୨୦୨୦-୨୧ରେ ରାଜସ୍ୱ ସଂଗ୍ରହ ୪୯% ବୃଦ୍ଧି

ଭୁବନେଶ୍ୱର: କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆଣିବା ପାଇଁ ତାଲା ବନ୍ଦ ଭଳି ପ୍ରତିବନ୍ଧକ ସତ୍ତ୍ବେ ୨୦୨୦-୨୧ ଆର୍ଥିକ ବର୍ଷରେ ଅଣଟିକସ ଉତ୍ସରୁ ରାଜସ୍ବ ସଂଗ୍ରହ ଗତ ଆର୍ଥିକ ବର୍ଷ ତୁଳନାରେ ୪୮.୬୩% ବୃଦ୍ଧି ପାଇଛି। ଆର୍ଥିକ ପରିଚାଳନାରେ ୫-ଟି ନୀତିର ପ୍ରଚଳନ ଯୋଗୁଁ ଗତବର୍ଷ ତୁଳନାରେ ରାଜ୍ୟରେ ବିତ୍ତୀୟ ପରିଚାଳନ କ୍ଷେତ୍ରରେ ଉନ୍ନତି ଘଟିଛି। ଅନଲାଇନରେ ସହଜରେ ଟିକସ ପ୍ରଦାନ ଓ ଇ-ରସିଦ ବ୍ୟବସ୍ଥା ରାଜସ୍ବ ସଂଗ୍ରହ କ୍ଷେତ୍ରରେ ସ୍ବଚ୍ଛତା ଆଣିପାରିଛି। ଗୁରୁବାର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ରଙ୍କ ଦ୍ବାରା ଡ଼ିଜିଟାଲ ମାଧ୍ୟମରେ ଅନୁଷ୍ଠିତ ସଚିବ ସ୍ତରୀୟ ବୈଠକରୁ ଏହି ସୂଚନା ମିଳିଛି।

ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ ମିନା ଏ ସଂକ୍ରାନ୍ତରେ ରଖିଥିବା ତଥ୍ୟରୁ ଜଣାପଡ଼ିଛି ଯେ ୨୦୨୦-୨୧ରେ ଟିକସ କ୍ଷେତ୍ରରୁ ମୋଟ ୨୧,୭୭୦.୬୪ କୋଟି ଟଙ୍କା ଆଦାୟ ହୋଇଛି। ୨୦୧୯-୨୦ରେ ଏ ବାବଦରେ ମୋଟ ସଂଗ୍ରହ ଥିଲା ୧୪,୬୪୭କୋଟି ଟଙ୍କା। ସେହିପରି ୨୦୨୦-୨୧ରେ ନିଜସ୍ବ ଟିକସ ୭.୧୧ ପ୍ରତିଶତ ବଢ଼ିଛି। ୨୦୧୯-୨୦ରେ ନିଜସ୍ବ ଟିକସ କ୍ଷେତ୍ରରୁ ମୋଟ ଆଦାୟ ୩୨,୩୧୫କୋଟି ଟଙ୍କା ଥିବାବେଳେ ୨୦୨୦-୨୧ରେ ଏହା ୩୪,୬୧୪କୋଟି ଟଙ୍କାକୁ ବୃଦ୍ଧି ପାଇଛି। ବିଭିନ୍ନ ବିଭାଗର ମୋଟ ଖର୍ଚ୍ଚ ୧,୨୬,୫୦୦କୋଟି ଟଙ୍କା ଅତିକ୍ରମ କରିଛି। କେବଳ କାର୍ଯ୍ୟକ୍ରମ ବାବଦରେ ୫୯,୭୦୦କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ବିଭାଗୱାରୀ ବିତ୍ତୀୟ ପରିଚାଳନାର ପ୍ରଦର୍ଶନ ସଂକ୍ରାନ୍ତରେ ସମୀକ୍ଷା କରିବା ଅବସରରେ ମୁଖ୍ୟ ଶାସନ ସଚିବ ଚଳିତ ଆର୍ଥିକ ବର୍ଷରେ ଉଚ୍ଚ ଅଭିବୃଦ୍ଧି ହାର ବଜାୟ ରଖିବାକୁ ହେଲେ ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ପୁଞ୍ଜି ଖର୍ଚ୍ଚ ତ୍ବରାନ୍ବିତ କରିବାକୁ ପଡ଼ିବ ବୋଲି କହିଛନ୍ତି। ଜୀବିକା ପ୍ରକଳ୍ପ ତଥା ଏ ସଂକ୍ରାନ୍ତ ଯୋଜନାଗୁଡ଼ିକର ଠିକଣା ଭାବେ ତଦାରଖ କରିବାକୁ ଶ୍ରୀ ମହାପାତ୍ର ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନଙ୍କୁ ନିର୍ଦେଶ ଦେଇଛନ୍ତି। ପ୍ରକଳ୍ପଗୁଡ଼ିକର ପ୍ରଚଳନ ପାଇଁ ଅର୍ଥ ବିଭାଗ ସାଧାରଣ ପ୍ରଶାସନ ବିଭାଗକୁ ଅଧିକ ଆର୍ଥିକ କ୍ଷମତା ପ୍ରଦାନ ନିମନ୍ତେ ବୈଠକରେ ସ୍ଥିର ହୋଇଛି।

ଏହି ବୈଠକରେ ଜିଲା ଖଣିଜ ପାଣ୍ଠି (ଡିଏମଏଫ) ଓ ଓଡ଼ିଶା ଖଣି ଅଞ୍ଚଳ ବିକାଶ ନିଗମ (ଓମ୍ବାଡ଼ସ) ଅଧୀନରେ ପ୍ରଚଳନ କରାଯାଇଥିବା ଯୋଜନାଗୁଡ଼ିକର ସମୀକ୍ଷା କରାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ ୨୦୨୧ ମାର୍ଚ୍ଚ ସୁଦ୍ଧା ଡିଏମଏଫରୁ ୧୨,୩୭୬କୋଟି ଟଙ୍କା ସଂଗ୍ରହ ହୋଇଥିବାବେଳେ ବିଭିନ୍ନ ଜିଲା ପାଇଁ ୧୩,୭୪୯କୋଟି ମୂଲ୍ୟର ୧୯୪୯୬ଟି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି। ମଞ୍ଜୁରିପ୍ରାପ୍ତ ପ୍ରକଳ୍ପ ମଧ୍ୟରୁ ୨୦୨୧ ମାର୍ଚ୍ଚ ଶେଷ ସୁଦ୍ଧା ୧୨,୮୪୮ଟି ସମ୍ପୂର୍ଣ୍ଣ ହୋଇଛି। ସେହିପରି ଓମ୍ବାଡ଼ସ ଅଧୀନରେ ଦ୍ବିତୀୟ ପର୍ଯ୍ୟାୟରେ ପ୍ରାୟ ୧୯ହଜାର କୋଟି ଟଙ୍କା ସଂଗ୍ରହ ହୋଇଥିବାବେଳେ ଏଥିରୁ ୩୮ଟି ପ୍ରକଳ୍ପ ବାବଦରେ ୧୪,୦୪୩କୋଟି ଟଙ୍କା ମଞ୍ଜୁର ହୋଇଛି। ଏସବୁ ପ୍ରକଳ୍ପ ନିର୍ମାଣ ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯାଉଛି। ବୈଠକରେ ଉନ୍ନୟନ କମିସନର ପ୍ରଦୀପକୁମାର ଜେନା, କୃଷି ଉତ୍ପାଦନ କମିସନର ରାଜକୁମାର ଶର୍ମା, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଓ ଅନ୍ୟ ବିଭାଗର ସଚିବମାନେ ଉପସ୍ଥିତ ଥିଲେ।

Comments are closed.