ପ୍ରସିଦ୍ଧ ଚିତ୍ରକାର ସତୀଶ ଗୁଜରାଲଙ୍କ ପରଲୋକ

ନୂଆଦିଲ୍ଲୀ: ବିଶିଷ୍ଟ ଚିତ୍ରକାର, ଲେଖକ ତଥା ପଦ୍ମ ବିଭୂଷଣରେ ସମ୍ମାନିତ ସତୀଶ ଗୁଜରାଲଙ୍କର ୯୪ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଆଇ.କେ. ଗୁଜରାଲଙ୍କ ସାନ ଭାଇ ଥିଲେ। ଏହା ସହିତ ସେ ଜଣେ ପ୍ରସିଦ୍ଧ ମୂର୍ତ୍ତିକାର ଏବଂ ବାସ୍ତୁକାର ମଧ୍ୟ ଥିଲେ। କଳା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ୧୯୯୯ରେ ପଦ୍ମ ବିଭୂଷଣରେ ସମ୍ନାନିତ କରିଥିଲେ। ୧୯୨୫ରେ ଲାହୋରରେ ଜନ୍ମିତ ଗୁଜରାଲ ଦେଶ ବିଭାଜନ ପରେ ଶିମଲା ଚାଲିଯାଇଥିଲେ। ସେଠାରେ ସେ ଚିତ୍ରକାର ଜୀବନ ଆରମ୍ଭ କରିଥିଲେ। ସେ କିରଣ ଗୁଜରାଲଙ୍କ ବିବାହ କରିଥିଲେ। ଉତ୍କୃଷ୍ଟ ଚିତ୍ରକଳା ପାଇଁ ତାଙ୍କୁ ମେକ୍ସିକୋର ‘ଲିୟୋନାର୍ଡୋ ଦା ଭିନ୍ସି’ ଏବଂ ବେଲଜିୟମ ରାଜାଙ୍କ ‘ଅର୍ଡର ଅଫ କ୍ରାଉନ’ ସମ୍ମାନରେ ସମ୍ମାନିତ ହୋଇଥିଲେ।

Comments are closed.