ଯାତାୟତରେ ଅଙ୍କୁଶ ଲଗାଇବେ ଉପଜିଲାପାଳ

ଟିଟିଲାଗଡ଼ : ସରକାରଙ୍କ ନିୟମ ମୁତାବକ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅଧିକାରୀ, କର୍ମଚାରୀ ନିଜ ହେଡକ୍ୱାଟରରେ ରହିବା ଜରୁରୀ ରହିଛି। ହେଲେ ଉଚ୍ଚସ୍ତରୀୟଙ୍କ ଖାମଖିଆଲି ମନୋଭାବ ନେଇ ଗ୍ରାମପଂଚାତ ସ୍ତରୀୟ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ସହରର ବିଭିନ୍ନ କାର୍ଯ୍ୟାଳୟର କର୍ମଚାରୀ ମନମୁତାବକ ଯାତାୟତ ହେବା ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟରେ ବାଧା ଉପୁଜୁଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ କରୋନା ମହାମାରୀ ସମୟରେ ଅଧିକାରୀ କର୍ମଚାରୀଙ୍କ ଯାତୟତା ସ୍ଥାନୀୟ ସହରବାସୀଙ୍କ ନିଦ ହଜାଇ ଦେଇଛି। ଏନେଇ ଆଜି ଟିଟିଲାଗଡ ନଗର କଂଗ୍ରେସ ସଭାପତି ପ୍ରଭାସ ବହିଦାର, ବ୍ଲକ କଂଗ୍ରେସ ସଭାପତି ତୁଲସି ସାହୁ, ବରିଷ୍ଠ ନେତା ଦେବାନନ୍ଦ ସାହୁ, ଗରିବ ସେନା ସଭାପତି ବିରେନ୍ଦ୍ର ବାଗ, ସାରଙ୍ଗ ବାଗ ପ୍ରମୁଖଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ଟିଟିଲାଗଡ ଉପଜିଲାପାଳ ସୌମେଶ ଉପାଧ୍ୟାୟଙ୍କ ଠାରେ ଫେରାଦ ହୋଇଛନ୍ତି। ସହରରେ ଅଦ୍ୟାବଧି ସଂକ୍ରମଣ ନିୟନ୍ତ୍ରଣରେ ରହିଥିବା ବେଳେ ସଂକ୍ରମିତ ବଲାଙ୍ଗିର ସହରରୁ ନିତ୍ୟ କର୍ମଚାରୀ ଯାତାୟତ ବିପଦ ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି। ଏନେଇ ତୁରନ୍ତ ଯାତାୟତ ଉପରେ ଅଙ୍କୁଶ ଲଗାଇବା ପାଇଁ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ସହରରେ ସଂକ୍ରମଣରୁ ସୁରକ୍ଷା ନେଇ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏନେଇ ଉପଜିଲାପାଳ ପ୍ରତିଶୃତି ଦେଇଥିବା ଜଣାଯାଇଛି।

Comments are closed.