ଗୁଜରାଟରେ ଦଳ ଛାଡ଼ିଲେ ଆଉ ଜଣେ କଂଗ୍ରେସ ବିଧାୟକ

ଗୁଜରାଟ : ଗୁଜରାଟରେ ରାଜ୍ୟସଭା ନିର୍ବାଚନ ପୂର୍ବରୁ ସୋମବାର ଆଉ ଜଣେ କଂଗ୍ରେସ ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି। ଯାହା କଂଗ୍ରେସ ପାଇଁ ଚିନ୍ତାର କାରଣ ପାଲଟିଛି। ସୋମବାର ଦଳ ଛାଡ଼ିଥିବା ବିଧାୟକଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ ୫ଜଣ ଦଳ ଛାଡିଛନ୍ତି। ଏନେଇ ଗୁଜରାଟ ବିଧାନସଭା ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀ ସୋମବାର ଗୃହକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ଏପର୍ଯ୍ୟନ୍ତ ପାଞ୍ଚ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି ଏବଂ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରାଯାଇଛି। ବର୍ତ୍ତମାନ ୧୮୨ ସଦସ୍ୟ ବିଶିଷ୍ଟ ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୭୩ ରୁ ୬୮କୁ ହ୍ରାସ ପାଇଛି।
ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀ ଇସ୍ତଫା ଦେଇଥିବା ପାଞ୍ଚଜଣ କଂଗ୍ରେସ ବିଧାୟକଙ୍କ ନାମ ଘୋଷଣା କରିଛନ୍ତି। ଦଳ ଛାଡ଼ିଥିବା ପାଞ୍ଚ ଜଣ ବିଧାୟକ ହେଉଛନ୍ତି, ଗଢଡାର ପ୍ରବୀଣ ମାରୁ, ଅବଦସାର ପ୍ରଦ୍ୟୁମ୍ନ ସିଂହ ଜାଡେଜା, ଲିମ୍ବଡିର ସୋମା କୋଲି ପଟେଲ, ଧାରୀରୁ ଜେ.ଭି କାକଡିଆ ଏବଂ ଡାଙ୍ଗରୁ ମଙ୍ଗଲ।

Comments are closed.