କେଉଁ ଜିଲାରେ କିଏ ଉଡ଼ାଇବେ ତ୍ରିରଙ୍ଗା: ୨୦ ଜିଲାରେ ମନ୍ତ୍ରୀ, ୧୨ସ୍ଥାନରେ ରାଜସ୍ବ ଆୟୁକ୍ତ ଓ ଜିଲାପାଳ

ଭୁବନେଶ୍ବର: ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ୨୦ଜିଲାରେ ମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବେ। ଅନ୍ୟ ୧୨ ସ୍ଥାନରେ ତିନି ରାଜସ୍ବ ଆୟୁକ୍ତ ଏବଂ ୯ ଜିଲାପାଳ ପତାକା ଉତ୍ତୋଳନ କରିବା କାର୍ଯ୍ୟକ୍ରମ ରହିଛି। ସୂଚନା ଅନୁଯାୟୀ ସମ୍ବଲପୁରରେ ଆୟୋଜିତ ଜିଲାସ୍ତରୀୟ ପତାକା ଉତ୍ତୋଳନ ସମାରୋହରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଜାତୀୟ ପତାକା ଉତ୍ତୋଳନ କରିବେ। ସେହିପରି କଟକରେ ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ନୟାଗଡ଼ରେ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମୟୂରଭଞ୍ଜ‌େ‌ର ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବରଗଡ଼ରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଅନୁଗୋଳରେ ପଞ୍ଚାୟତିରାଜ ଓ ନଗର ଉନ୍ନୟନ ପ୍ରତାପ ଜେନା ଓ ସୁବର୍ଣ୍ଣପୁରରେ କୃଷି ମନ୍ତ୍ରୀ ଅରୁଣ ସାହୁ ପତାକା ଉତ୍ତୋଳନ କରିବେ।

ସେହିପରି କେନ୍ଦୁଝରରେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ସୁନ୍ଦରଗଡ଼ରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ, ନୂଆପଡ଼ାରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ଗଞ୍ଜାମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ମାଲକାନଗିରିରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡ଼ାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ବାଲେଶ୍ୱରରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, କେନ୍ଦ୍ରାପଡ଼ାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଜଗତସିଂହପୁରରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କନ୍ଧମାଳରେ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ପୁରୀରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ନବରଙ୍ଗପୁରରେ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଓ କୋରାପୁଟରେ କ୍ରୀଡ଼ା ଏବଂ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଜାତୀୟ ପତାକା ଉତ୍ତୋଳନ କରିବେ। ଏହାବାଦ୍ ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ରାଉରକେଲାରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଓ ଖୋର୍ଦ୍ଧାରେ କେନ୍ଦ୍ରୀୟ ରାଜସ୍ୱ ଆୟୁକ୍ତ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥିଭାବେ ଯୋଗଦେବେ। ବଲାଙ୍ଗୀର, ଭଦ୍ରକ, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଜପତି, ଯାଜପୁର, ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲାରେ ଜିଲାପାଳମାନେ ହିଁ ପତାକା ଉତ୍ତୋଳନ କରିବେ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆଚରଣ ବିଧି ଯୋଗୁଁ ସାଧାରଣତନ୍ତ୍ର ଦିବସରେ ନିଜସ୍ବ ଜିଲାରେ ମନ୍ତ୍ରୀମାନେ ପତାକା ଉତ୍ତୋଳନ କରିପାରିବେ ନାହିଁ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିକଟରେ ନିର୍ଦେଶନାମା ଜାରି ହୋଇଥିଲା। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଅତିଥିଙ୍କ ତାଲିକା ଜାରି ହୋଇଛି।

ଏହି ସମୟରେ ଅତିଥିମାନେ ତାଙ୍କ ଭାଷଣ କେବଳ ରାଷ୍ଟ୍ର, ସ୍ୱାଧୀନତା ସଂଗ୍ରାମୀ, ସହିଦ ଏବଂ ରାଷ୍ଟ୍ରର ଜୟଗାନ ମଧ୍ୟରେ ସୀମିତ ରଖି‌େ‌ବ। କୌଣସି ପ୍ରକାର ସରକାରଙ୍କ ଯୋଜନାର ସଫଳତା ସମ୍ପର୍କରେ ବଖାଣିବେ ନାହିଁ। ସରକାର କିମ୍ବା ବିଭିନ୍ନ ବିଭାଗ ଦ୍ୱାରା ସରକାରୀ ଯୋଜନା ଓ ସଫଳତାର ଚିତ୍ର ବହନ କରୁଥିବା ପ୍ରଜ୍ଞାପନ ମେଢ଼କୁ ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ ଚଳିତଥର ପାଇଁ ନିଷିଦ୍ଧ ଘୋଷଣା କରାଯାଇଛି। ତେବେ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ଯଥାରୀତି ଅନୁଷ୍ଠିତ ହୋଇପାରିବ। ଏ ସମ୍ପର୍କରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସମସ୍ତ କ୍ୟାବିନେଟ୍‍, ରାଷ୍ଟ୍ର ପାହ୍ୟା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସମସ୍ତ ଆର୍‍ଡିସି ଏବଂ ଜିଲାପାଳଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି।

Comments are closed.