ଉଦ୍ଧାର ପ୍ରେମିକ-ପ୍ରେମିକାଙ୍କୁ କରୋନା; ପୁଲିସ ଛାନିଆଁ

ନୀଳଗିରି: ଉଦ୍ଧାର ହୋଇଥିବା ପ୍ରେମିକ-ପ୍ରେମିକାଙ୍କୁ କରୋନା। ଏହି ଖବର ଜାଣିବା ପରେ ପୁଲିସ ଛାନିଆଁ ହୋଇପଡ଼ିଛି। ଉଦ୍ଧାର ହୋଇଥିବା ପ୍ରେମୀଯୁଗଳଙ୍କ ବିରୋଧରେ ପଦକ୍ଷେପ ନେବା ପରିବର୍ତ୍ତେ ପୁଲିସ ପକ୍ଷରୁ ସେମାନଙ୍କୁ କୋଭିଡ-୧୯ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବାଲେଶ୍ୱର ଜିଲା ନୀଳଗିରି ଥାନା ତଥା ସ୍ଥାନୀୟ ମେଡିକାଲ ପଛପାଖର ଚିମିନିଭାଟି ଅଞ୍ଚଳର ଜଣେ ନାବାଳିକାକୁ ଡାଲିଙ୍ଗିଆ ଗାଁର ରମାନିଆ ମୁପଲି ପରିଆ (୨୫) ନାମକ ଜଣେ ଯୁବକ ୪/୫ଦିନ ପୂର୍ବରୁ ଅପହରଣ କରି ନେଇଥିଲେ। ନାବାଳିକାର ପରିବାର ସେମାନଙ୍କ ପତ୍ତା ଲଗାଇ ବାରିକପୁର ନିକଟ ଅସମିଳା ଅଞ୍ଚଳରୁ ଉଦ୍ଧାର କରି ନୀଳଗିରି ପୁଲିସକୁ ହସ୍ତାନ୍ତର କରିଥିଲେ। ଏନେଇ ନୀଳଗିରି ପୁଲିସ ପକ୍ଷରୁ ଏକ ଅପହରଣ ଓ ବଳାତ୍କାର ମାମଲା ମଧ୍ୟ ରୁଜୁ କରାଯାଇଛି। ତେବେ ପୁଲିସ ପକ୍ଷରୁ ସେମାନଙ୍କୁ ଡାକ୍ତରୀମାଇନା କରାଯିବା ପୂର୍ବରୁ ସ୍ୱାବ ପରୀକ୍ଷା କରାଯାଇଥିଲା। ଉଭୟ ପ୍ରେମୀଯୁଗଳଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ପୁଲିସ ଛାନିଆଁ ହୋଇପଡ଼ିଛି। ଅଭିଯୁକ୍ତ ପ୍ରେମିକକୁ ଜେଲ ପଠାଇବା ଏବଂ ପ୍ରେମିକାକୁ ପିତାଙ୍କୁ ହସ୍ତାନ୍ତର କରିବା ପରିବର୍ତ୍ତେ ସେମାନଙ୍କୁ ବାଲେଶ୍ୱର କୋଭିଡ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନେ ସେଠାରୁ ସୁସ୍ଥ ହୋଇ ଫେରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ତଦନ୍ତକାରୀ ଅଫିସର ତଥା ଏସଆଇ ସସ୍ମିତା ମଲିକ କହିଛନ୍ତି।

Comments are closed.