କାଶ୍ମୀର ପ୍ରସଙ୍ଗରେ ପୁଣି ନିରାଶ ପାକିସ୍ଥାନ; ଜାତିସଂଘ ସୁରକ୍ଷା ପରିଷଦ ଖାରଜ କଲା ଆଲୋଚନା ପ୍ରସ୍ତାବ

ୱାଶିଂଟନ: ଜାମ୍ମୁକାଶ୍ମୀର ପ୍ରସଙ୍ଗରେ ପୁଣି ଥରେ ପାକିସ୍ଥାନକୁ ଲାଗିଛି ବଡ଼ ଧକ୍କା । ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସାମିଲ ଦେଶଗୁଡ଼ିକ କାଶ୍ମୁରକୁ ଦ୍ବିପାକ୍ଷିକ ପ୍ରସଙ୍ଗ ଉଲ୍ଲେଖ କରିବା ପରେ ପାକିସ୍ଥାନ ପୁଣିଥରେ ନିରାଶ ହୋଇଛି । ନିରାପତ୍ତା ପରିଷଦର ସଦସ୍ୟ ରାଷ୍ଟ୍ରଗୁଡ଼ିକ କାଶ୍ମୀର ପ୍ରସଙ୍ଗରେ ବର୍ତମାନ ସମୟ ଓ ଧ୍ୟାନ ଦିଆଯିବାର ଆବଶ୍ୟକତା ନାହିଁ ବୋଲି ମତ ଦେବା ପରେ ପାକିସ୍ଥାନର ଉଦ୍ୟମ ପୁଣି ବିଫଳ ହୋଇଛି । ରୁଦ୍ଧ କୋଠରୀରେ ଜାତିସଂଘ ନିରାପତ୍ତା ପରିଷଦର ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଛି ଏବଂ ଚୀନ ସହଯୋଗରେ ଏହି ପ୍ରସଙ୍ଗକୁ ଆନ୍ତର୍ଜାତିକସ୍ତରରେ ପୁଣିଥରେ ଉଠାଇବାକୁ ପାକିସ୍ଥାନର ଯୋଜନା ଫସରଫାଟି ଯାଇଛି । ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ୍.ତିରୁମୁର୍ତି କହିଛନ୍ତି ଯେ କିଛି ସଦସ୍ୟ ରାଷ୍ଟ୍ର କହିଛନ୍ତି ଯେ ଜାମ୍ମୁକାଶ୍ମୀର ଭାରତ ଓ ପାକିସ୍ଥାନ ମଧ୍ୟରେ ଦ୍ବିପାକ୍ଷିକ ପ୍ରସଙ୍ଗ । ପାକିସ୍ଥାନ ପକ୍ଷରୁ ଚୀନ ଏହି ପ୍ରସଙ୍ଗ ଉଠାଇଥିଲେ ମଧ୍ୟ ଅନ୍ୟ ଦେଶଗୁଡ଼ିକର ସମର୍ଥନ ଅଭାବରୁ ତାହା ବିଫଳ ହୋଇ ଯାଇଛି ।


ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରଥ​‌ମେ ଆମେରିକା ଏହି ପ୍ରସଙ୍ଗ ସମ୍ପର୍କରେ କୌଣସି ଆଲୋଚନା ପ୍ରସ୍ତାବକୁ ଖାରଜ କରି ଦେଇଥିଲା । ଏହାପ​‌ରେ ଅନ୍ୟ ଦେଶଗୁଡ଼ିକ ମିଳିତ ଜାତିସଂଘରେ ଏହି ପ୍ରସଙ୍ଗ ଉଠାଇବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଥିଲେ । ଏହା ଏକ ଅନୌପଚାରିକ ବୈଠକ ଏବଂ ଏହି ପ୍ରସଙ୍ଗରେ କୌଣସି ଆଲୋଚନା ରେକଡ଼ଭୁକ୍ତ ହୁଏ ନାହିଁ କିମ୍ବା ଗଣମାଧ୍ୟମକୁ ଏ ସମ୍ପର୍କରେ କୌଣସି ବିବୃତି ପ୍ରଦାନ କରାଯାଇଥାଏ

ତିରୁମୂର୍ତୀ ଏ କଥା ମଧ୍ୟ କହିଛନ୍ତି ଯେ ୧୯୬୫ ମସିହା ନଭେମ୍ବର ପରେ ସୁରକ୍ଷା ପରିଷଦର କୌଣସି ଔପଚାରିକ ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇନାହିଁ । ୨୦୧୯ ଅଗଷ୍ଟ ଓ ୨୦୨୦ ଜାନୁଆରୀରେ କାଶ୍ମୀର ପ୍ରସଙ୍ଗରେ ଦୁଇଥର ଅନୌପଚାରିକ ଆଲୋଚନା ହୋଇଛି । ଯାହାର କୌଣସି ମୂଲ୍ୟ ନାହିଁ କିମ୍ବା ଏହାର କୌଣସି ବିବରଣୀ ପ୍ରକାଶ କରାଯାଇ ନାହିଁ । ଆନ୍ତର୍ଜାତିକ ସମୁଦାୟକୁ ଭାରତ କାଶ୍ମୀର ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛି । ଏଥିରେ ଜାମ୍ମୁକାଶ୍ମୀରରୁ ୩୭୦ ଧାରା ଉଚ୍ଛେଦକୁ ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି ଉଲ୍ଲେଖ କରି ଏଥିରେ ପାକିସ୍ଥାନ ଅନାବଶ୍ୟକ ମୁଣ୍ଡ ଖେଳାଉଛି ବୋଲି ବୁଝାଇବାରେ ସକ୍ଷମ ହୋଇଛି ବୋଲି ତିରୁମୂର୍ତି କହିଛନ୍ତି ।

Comments are closed.