ଗଙ୍ଗୁଆ ପୁନରୁଦ୍ଧାର : ପଡ଼ି ରହିଛି ୮କୋଟିର ପ୍ରସ୍ତାବ

ଉତ୍ତରଭୁବନେଶ୍ୱର : ରାଜ୍ୟର ସମସ୍ତ ସହର ତୁଳନାରେ ଭୁବନେଶ୍ୱର ସର୍ବାଧିକ ପ୍ରଦୂଷିତ ଏବଂ ବିଭିନ୍ନ ନଦୀ ଅବବାହିକା ମଧ୍ୟରୁ ଗଙ୍ଗୁଆ ଧାର ସର୍ବାଧିକ ପ୍ରଦୂଷିତ ବୋଲି ୨୦୧୯ ନଭେମ୍ବରରେ ତତ୍କାଳୀନ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପରିବେଶ ସମ୍ପର୍କିତ ଗୃହ କମିଟି ବୈଠକରେ ମତପ୍ରକାଶ ପାଇଥିଲା। ଏହି ପ୍ରଦୂଷଣ ରାଜଧାନୀବାସୀଙ୍କ ପାଇଁ ବଡ଼ ବିପଜ୍ଜନକ ହେବ ବୋଲି ପରିବେଶବିତ ମତ ରଖିଥିଲେ। ତେବେ ଉପକଣ୍ଠରେ ପ୍ରବାହିତ ପୁରାତନ ଐତିହ୍ୟ ଗଙ୍ଗୁଆ ନଦୀ ଏବେ ବିଭିନ୍ନ ଅଦରକାରି ସାମଗ୍ରୀ, ଅଳିଆ ଆବର୍ଜନା ଏବଂ କଟକୀ ଦଳ ଦ୍ୱାରା ନିଜର ଅସ୍ଥିତ୍ୱ ହରାଇବାକୁ ବସିଲାଣି। ଡମପଡ଼ା ଅଭୟାରଣ୍ୟ ଅଞ୍ଚଳରୁ ଜଟଣୀ ନିର୍ବାଚନମଣ୍ଡଳୀ ପର୍ଯ୍ୟନ୍ତ ୬୫ କି.ମି ଧରି ଲମ୍ବିଥିବା ଏହି ଗଙ୍ଗୁଆ ନାଳଟି ଭୁବନେଶ୍ୱରର ଏକ ପ୍ରମୁଖ ଜଳ ନିଷ୍କାସନ ପଥ ହୋଇଥିବା ବେଳେ ଏଥିପ୍ରତି ପ୍ରଶାସନିକ ଅବହେଳା ପରିଲକ୍ଷିତ ହେଉଛି। ବିଏମସି , ଡ୍ରେନେଜ ବିଭାଗ ଓ ପ୍ରଦୂଷଣ ବୋର୍ଡ କେହିହେଲେ ଏଥିପ୍ରତି ଦୃଷ୍ଟି ଦେଉ ନଥିବା ଅଭିଯୋଗ ହେଉଛି।

ଭୁବନେଶ୍ୱରର ବର୍ଷାଜଳ ଓ ଡ୍ରେନେଜ୍‌ ପାଣି ନିଷ୍କାସିତ ହେଉଥିବା ଏହି ନାଳର ପୁନରୁଦ୍ଧାର ପାଇଁ ବାରମ୍ବାର ଅଞ୍ଚଳବାସୀଙ୍କ ଦାବିକୁ ଗୁରୁତ୍ୱ ଦେଇ ବିଜୁବାବୁଙ୍କ ସମୟରେ ଏହାର କିଛି ମାତ୍ରାରେ ଖନନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହାର ଖନନ ହୋଇ ନଥିବା ବେଳେ ଗତ ୪/୫ ବର୍ଷ ତଳେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଭାବେ ଉପର ମୁଣ୍ଡରୁ ରସୁଲଗଡ଼ ପର୍ଯ୍ୟନ୍ତ ଖନନ କରାଯାଇଛି। ଅବଶିଷ୍ଟ ଜଟଣୀ ପର୍ଯ୍ୟନ୍ତ କେଉଁଠି ଖନନ ହୋଇଛି ତ କେଉଁଠି ହୋଇ ନାହିଁ। ଖନନ ହୋଇ ନଥିବା ସ୍ଥାନରେ ବର୍ଷା ଜଳ ବିଭିନ୍ନ ଗ୍ରାମ ଭିତରକୁ ପ୍ରବେଶ କରି ବ୍ୟାପକ କ୍ଷତି ଘଟାଉଛି। ଏତଦ୍‍ବ୍ୟତୀତ ଗତ କିଛି ବର୍ଷ ଧରି କଟକୀ ଦଳ ସହିତ ଜବରଦଖଲ ଯୋଗୁଁ ଜଳ ନିଷ୍କାସନ ସମସ୍ୟା ଉତ୍କଟ ହେବାର ଆଶଙ୍କା ପ୍ରକାଶ ପାଇଛି।
ଗଙ୍ଗୁଆକୁ ପରିଷ୍କାର କରାଯାଇ ଜବରଦଖଲମୁକ୍ତ କରାନଗଲେ ଆଗାମୀ ଦିନରେ ଭୁବନେଶ୍ୱର ପାଇଁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ବୋଲି ପରିବେଶବିତ ମତପ୍ରକାଶ କରିଛନ୍ତି। ୨୦୩୦ ଭିଜନକୁ ଲକ୍ଷ୍ୟ ରଖି ବିଡିଏ ପକ୍ଷରୁ ପ୍ଲାନ୍‌ ଆରମ୍ଭ ହୋଇଥିଲା। ଏହି ଭିଜନରେ ଉଭୟ ପାର୍ଶ୍ବରେ ଶହେ ଫୁଟିଆ ରାସ୍ତା ଗଙ୍ଗୁଆର ଧାର ୮୦ଫୁଟ୍‌ ଚଉଡ଼ା ରହିବା ବ୍ୟବସ୍ଥା ମଧ୍ୟ ହେବ ବୋଲି ସୂଚନା ମିଳିଥିଲା। ଇତିମଧ୍ୟରେ ୮ ବର୍ଷ ବିତିଯାଇଥିଲେ ମଧ୍ୟ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଗଙ୍ଗୁଆର ପୁନରୁଦ୍ଧାର ହୋଇପାରିନାହିଁ।

ବିନାୟକ ରଥ (ପୂର୍ବତନ କୁଳପତି, ଉତ୍କଳ ବିଶ୍ୱବିଦ୍ୟାଳୟ): ଗଙ୍ଗୁଆ ପୂର୍ବରୁ ସବୁଜ ନୀଳ ଜଳରାଶିରେ ପରିପୂର୍ଣ୍ଣ ଥିଲା। ଖାରବେଳଙ୍କ ରାଜୁତି ସମୟରେ ଭୁବନେଶ୍ୱର ସହରର ୩ ପାର୍ଶ୍ବରେ ଲମ୍ବିଥିଲା ଓ ଏହା ଏକ ନଦୀ ଭାବେ ଖ୍ୟାତ ଥିଲା। ଗଙ୍ଗୁଆକୁ ନଦୀର ମାନ୍ୟତା ଦିଆଯାଇ ପାରିଲେ ଭୁବନେଶ୍ୱରର ଜଳ ସଙ୍କଟକୁ ଅନେକାଂଶରେ ଏହା ଦୂର କରିବାରେ ସହାୟକ ହୋଇପାରନ୍ତା।
ସୁଦର୍ଶନ ଦାସ (ମହାନଦୀ ବଞ୍ଚାଅ ଆନ୍ଦୋଳନର ମୁଖ୍ୟ): ହାଇଦରାବାଦରେ ମୁଷି ନଦୀ ଗଙ୍ଗୁଆ ଭଳି ପରିତ୍ୟକ୍ତ ହୋଇ ପଡ଼ିଥିଲା। ସେଠାକାର ସରକାର ଓ ରାଜନେତାଙ୍କ ଇଚ୍ଛାଶକ୍ତି ଯୋଗୁଁ ତାହା ଏବେ ପର୍ଯ୍ୟଟନ ସ୍ଥଳୀ ପାଲଟିଛି। ଏହା ଆମ ସରକାର ଏଠାରେ ମଧ୍ୟ କରିପାରନ୍ତେ। ଗଙ୍ଗୁଆ ନଦୀ ପୂର୍ବରୁ ଗଙ୍ଗବତୀ ନାମରେ ନାମିତ ଥିଲା। ଏହାର ପୁନରୁଦ୍ଧାର ଜରୁରୀ।

ବାସୁଦେବ ଭଟ୍ଟ (ଗଙ୍ଗୁଆ ବଞ୍ଚାଅ ଆନ୍ଦୋଳନ ମୁଖ୍ୟ): ଗତବର୍ଷ ଭୁବନେଶ୍ୱରର ୩ ବିଧାୟକ ଏବଂ ସାଂସଦ ଏ ସମ୍ପର୍କରେ ଗୃହରେ ଦାବି ଉପସ୍ଥାପନ କରି ସମାଧାନ କରିବେ ବୋଲି ଆନ୍ଦୋଳନକାରୀଙ୍କୁୁ ପ୍ରତିଶ୍ରୁତି ଦେଇଥିଲେ। ସେହି ଅନୁସାରେ ସାଂସଦ ଗୃହରେ ଦାବି କରି କିଛି ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସମସ୍ତେ ନିରବିଯାଇଛନ୍ତି।
ଆଶୁତୋଷ ଦାସ (ନିର୍ଦେଶକ, ଡ୍ରେନେଜ୍‌ ବିଭାଗ): ଗଙ୍ଗୁଆର ଜଳ ପ୍ରଦୂଷଣ ମୁକ୍ତ କରିବା ଏବଂ ବନ୍ୟା ନିୟନ୍ତ୍ରଣ ଲକ୍ଷ୍ୟରେ ବିଭାଗ ପକ୍ଷରୁ ଡ୍ରଇଁ କରାଯାଇଛି। ଡିଜାଇନିଂ ଶେଷ ହୋଇଛି। ସରକାରଙ୍କୁ ୭/୮ କୋଟି ଟଙ୍କାର ଏକ ପ୍ରସ୍ତାବ ଦିଆଯାଇଛି। ପୁନରୁଦ୍ଧାର ପାଇଁ ଯେଉଁ ବଡ଼ ପ୍ରକଳ୍ପ ହେବାର ଥିଲା ଏବେ ତାହା ସରକାରଙ୍କ ବିଚାରାଧୀନ ରହିଛି।
ନିଲୁ ଖୁଣ୍ଟିଆ (ଗଙ୍ଗୁଆ ବଞ୍ଚାଅ ଆନ୍ଦୋଳନ ଆଞ୍ଚଳିକ ଆବାହକ): ସଂଗ୍ରାମ ଜାରି ରହିଛି। କରୋନା ପାଇଁ କିଛିଟା ଭଟ୍ଟା ପଡ଼ିଛି। ଆମାଗୀ ଦିନରେ ଗଙ୍ଗୁଆର ପୁନରୁଦ୍ଧାର ନହେଲେ ଜଳ ନିଷ୍କାସନ ହୋଇନପାରି ଭୁବନେଶ୍ୱର ବୁଡ଼ିବ ଏବଂ ସହର କ୍ଷତିଗ୍ରସ୍ତ ହେବ ଏଥିରେ ସନ୍ଦେହ ନାହିଁ।

 

Comments are closed.