ବରମୁଣ୍ଡା ବସ୍‌ଷ୍ଟାଣ୍ଡ : ୧୮ମାସରେ ନବକଳେବର

ଭୁବନେଶ୍ବର : ବରମୁଣ୍ଡା ବସ୍‌ଷ୍ଟାଣ୍ଡର ନବକଳେବର ଚାଲିଛି। ରାଜ୍ୟର ଏକମାତ୍ର ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ଭାବେ ବିକାଶ କାର୍ଯ୍ୟ ତ୍ବରାନ୍ବିତ ହେଉଛି। ଏହାକୁ ପୂର୍ବ ଭାରତର ପ୍ରମୁଖ ବସ୍‌ ଟର୍ମିନାଲ ଭାବରେ ଗଢ଼ି ତୋଳିବାକୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି। ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ବିକାଶ କାର୍ଯ୍ୟ ସରକାର ହାତକୁ ନେଇଛନ୍ତି। ଗତବର୍ଷ ଡିସେମ୍ବର ୧୦ରେ ମୁଖ୍ୟମନ୍ତ୍ରୀ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରି ୧୮ ମାସରେ(ଜୁନ୍‌, ୨୦୨୨ ସୁଦ୍ଧା) ସମ୍ପୂର୍ଣ୍ଣ ହେବ ବୋଲି ଘୋଷଣା କରିଥିଲେ। ୧୮୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଅତ୍ୟାଧୁନିକ ବସ୍‌ ଟର୍ମିନାଲ ସରିବା ପରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକର୍ପଣ ହେବ। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷାକୁ ମାସେ ପୂରି ୧୮ଦିନ ବିତିଗଲାଣି। ଟର୍ମିନାଲ ନିମନ୍ତେ ମୂଳଦୁଆ ଖୋଳା ସରିଛି। କିଛିଦିନ ପୂର୍ବରୁ ମୂଳଦୁଆରେ ଢଳେଇ ଆରମ୍ଭ ହୋଇଛି। ଏହାପରେ ଟର୍ମିନାଲର ମୁଖ୍ୟ କୋଠା ନିର୍ମାଣ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ହେଲେ ବସ୍‌ ରହିବାକୁ ସ୍ଥାନ ନ ଥିବାରୁ ଷ୍ଟାଣ୍ଡର ସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ବସ୍‌ କର୍ମଚାରୀଙ୍କଠାରୁ ଯାତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ କଲବଲ ହେଉଛନ୍ତି।

ମିଳୁନି ଜାଗା: ଷ୍ଟାଣ୍ଡର ପ୍ରବେଶ ପଥ ବନ୍ଦ ହୋଇଛି। ଉକ୍ତ ସ୍ଥାନରେ ଟର୍ମିନାଲର ମୂଳଦୁଆ ନିମନ୍ତେ ମାଟି ଖୋଳାଯାଇଛି। ବରମୁଣ୍ଡା ଓଭରବ୍ରିଜ୍‌ ଦେଇ ବସ୍‌ଷ୍ଟାଣ୍ଡର ପ୍ରସ୍ଥାନ ପଥରେ ବସ୍‌ ଯିବାଆସିବା କରୁଛି। ଫଳରେ ପ୍ରବଳ ଭିଡ଼ ଲାଗୁଛି। ବସ୍‌ ବା ଯାତ୍ରୀ ଦୀର୍ଘ ସମୟ ଅପେକ୍ଷା କରିବା ପରେ ଷ୍ଟାଣ୍ଡକୁ ଯିବାର ସୁଯୋଗ ପାଉଛନ୍ତି। ଷ୍ଟାଣ୍ଡ ଭିତରେ ବସ୍‌ ରଖିବାକୁ ସ୍ଥାନ ନାହିଁ। ଚାଳକ ଏବଂ ଯାତ୍ରୀଙ୍କ ଶୌଚ ନିମନ୍ତେ ମଧ୍ୟ ବହୁ ସମସ୍ୟା ସୃଷ୍ଟି ହେଉଛି। ଷ୍ଟାଣ୍ଡର ନବକଳେବର ପୂର୍ବରୁ ଆବଶ୍ୟକ ଭିତ୍ତିଭୂମି କାମ ହୋଇ ନ ଥିବାରୁ ଏଠାରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି। ସ୍ଥାନୀୟ ବସିନ୍ଦା ବାପି ବେହେରା କହିଛନ୍ତି, ବସ୍‌ଗୁଡ଼ିକ ଦୀର୍ଘ ସମୟ ଧରି ଓଭରବ୍ରିଜ୍‌ ରାସ୍ତାରେ ଅଟକି ରହୁଛି। ଫଳରେ ଯା’ଆସ କରିବା ସମ୍ଭବ ହେଉନି।

୧ରୁ ରାସ୍ତାରେ ରହିବ ବସ୍‌ : ଭୁବନେଶ୍ବର ବସ୍‌ ମାଲିକ ସଂଘ ସାଧାରଣ ସମ୍ପାଦକ ବରଦା ଆଚାର୍ଯ୍ୟ କହିଛନ୍ତି, ଷ୍ଟାଣ୍ଡର ୭୦ ଭାଗ ଖୋଳାଯାଇଛି। ବସ୍‌ ରଖିବାକୁ ସ୍ଥାନ ନାହିଁ। ଏକ ସମୟରେ ୪୦୦ ବସ୍‌ ରଖିବା ମୁସ୍କିଲ ହେଉଛି। ଓୟୁଏଟି ଫାର୍ମ ନିକଟରେ ୭ ଏକର ଜମିରେ ଆଇଡିଆଲ ପାର୍କିଂ କାମ ଜାରି ରହିଛି। କେବେ ସରିବ ଜଣାପଡ଼ିନି। କାମ ମନ୍ଥର ଗତିରେ ଚାଲିଛି। ବିଡିଏ ଆଇଡିଆଲ ପାର୍କିଂ କାର୍ଯ୍ୟ ସାରି ବସ୍‌ ରଖିବାକୁ ବନ୍ଦୋବସ୍ତ ନ କଲେ ଜଟିଳ ପରିସ୍ଥିତି ସୃଷ୍ଟି ହେବ। ଆସନ୍ତା ମାସ ପହିଲାରୁ ଆମେ ମୁଖ୍ୟ ରାସ୍ତାରେ ବସ୍‌ ରଖିବୁ। ପାର୍କିଂ ସ୍ଥାନ ନ ଥିବାରୁ ଆଉ ଓଏସ୍‌ ଆର୍‌ଟିସିକୁ ପାର୍କିଂ ଫି’ ଦେବୁ ନାହିଁ। ଚଳାଚଳ ବନ୍ଦ ହେଲେ ଏଥିପାଇଁ ବିଡିଏ ଦାୟୀ ରହିବ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।
ସେହିପରି ଯୁଗ୍ମ ସମ୍ପାଦକ ଉପେନ୍ଦ୍ର ପ୍ରଧାନ କହିଛନ୍ତି, ବସ୍‌ଷ୍ଟାଣ୍ଡ ଅଧା ଅଞ୍ଚଳରେ ନିର୍ମାଣ କାମ ଏବଂ ଅନ୍ୟ ଅଞ୍ଚଳରେ ବସ୍‌ ଚଳାଚଳ କରିବାକୁ ବିଡିଏ ପକ୍ଷରୁ ପ୍ରତିଶ୍ରୁତି ମିଳିଥିଲେ ବି ତାହା ପୂରଣ ହୋଇନି। ଏବେ ପ୍ରବେଶପଥ ବନ୍ଦ ହେବା ସହିତ ଅଳ୍ପ ଅଞ୍ଚଳରେ ବସ୍‌ ରହୁଛି। କରୋନା ସଂକ୍ରମଣ ହ୍ରାସ ପାଇବାରୁ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇଛି।

ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି

‘ନିର୍ଦ୍ଧାରିତ ସମୟରେ ସରିବ କାର୍ଯ୍ୟ’ : ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି, ଅସ୍ଥାୟୀ ବସ୍‌ ଡିପୋ କାମ ପ୍ରାୟତଃ ସରି ଗଲାଣି। ବସ୍‌ ରହିବାରେ ଆଉ କିଛି ସମସ୍ୟା ହେବନି। ସେହିପରି ନୂତନ ଟର୍ମିନାଲ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ନିର୍ଦ୍ଧାରିତ ସମୟରେ ଶେଷ ହୋଇଯିବ।
୬ ଦୋକାନ ହଟିଲା : ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଗୁରୁବାର ଜବରଦଖଲ ହଟିଛି। ବିଡିଏ ପକ୍ଷରୁ ଷ୍ଟାଣ୍ଡର ଉଭୟ ପ୍ରବେଶ ଏବଂ ପ୍ରସ୍ଥାନରେ ବେଆଇନ ନିର୍ମାଣ ଭଙ୍ଗାଯିବା ସହିତ ଗୋଟିଏ ଟିକଟ କାଉଣ୍ଟର, ଦୁଇଟି ଟିଣ ଦୋକାନ, ଗୋଟିଏ କ୍ୟାବିନ ଏବଂ ଦୁଇଟି ବାଉଁଶ ଦୋକାନ ହଟାଯାଇଛି। ଏହାବ୍ୟତୀତ ପ୍ରାୟ ୫୦ ଫୁଟ ଲମ୍ବର ଏକ ପାଚେରି ଭଙ୍ଗାଯାଇ ମାଟିରେ ମିଶିଛି।
ଗୁରୁବାରର ଉଚ୍ଛେଦରେ ପ୍ରାୟ ୬ଶହ ବର୍ଗଫୁଟ୍‌ ସରକାରୀ ଜମି ଜବରଦଖଲ ମୁକ୍ତ କରାଯାଇଛି। ବସ୍‌ ଯିବା ଆସିବାରେ ଭିଡ଼ ହେଉଥିବାରୁ ଉଚ୍ଛେଦ ହୋଇଥିଲା। ପ୍ରତିବାଦ ଆଶଙ୍କାରେ ଏକ ସେକ୍ସନ ମହିଳା ପୁଲିସ ସମେତ ଏକ ପ୍ଲାଟୁନ ରିଜର୍ଭ ପୁଲିସ ମୁତୟନ କରାଯାଇଥିଲା ବୋଲି ବିଡିଏ ପକ୍ଷରୁ କୁହାଯାଇଛି।

Comments are closed.