସ୍ବ କାର୍ୟ୍ୟାଳୟ

ଭୁବନେଶ୍ବର: ସମଗ୍ର ଦେଶରେ ଲକ୍‌ଡାଉନ୍ ଅବଧି ମେ’ ୩ ତାରିଖ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଯେଉଁସବୁ ସ୍ଥାନରେ କରୋନା ସଂକ୍ରମଣ ନାହିଁ ସେଠାରେ କଟକଣା କୋହଳ କରାଯିବା ନେଇ ପ୍ରଧାନମନ୍ତ୍ରୀ ଆଭାସ ଦେଇଛନ୍ତି। ଫଳରେ ଆସନ୍ତା ଏପ୍ରିଲ ୨୦ ତାରିଖରୁ ସଂକ୍ରମିତ ୧୦ଟି ଜିଲାକୁ ବାଦ୍ ଦେଇ ଅନ୍ୟ ସମସ୍ତ ଜିଲାରେ ଲକ୍‌ଡାଉନ୍ କଟକଣା କୋହଳ କରାଯିବ। ବିଶେଷକରି ଏପର୍ୟ୍ୟନ୍ତ କରୋନା ଭୂତାଣୁ ଠାରୁ ଦୂରରେ ରହିଥିବା ରାଜ୍ୟର ୨୦ଟି ଜିଲାରେ ଜୀବନଯାତ୍ରା ଅନେକ ମାତ୍ରାରେ ସ୍ବାଭାବିକ ହେବ। ଏନେଇ ଓଡ଼ିଶା ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନୂତନ ନିର୍ଦେଶନାମା ଜାରି କରାଯାଇଛି। ତେବେ କଟକଣା କୋହଳ କରାଗଲେ ମଧ୍ୟ ଏଥିପାଇଁ ବିଭିନ୍ନ କ୍ଷେତ୍ରରେ ସାମାଜିକ ଦୂରତା ଓ ଏଥିପାଇଁ ଧାର୍ୟ୍ୟ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ଼ିଓର(ଏସ୍‌ଓପି) ପାଳନ କରିବା ବାଧ୍ୟତାମୂଳକ ହେବ।

ଏଥିରେ କୁହାଯାଇଛି ଯେ ଆସନ୍ତା ୨୦ ତାରିଖରୁ (ଏସ୍‌ଓପି ସମସ୍ତ) ଆୟୁଷ ହସ୍ପିଟାଲ, କ୍ଲିନିକ, ଔଷଧ ଦୋକାନ, ପାଥୋଲୋଜି, ପ୍ରାଣୀ ଚିକିତ୍ସା​‌ କେନ୍ଦ୍ର ଓ ଔଷଧ ଦୋକାନ, ଆନ୍ତଃରାଜ୍ୟ ମେଡିକାଲ ସାମଗ୍ରୀର ପରିବହନ ଚାଲିବ। ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା କାର୍ୟ୍ୟ ଶେଷ ହେବା ପର୍ୟ୍ୟନ୍ତ ବ୍ୟାଙ୍କଗୁଡ଼ିକ ପୂର୍ବଭଳି ସ୍ବାଭାବିକ ସ୍ଥିତିରେ କାର୍ୟ୍ୟ କରିବ। ଭିଡ଼ ନିୟନ୍ତ୍ରଣ ପାଇଁ ସ୍ଥାନୀୟ ପ୍ରଶାସନ ବ୍ୟାଙ୍କଗୁଡ଼ିକୁ ପର୍ୟ୍ୟାପ୍ତ ସୁରକ୍ଷା ଯୋଗାଇବେ। ସେହିପରି ଅଣ-ଆର୍ଥିକ ଅନୁଷ୍ଠାନଗୁଡ଼ିକ ସ୍ବଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାର୍ୟ୍ୟ କରିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଚିହ୍ନଟ ହୋଇଥିବା ଖୋର୍ଦ୍ଧା, ଭଦ୍ରକ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କଟକ, ପୁରୀ, ଯାଜପୁର, ବାଲେଶ୍ବର, କଳାହାଣ୍ଡି ଓ ଢେଙ୍କାନାଳ ଭଳି ସମ୍ବେଦନଶୀଳ ଜିଲାରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବା ପାଇଁ କୁହାଯାଇଛି। ଡାକଘରଗୁଡ଼ିକ ପୂର୍ବଭଳି କାର୍ୟ୍ୟ କରିବ। ଏହା ସହିତ ପେଟ୍ରୋଲ ଗ୍ୟାସ କିରାସିନ, ସିଏନଜିର ପରିବହନ ଚାଲିବ। ଏହାବାଦ୍‌ ରେସ୍ତୋରାଁରେ ଫୁଡ୍‌ ହୋମ ଡେଲିଭରି କରୁଥିବା ସଂସ୍ଥା ଚାଲିବ। ଏଥିସହିତ ସାଧାରଣ ସାମଗ୍ରୀ ହୋମ ଡେଲିଭରି କରୁଥିବା ଅନ୍‌ଲାଇନ୍ କମ୍ପାନୀ ପୂର୍ବବତ୍ କାର୍ୟ୍ୟ କରିବ। ସେହିପରି ଟେଲିଫୋନ୍ ଏବଂ ମୋବାଇଲ୍‌ ସେବା, କେବୁଲ ସର୍ଭିସ, ଇଣ୍ଟରନେଟ ସେବା ସହିତ ସାଧାରଣ ମରାମତି ଦୋକାନଗୁଡ଼ିକ ଖୋଲା ରହିବ। ଗ୍ୟାରେଜ, ଇଲେକ୍ଟ୍ରିକାଲ୍‌ସ ମରାମତି ଦୋକାନ, ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଉଦ୍ଦିଷ୍ଟ ସମସ୍ତ ଦୋକାନ ଓ ଏହା ସଂପର୍କିତ ଶିଳ୍ପ ଖୋଲା ରହିବ। ବିଦ୍ୟୁତ୍‌ ମରାମତି, ଟିଭି, ଫ୍ରିଜ୍, ଏସି, ପାଣି ପାଇପ୍ କାରିଗର, ବଢ଼େଇ, ମୋବାଇଲ୍ ଫୋନ୍ ଓ କମ୍ପ୍ୟୁଟର ମରାମତି ଦୋକାନ ଖୋଲା ରହିବ। ସେହିପରି ସାଧାରଣ ଜିନିଷପତ୍ର ପରିବହନ କରୁଥିବା ଟ୍ରକ୍‌, ଓ ଅନ୍ୟାନ୍ୟ ଗାଡ଼ିମୋଟର ଚଳାଚଳ କରିବ। ଜରୁରୀ ସାମଗ୍ରୀ ପରିବହନରେ ନିୟୋଜିତ ଯାନବାହନ ଚଳାଚଳ ପାଇଁ ପ୍ରଶାସନ ଅନୁମତି ଦେବ।

ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ, କିନ୍ତୁ ଅଙ୍ଗନବାଡ଼଼ି କର୍ମୀମାନେ ବିଭିନ୍ନ ସାମଗ୍ରୀ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବେ। ଜିଲା ପ୍ରଶାସନର ଅନୁମତି ନେଇ ସ୍ବୟଂସହାୟକ ଗୋଷ୍ଠୀଗୁଡ଼ିକ ସେମାନଙ୍କର ସାମଗ୍ରୀ ତିଆରି କରିପାରିବେ। ଏଥିସହ କୃଷି କ୍ଷେତ୍ର ସହିତ ଜଡ଼ିତ ସମସ୍ତ ଶିଳ୍ପ, ଦୋକାନ, ମଣ୍ଡି ଆଦି ଖୋଲିବାରେ ସମସ୍ୟା ରହିବ ନାହିଁ। ଗ୍ରାମାଞ୍ଚଳରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପଗୁଡ଼ିକ କାର୍ୟ୍ୟ କରିବ। ଗ୍ରାମାଞ୍ଚଳରେ ଇଟାଭାଟି ପୁନଃ କାର୍ୟ୍ୟକ୍ଷମ ହେବ ଏବଂ ପୌରାଞ୍ଚଳ ବାହାରେ ନିର୍ମାଣ କାର୍ୟ୍ୟ ପାଇଁ ଅନୁମତି ମିଳିବ। ଯେଉଁସବୁ ସ୍ଥାନରେ ସରକାରୀ ନିର୍ମାଣ କାର୍ୟ୍ୟ ଅଟକି ରହିଛି ତାହା ତ୍ବରାନ୍ବିତ କରାଯିବ। ସେହିପରି ଜାତୀୟ ରାଜପଥ କଡ଼ରେ ଥିବା ଢାବା, ଗ୍ୟାରେଜ ଓ ଉପକରଣ ଦୋକାନ ଖୋଲାରହିବ। ବିଭାଗ ତରଫରୁ ଜାରି ନିର୍ଦେଶନାମାରେ କୁହାଯାଇଛି ଯେ ଅତ୍ୟାବଶ୍ୟକ ସେବା ସହିତ ଜଡ଼ିତ କ୍ଷେତ୍ରକୁ କାର୍ୟ୍ୟକ୍ଷମ କରିବା ପାଇଁ ଅନୁମତି ଦିଆଯିବ। ତେବେ ଏଥିପାଇଁ ସାମାଜିକ ଦୂରତ୍ବର ଅନୁପାଳନ ବାଧ୍ୟତାମୂଳକ ହେବ। ରାଜ୍ୟରେ କରୋନା ସଂକ୍ରମଣର ହଟସ୍ପଟ ଚିହ୍ନିତ ଅଞ୍ଚଳରେ ପୂର୍ବବତ୍ କଟକଣା ଜାରି ରହିବ, ତେବେ ଅତ୍ୟାବଶ୍ୟକ ସେବା ପାଇଁ ନିୟମରେ କୋହଳ କରାଯିବ।

ଅନ୍ୟପକ୍ଷରେ ଆସନ୍ତା ୨୦ରୁ ରାଜ୍ୟର ୨୦ଟି ଜିଲାର ସବୁ ରାଜସ୍ବ କାର୍ୟ୍ୟାଳୟ ଓ ସବ୍‌ରେଜିଷ୍ଟ୍ରାର କାର୍ୟ୍ୟାଳୟ ଖୋଲିବ। ଏଠାରେ ଶତପ୍ରତିଶତ କାର୍ୟ୍ୟାଳୟ ଚାଲୁ କରିବାକୁ ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ନିର୍ଦେଶ ଦେଇଛନ୍ତି। ଶ୍ରୀ ମହାପାତ୍ର ଶନିବାର ସବୁ ରାଜସ୍ବ ବିଭାଗ ଅଧିକାରୀ ଓ ବୋର୍ଡ ଅଫ୍ ରେଭିନ୍ୟୁକୁ ଅବଗତ କରାଇଛନ୍ତି ଯେ ଗ୍ରୁପ୍-୧ ବର୍ଗର ସବୁ ଅଧିକାରୀ ଏଣିକି ଶତପ୍ରତିଶତ କାର୍ୟ୍ୟାଳୟ ଆସିବାକୁ ବାଧ୍ୟ। ତେବେ ଯେଉଁସବୁ ଜିଲାରେ କରୋନା ମହାମାରୀ ସଂକ୍ରମଣ ଅନୁଭୂତ ହୋଇଛି ସେଠାରେ ସରକାରଙ୍କ ନୀତି ଅନୁଯାୟୀ ସହରାଞ୍ଚଳ ରାଜସ୍ବ କାର୍ୟ୍ୟାଳୟଗୁଡିକ ୩୩ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ। ଏଣିକି ସବୁ ସବରେଜିଷ୍ଟ୍ରାର କାର୍ୟ୍ୟାଳୟରେ ଷ୍ଟାମ୍ପ ଭେଣ୍ଡରମାନେ ୨୦ତାରିଖରୁ ବସି କାର୍ୟ୍ୟ କରିପାରିବେ।

ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି ଯେ ଏପ୍ରିଲ ୨୦ରୁ ସବୁ ଲଘୁ ଖଣିଜ ଉତ୍ସ କାର୍ୟ୍ୟକ୍ଷମ ହେବ। ଏଥିମଧ୍ୟରେ ବାଲିଘାଟ, କ୍ରସର ୟୁନିଟ, ଖଣି ଖନନ ପ୍ରଭୃତି କାର୍ୟ୍ୟ ହୋଇପାରିବ। ତେବେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଚ୍ଚ ୨୯ରେ ଜାରି ନିର୍ଦେଶନାମା ଅନୁଯାୟୀ କର୍ମଚାରୀମାନେ କାର୍ୟ୍ୟାଳୟ ଭିତରେ ସାମାଜିକ ଦୂରତା ବଜାୟ ରଖି କାର୍ୟ୍ୟ କରିବା ଲାଗି ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

Comments are closed.