ଦୋଳ ଓ ହୋଲି ଉପରେ ଅଙ୍କୁଶ

ମେଳଣ ପଡ଼ିଆରେ ୨ ଶହ ଲୋକଙ୍କୁ ଅନୁମତି,-ନାଚ, ଗୀତ, ଲାଇଟ, ଡିଜେ ଓ ଜନଗହଳିକୁ ବାରଣ,-ଏକାଠି ହୋଲି ଖେଳିବା ମନା

କଟକ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଗାମୀ ଦୋଳ ମେଳଣ ଓ ହୋଲି ଖେଳ ଉପରେ କଟକଣା ଜାରି କରାଯାଇଛି। କଟକଣା ଭିତରେ ଏହାକୁ ପାଳନ କରିବାକୁ ନିର୍ଦେଶ ଜାରି କରାଯାଇଛି। ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ଗାଇଡଲାଇନ ଅନୁସାରେ ଦୋଳ ଉତ୍ସବରେ ଜନସମାଗମକୁ ଅନୁମତି ଦିଆଯିବନାହିଁ। ତେବେ ମନ୍ଦିର ଓ ଧର୍ମାନୁଷ୍ଠାନରେ ପରମ୍ପରା ଅନୁସାରେ ଦୋଳ ଉତ୍ସବ କୋଭିଡ କଟକଣା ମାନି ପାଳନ କରାଯିବ। ଜିଲାପାଳ ବା ମହାନଗର କମିଶନରଙ୍କ ଅନୁମତିକ୍ରମେ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ଦୋଳ ମେଲଣ ଆୟୋଜନ କରାଯାଇପାରିବ।
ଅନ୍ୟପକ୍ଷରେ ଆସନ୍ତା ୨୮ ଓ ୨୯ ତାରିଖରେ ସର୍ବସାଧାରଣ ସ୍ଥାନରେ ହୋଲି ଉତ୍ସବ ପାଳନକୁ ନିଷିଦ୍ଧ କରାଯାଇଛି। ଲୋକମାନେ ନିଜ ଘରେ ପରିବାର ଲୋକଙ୍କ ସହ ହୋଲି ଉତ୍ସବ ପାଳନ କରିପାରିବେ। ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ବା ମହାନଗର କମିଶନର ଅତିରିକ୍ତ କଟକଣା ଲଗାଇପାରିବେ।
କଟକରେ ଦୋଳ ଯାତ୍ରା ଲାଗି କମିଶନରେଟ୍ ପୋଲିସ ଶୁକ୍ରବାର ମାର୍ଗଦର୍ଶିକା ଜାରିକରି ସମସ୍ତ ଥାନା ଅଧିକାରୀଙ୍କୁ ଏନେଇ ନିର୍ଦେଶ ଦେଇଛନ୍ତି। କଟକ ପାଇଁ ଜାରି ମାର୍ଗଦର୍ଶିକାରେ ପର୍ବ ପାଳନ ବେଳେ ମେଳଣ ପଡ଼ିଆରେ ୨୦୦ରୁ ଅଧିକ ଲୋକ ଏକାଠି ହୋଇ ପାରିବେ ନାହିଁ।
ପ୍ରତି ବିମାନରେ ବ୍ରାହ୍ମଣ, ଘଣ୍ଟୁଆକୁ ମିଶାଇ ମୋଟ ୧୦ ଜଣ ଭିତରେ ରହିପାରିବେ। ଏହାସହ ମେଳଣରେ ଡିଜେ ଓ ଶୋଭାଯାତ୍ରା (ପ୍ରୋସେସନ୍‌) ହେବନାହିଁ। ମେଳଣ ପଡ଼ିଆରେ ମାଇକ୍, ଡିଜେକୁ ଅନୁମତି ନାହିଁ। ସେହିପରି କେହି ଲାଠି କି ବାଡ଼ି ନେଇ ଆସିପାରିବେନାହିଁ। ଦୋଳ ମେଳଣ ବେଳେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ପାରିବନାହିଁ। ଯଥାସମ୍ଭବ ନିଜ ଘରେ ହୋଲି ପାଳିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। ତେବେ ଜାରି ଗାଇଡଲାଇନ ଉଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ସୂଚନାଯୋଗ୍ୟ କଟକରେ ପୁଣି କରୋନା ସଂକ୍ରମଣ ଦେଖାଦେଇଥିବାରୁ ଆଗାମୀ ସମାବେଶକୁ ଦୃଷ୍ଟିରେ ରଖି ଏଭଳି କଟକଣା ଜାରି କରାଯାଇଛି।

Comments are closed.