କୃଷି ଆଇନ ପ୍ରତ୍ୟାହାର ଗଣତନ୍ତ୍ରର ବିଜୟ

କୃଷି ଆଇନ ରଦ୍ଦ କରିବା ନିଷ୍ପତ୍ତି କୃଷକଙ୍କ ମନୋବଳ ଦୃଢ କରିବାସହ ଦେଶର ଗଣତାନ୍ତ୍ରିକ ଆନ୍ଦୋଳନ ଉପରେ ନାଗରିକଙ୍କ ଆସ୍ଥା ବଢ଼ାଇବ

ଶେଷରେ କେନ୍ଦ୍ର ସରକାର ତିନି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର କରିନେଇଛନ୍ତି। ଏହା ଆମ ସମ୍ବିଧାନ ଓ ଗଣତନ୍ତ୍ରର ବିଜୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଶାସନ ସ୍ଥାୟୀ କିନ୍ତୁ ଶାସକ ତ ଅସ୍ଥାୟୀ। ଶାସନ କର୍ତ୍ତାଙ୍କ ଶାସନର ଦୀର୍ଘତା ଅପେକ୍ଷା ଶାସକର କର୍ମ ଓ ଦକ୍ଷତାକୁ ଇତିହାସ ଧରି ରଖେ। ଗଣତାନ୍ତ୍ରିକ ବ୍ୟବସ୍ଥା ଖାଲି ଲୋକଙ୍କ ଦ୍ବାରା ନୁହେଁ, ଲୋକଙ୍କ ପାଇଁ। ଲୋକଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ପ୍ରତିନିଧି ଶାସନ ବ୍ୟବସ୍ଥାର ମୂଳ ଲକ୍ଷ୍ୟ। ଏକ ବର୍ଷ ଧରି ୩ ବିବାଦୀୟ କୃଷି ଆଇନ ବିରୋଧରେ ଧାରଣା ଓ ଆନ୍ଦୋଳନ କରୁଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ତଥା କୃଷକ ସମୂହର ବିଜୟ ପ୍ରତିପାଦିତ କରୁଛି ଯେ, ଶାସକମାନେ ଯେତେ କ୍ଷମତାଶାଳୀ ହୋଇଥାନ୍ତୁ ନା କାହିଁକି ଜନତାର ସ୍ବର ଆଗରେ ଶାସନ ନତମସ୍ତକ ହେବା ପାଇଁ ବାଧ୍ୟ। ଦେଖିବାକୁ ଗଲେ କୃଷି ଆନ୍ଦୋଳନ ଭାରତର ସ୍ବାଧୀନତା ସଂଗ୍ରାମର ଅଂଶ ଥିଲା। ବିହାରର ୧୯୧୭ ଚମ୍ପାରଣ କୃଷି ଆନ୍ଦୋଳନ କିମ୍ବା ସର୍ଦାର ପଟେଲଙ୍କ ୧୯୨୮ ବ​‌େ​‌ର୍ଦାଲି ଆନ୍ଦୋଳନ ସ୍ବାଧୀନତା ସଂଗ୍ରାମକୁ ବଳ ଦେଇଥିଲା। କୃଷି ଭଳି ଗୁରୁତ୍ବପୂର୍ଣ୍ଣ ବିଷୟକୁ ନ୍ୟୂନ କରି, ସାମ୍ବିଧାନିକ ବ୍ୟବସ୍ଥାର ଅପପ୍ରୟୋଗ କରି କୃଷି ଆନ୍ଦୋଳନକୁ ବଦନାମ କରିବାର ସମସ୍ତ ସରକାରୀ ପ୍ରୟାସ ବିଫଳ ହୋଇଛି। କୃଷି ଆଇନ ଯେଭଳି ଢଙ୍ଗରେ କେନ୍ଦ୍ର ସରକାର ସଂସଦରେ ୨୦୨୦ ମସିହା ସେପ୍ଟେମ୍ବରରେ ଗୃହୀତ କରାଇନେଲେ ଓ ଆଇନର ପର୍ଯ୍ୟାଲୋଚନା ପାଇଁ ସିଲେକ୍ଟ କମିଟି ଗଠନ ପାଇଁ ବିରୋଧୀ ଦଳର ଦାବିକୁ ଉପେକ୍ଷା କରି କୃଷି ବିଷୟ ଉପରେ ରାଜ୍ୟର ଅଧିକାରକୁ କ୍ଷୁଣ୍ଣ କରିବା ପାଇଁ ଉଦ୍ୟମ କଲେ ତାହା ଲୋକତନ୍ତ୍ରର ଇତିହାସରେ ଏକ ଦୁର୍ଭାଗ୍ୟପୂର୍ଣ୍ଣ ଅଧ୍ୟାୟ ହୋଇ ରହିଯିବ। ଏଭଳି ତରବରିଆ ଭାବେ ଆଇନ ଗୃହୀତ କରିବା ପ୍ରତିବାଦରେ ଶାସକ ମେଣ୍ଟରୁ ତାର ଅଂଶୀଦାର ଥିବା ଶିରୋମଣି ଦଳ ଓହରିଗଲା। ରାଜ୍ୟପାଳ ପଦରେ ରହି ମଧ୍ୟ ସତ୍ୟପାଲ ମଲିକ କୃଷକ ଆନ୍ଦୋଳନ ସପକ୍ଷରେ ନିଜ ମତ ରଖି ‘କୃଷକଙ୍କ କଥା ନ ଶୁଣିଲେ’ ନିର୍ବାଚନରେ ବି.ଜେ.ପି ବିପର୍ଯ୍ୟୟ ଭୋଗିବ’ ବୋଲି କହିବା ଏକ ବିଶିଷ୍ଟ ଘଟଣା; କାରଣ ପଦରେ ରହି ମୂଲ୍ୟବୋଧକୁ ଟେକି ରଖିବା ଯେ ଗୁରୁତ୍ବପୂର୍ଣ୍ଣ ତାହାକୁ ଶ୍ରୀ ମଲିକ ନିଜର ନିର୍ଭୀକତା, ସତ୍ୟାନୁବର୍ତ୍ତିତା ଦ୍ବାରା ପ୍ରତିପାଦିତ କରିଛନ୍ତି।
ଏହି କୃଷକ ଆନ୍ଦୋଳନ ବହୁ ଦିଗରୁ ଐତିହାସିକ ଅଟେ। ଏହା ବିଶ୍ବର ପ୍ରଥମ ଦୀର୍ଘ ଓ ଶାନ୍ତିପୂର୍ଣ୍ଣ କୃଷକ ଆନ୍ଦୋଳନ ରୂପେ ଏକ ସ୍ବର୍ଣ୍ଣମୟ ଅଧ୍ୟାୟ ହୋଇ ରହିବ। ସମସ୍ତ ଅପପ୍ରଚାର ଓ ଆକ୍ରୋଶର ଶିକାର ହୋଇ ମଧ୍ୟ କୃଷକ ସଂଗଠନ ଏହି ତିନି ଆଇନ ଚାଷୀଙ୍କ ଅପେକ୍ଷା ପୁଞ୍ଜିପତିଙ୍କୁ ଅଧିକ ସୁହାଇବ ଓ ସରକାରୀ ମଣ୍ଡିଗୁଡ଼ିକ ଦୁର୍ବଳ ହୋଇ କୃଷି କୃଷକଙ୍କ ନିୟନ୍ତ୍ରଣରୁ ହଟି ପୁଞ୍ଜିପତିମାନଙ୍କ ହାତକୁ ଚାଲିଯିବ ଅଭିଯୋଗ କରି ସଂଯୁକ୍ତ କିଷାନ ମୋର୍ଚ୍ଚା ଆନ୍ଦୋଳନକୁ ଚଳାଇ ରଖିଲା। କୃଷକ ଆନ୍ଦୋଳନକୁ ବଦନାମ କରିବା ପାଇଁ ଶାସକ ଦଳର କିଛି ନେତା ଏହି ଆନ୍ଦୋଳନକୁ ଖଲିସ୍ତାନୀ ଓ ସନ୍ତ୍ରାସବାଦୀଙ୍କ ଦ୍ବାରା ପରିଚାଳିତ ବୋଲି ଚିତ୍ରଣ କଲେ। ଜଣେ ଅଭିନେତ୍ରୀ ତ ଆନ୍ଦୋଳନକୁ ସନ୍ତ୍ରାସବାଦୀଙ୍କ ଦ୍ବାରା ପରିଚାଳିତ ବୋଲି କହିଥିବା ନେଇ ସମ୍ବାଦ ପ୍ରକାଶ ପାଇଥିଲା, ଯେ କି ନିକଟରେ ଏକ ଉଚ୍ଚ ଉପାଧିରେ ସମ୍ମାନିତ ହୋଇଛନ୍ତି। ଆଉ ଜଣେ ବି.ଜେ.ପି ନେତା କୃଷକ ଆନ୍ଦୋଳନ ବିରୋଧରେ ଲାଠି ଉଠାଇବା ପାଇଁ ଆହ୍ବାନ ଦେଇଥିଲେ। ଗତ ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ଯାତ୍ରାରେ କିଛି ବାହାର ଲୋକଙ୍କ ଉପଦ୍ରବକୁ କେନ୍ଦ୍ର କରି ଆନ୍ଦୋଳନକୁ ବଦନାମ କରିବା ପାଇଁ ଉଦ୍ୟମ ହୋଇଥିଲା। ଏହି ଆନ୍ଦୋଳନ ଉପରେ ସମ୍ବାଦ ପ୍ରକାଶକୁ ନେଇ କିଛି ସାମ୍ବାଦିକଙ୍କ ଉପରେ ମୋକଦ୍ଦମା ମଧ୍ୟ କରାଯାଇଥିଲା। ଏଠି ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନିର୍ବାଚନରେ ସରକାରୀ ମଞ୍ଚ ବ୍ୟବହାର କରିଥିବା କାରଣରେ ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟ ତାଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା କରିଥିଲେ। ଠିକ ଏହା ପରେ ତାଙ୍କର ଅହଙ୍କାରୀ ଶାସନ ଲୋକନାୟକ ଜୟପ୍ରକାଶଙ୍କ ଆନ୍ଦୋଳନକୁ ଡରିଯାଇ ଜରୁରୀ ପରିସ୍ଥିତି ଜାରି କରିଥିଲା ଓ ବିରୋଧୀ ଦଳ ନେତାମାନଙ୍କୁ ବନ୍ଦୀ କରିଦିଆଗଲା। ସମ୍ବାଦପତ୍ରର କଣ୍ଠରୋଧ କରାଯାଇଥିଲା। ଜରୁରୀ ପରିସ୍ଥିତି ଜନିତ ଏଭଳି ଭୟ ଓ ଆତଙ୍କର ମେଘକୁ ଅବଶେଷରେ ଦେଶର ଜନତା ଜନାର୍ଦନ ଭୋଟ ମାଧ୍ୟମରେ ହଟାଇ ଦେଇଥିଲେ, ଯାହା ନାଗରିକ ଅଧିକାରର ପୁନଃ ସ୍ଥାପନ ଦିଗରେ ସହାୟକ ହୋଇଥିଲା। ଅନ୍ୟପକ୍ଷରେ ସର୍ବୋଚ୍ଚ ନ୍ୟାୟାଳୟ ସମ୍ବିଧାନ ପ୍ରଦତ୍ତ ନାଗରିକ ସ୍ବାଧୀନତାକୁ ଜରୁରୀ ପରିସ୍ଥିତିରେ ଅଚଳ କରି ଦେଇ ନିଷ୍କ୍ରିୟ ରହିଲେ।
ଏକ ଗଣତାନ୍ତ୍ରିକ ଆନ୍ଦୋଳନ ଉପରେ ହସ୍ତକ୍ଷେପ ବା କୌଣସି କଟକଣା କରାଯିବା ସମ୍ବିଧାନର ମୌଳିକ ଉଦ୍ଦେଶ୍ୟର ପରିପନ୍ଥୀ। ସର୍ବୋଚ୍ଚ ନ୍ୟାୟାଳୟ ଗତ ଗଣତନ୍ତ୍ର ଉତ୍ସବ ପୂର୍ବରୁ କୃଷକଙ୍କ ଦାବି ଉପରେ ତର୍ଜମା ପାଇଁ ୪ ଜଣିଆ କମିଟି ଗଠନ କରିଥିଲେ ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କୃଷକଙ୍କ ଅଧିକାର ବୋଲି କହିଥିଲେ। ଏହାକୁ ନେଇ କିଛି ମୁଖ୍ୟ ଇଂରାଜୀ ଖବରକାଗଜ କୃଷି ଆଇନର ସାମ୍ବିଧାନିକ ବୈଧତା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେବା ଅଧିକ ଗ୍ରହଣୀୟ ହୋଇଥାନ୍ତା ବୋଲି ଉଲ୍ଲେଖ କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରା ଗଠିତ କୃଷି କମିଟିର ଜନୈକ ସଦସ୍ୟ ଅନିଲ ଘନୱଟ ଆଇନ ପ୍ରତ୍ୟାହାରକୁ ସରକାରଙ୍କ ନିର୍ବାଚନ ରଣନୀତି ବୋଲି ମତ ରଖିଛନ୍ତି। କିଛି ସ୍ତମ୍ଭକାରଙ୍କ ମତରେ ହିମାଚଳ ପ୍ରଦେଶର ସବୁ ଉପନିର୍ବାଚନରେ ହାରିବା ପରେ ଓ ଆସନ୍ନ ଉତ୍ତର ପ୍ରଦେଶ ନିର୍ବାଚନକୁ ଦୃଷ୍ଟିରେ ରଖି ବି.ଜେ.ପି ସରକାର ଆଇନ ରଦ୍ଦ କରିବା ନେଇ ଘୋଷଣା କରିବାକୁ ବାଧ୍ୟ ହେଲା।
ଯେଉଁ ପୃଷ୍ଠଭୂମି ନେଇ ସରକାର ୩ କୃଷି ଆଇନ ରଦ୍ଦ ପାଇଁ ନିଷ୍ପତ୍ତି ନେଇଥାନ୍ତୁ ନା କାହିଁକି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ସ୍ବାଗତଯୋଗ୍ୟ। ଆଇନ କରିବା ଓ ରଦ୍ଦ କରିବା ଏକ ନିର୍ବାଚିତ ସରକାରର ଅଧିକାର; କିନ୍ତୁ ଭୋଟ ପାଇଁ ଆଇନ ହେବା ବା ଆଇନ ରଦ୍ଦ ହେବାକୁ ଶୁଦ୍ଧ ଗଣତାନ୍ତ୍ରିକ ପରମ୍ପରା କୁହାଯାଇ ପାରିବ ନାହିଁ। କୃଷକ ନେତା ରାକେଶ ଟିକାୟତ କୃଷକ ଆନ୍ଦୋଳନ ହଠାତ୍‌ ବନ୍ଦ ହେବନି ବରଂ ସଂପୃକ୍ତ ଆଇନ ପ୍ରତ୍ୟାହାର ନେଇ ସଂସଦର ଆଗାମୀ ଅଧିବେଶନରେ ଆଇନ ଗୃହୀତ ହେବା ପର୍ଯ୍ୟନ୍ତ ଓ ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥାକୁ ଆଇନର ରୂପରେଖ ଦିଆଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିପାରେ ବୋଲି ଘୋଷଣା କରିଛନ୍ତି ।
ଏହି ଆଇନ ଦଶ କୋଟି ଗରିବ ଚାଷୀଙ୍କର ଉପକାର କରିଥାନ୍ତା ବୋଲି କେନ୍ଦ୍ର ସରକାରଙ୍କ ବର୍ତ୍ତମାନ ସଫେଇ ଏକ ପରବର୍ତ୍ତୀ ଚିନ୍ତା; କାରଣ ତିନି/ତିନି ଜଣ କେନ୍ଦ୍ର ମନ୍ତ୍ରୀ, ସମଗ୍ର କେନ୍ଦ୍ର ସରକାରଙ୍କ ପ୍ରଚାରତନ୍ତ୍ର ଓ କିଛି ଗଣମାଧ୍ୟମ ଏହି ଆଇନର ତଥାକଥିତ ଉପାଦେୟତା ବିଷୟରେ ଦିନରାତି ସଫେଇ ଦେଇ ନାଗରିକଙ୍କୁ ବୁଝାଇବାରେ ଅସମର୍ଥ ହେଲେ। ବିତର୍କ ଏବଂ ଭିନ୍ନମତ ଗଣତନ୍ତ୍ରର ମୂଳଭିତ୍ତି। ଶାନ୍ତିପୂର୍ଣ୍ଣ ପ୍ରତିବାଦ ଗଣତନ୍ତ୍ରକୁ ଦୃଢ କରେ, ଯେଉଁଥିପାଇଁ ସରକାର ପକ୍ଷରେ ଅହଂକାର ତ୍ୟାଗକରି ଆଲୋଚନାର ପନ୍ଥା ଗ୍ରହଣ କରିବା ଅନିବାର୍ଯ୍ୟ ଅଟେ। ଏହି ତିନି ବିବାଦୀୟ କୃଷି ଆଇନ ରଦ୍ଦ କରିବା ନିଷ୍ପତ୍ତି ଭାରତୀୟ କୃଷକଙ୍କ ମନୋବଳ ଦୃଢ କରିବା ସଙ୍ଗେ ସଙ୍ଗେ ଦେଶର ଗଣତାନ୍ତ୍ରିକ ଓ ଅହିଂସା ଆନ୍ଦୋଳନ ଉପରେ ନାଗରିକମାନଙ୍କ ଆସ୍ଥା ବଢାଇବ। ଆନ୍ଦୋଳନ କାଳରେ ଖରା ବର୍ଷା ଶୀତ ଓ କରୋନା ପ୍ରଭାବରେ ଯେଉଁ କୃଷକମାନେ ନିଜ ଜୀବନକୁ ବଳିଦାନ କରିଦେଲେ ସେମାନଙ୍କ ଆତ୍ମା ସଦଗତି ଲାଭ କରୁ। ୧୧ ଡିସେମ୍ବର, ୧୯୪୬ରେ ସମ୍ବିଧାନ ସଭାରେ ଡ. ଏସ୍ ରାଧାକୃଷ୍ଣନ୍ ଉଦାହରଣ ଛଳରେ କହିଥିଲେ ‘ମୃଦୁନା ଦାରୁଣମ୍ ହନ୍ତି..’ (ମହାଭାରତ); ଯାହାର ଅର୍ଥ ‘କୋମଳତା କଠିନକୁ ମଧ୍ୟ ଧ୍ବଂସ କରିପାରେ’। ତାଙ୍କର ଏ ଦୃଷ୍ଟାନ୍ତ କୃଷି ଆଇନ ରଦ୍ଦ ନିଷ୍ପତ୍ତିରେ ପ୍ରତିଫଳିତ ହେବା ଭଳି ଜଣାପଡୁଛି। ଆଶା, ଉଭୟ ପକ୍ଷ ଦେଶ ହିତ ପାଇଁ ସଂଯମ ଓ ଧୀରତା ରକ୍ଷାକରି ପରବର୍ତ୍ତୀ ନିଷ୍ପତ୍ତି ନେବେ।

ରାମଚନ୍ଦ୍ର ପଣ୍ଡା
ପୂର୍ବତନ ଉପବାଚସ୍ପତି,ଓଡ଼ିଶା ବିଧାନସଭା
pandarcp@gmail.com

Comments are closed.