ଶିଶୁକନ୍ୟା ଗଳା କାଟି ହତ୍ୟା ଉଦ୍ୟମ ଘଟଣା: ପୀଡ଼ିତା ସହ ହୋଇଥିଲା ଗଣଦୁଷ୍କର୍ମ- ଅତିରିକ୍ତ ଏସପି

ବ୍ରହ୍ମପୁର: ଗଞ୍ଜାମ ଜିଲାରେ ୫ ବର୍ଷର ଶିଶୁକନ୍ୟାଙ୍କୁ ଗଳା କାଟି ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ। ଶିଶୁକନ୍ୟା ସହିତ ଗଣଦୁଷ୍କର୍ମ ହୋଇଥିବା ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଅତିରିକ୍ତ ଏସପି। ଶିଶୁକନ୍ୟା ଜଣକ ଏବେ ଗୁରୁତର ଅବସ୍ଥାରେ କଟକ ଏସସିବିରେ ଚିକିତ୍ସାଧୀନ ଅଛନ୍ତି।

ଅତିରିକ୍ତ ଏସପିଙ୍କ ସୂଚନା ଅନୁସାରେ, ଶିଶୁକନ୍ୟାକୁ ଅଭିଯୁକ୍ତମାନେ ବଳପୂର୍ବକ ଉଠାଇ ନେଇ ଗଣଦୁଷ୍କର୍ମ କରିଥିଲେଶିଶୁକନ୍ୟାଟି ପ୍ରତିବାଦ କରିବାରୁ ତାକୁ ମାଡ଼ ମାରିଥିଲେ। ଏପରି କି ତା’ର ମୁଣ୍ଡ, ମୁହଁ ଏବଂ କାନକୁ ଭଙ୍ଗା ଇଟାରେ ଛେଚି ଦେଇଥିଲେ। ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଘଟଣାସ୍ଥଳରୁ ରକ୍ତଲଗା ଭଙ୍ଗା ଇଟା ଜବତ ହୋଇଛି।

ପୁଲିସ ପୋକ୍‌ସୋ ଆକ୍ଟରେ ମାମଲା ରୁଜୁ କରିଛି। ଏହା ସହିତ ଦଫା ୩୬୫, ୩୬୬, ୩୭୬ ଡି(ବି), ୩୦୭, ୩୪ ଆଇପିସିରେ ମାମଲା ରୁଜୁ କରାଯାଇଛି। ଶିଶୁକନ୍ୟାକୁ ଏବେ କଟକ ଏସସିବି ମେଡିକାଲ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି।

ସୂଚନାଯୋଗ୍ୟ, ଗତ ୨୮ ତାରିଖ ପୂର୍ବାହ୍ନରେ ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିଲା। ଶିଶୁକନ୍ୟାକୁ ଗୁରୁତର ଅବସ୍ଥାରେ ପ୍ରଥମେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯିବା ପରେ ସେଠାରୁ କଟକ ସ୍ଥାନାନ୍ତର କରାଯାଇଥିଲା। ଗ୍ରାମବାସୀ ୨ ଅଭିଯୁକ୍ତଙ୍କୁ ଧରି ନିସ୍ତୁକ ପିଟିବା ସହିତ ପୁଲିସ ଜିମା ଦେଇଥିଲେ।

Comments are closed.