ଅତାବିରାରେ ମା ସମଲେଶ୍ଵରୀଙ୍କ ଷୋହଳ ପୂଜା ସମ୍ପନ୍ନ

ରେଙ୍ଗାଲିକେମ୍ପ: ଅତାବିରା ଏନଏସି ସ୍ଥିତ ବହୁ ପୁରାତନ ମା ଇଷ୍ଟଦେବୀ ସମଲେଶ୍ଵରୀଙ୍କ ମନ୍ଦିରରେ ଷୋହଳ ପୂଜା ଆଜି ସମ୍ପନ୍ନ ହୋଇଛି। ଏହି ପୂଜା ଗତ ମହାଲୟା ଦିନ ଠାରୁ ଆରମ୍ଭ ହୋଇ ଆଜି ପବିତ୍ର କୁମାରପୂର୍ଣ୍ଣିମାରେ ଶେଷ ହୋଇଛି। ମହାଳୟା ଦିନ ଠାରୁ ପ୍ରତି ଦିନ ମା ଭିନ୍ନ ଭିନ୍ନ ରୂପରେ ସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ଚଣ୍ଡୀ ହୋମ ସାଙ୍ଗକୁ ରାତିରେ ବଡ ପୂଜା ସହ ଆରତୀ ହେଉଥିଲା। ମନ୍ଦିର ପୂଜକ କାଳିଆ ଝାଂକର ପ୍ରତିଦିନ ମାଙ୍କୁ ସେବା ପୂଜା କରନ୍ତି। ତାଙ୍କ ବଂଶର ସିଏ ଚତୁର୍ଥ ପିଢ଼ିର ପୂଜକ ଅଟନ୍ତି।ଏତେ ପୁରୁଣା କାଳରୁ ମା ଏହି ମନ୍ଦିରରେ ପୂଜା ପାଇ ଆସୁଛନ୍ତି ପ୍ରତ୍ୟକ୍ଷ ଦେବୀ ରୂପରେ।

ଏହି ପୂଜାରେ ପଣ୍ଡିତ ସଞ୍ଜୟ ଦାସ ଓ ସାଥୀ ରାଜେଶ୍ ମିଶ୍ର, ବିକ୍ରମ ସୁସାରି ପୂଜା ଦାୟିତ୍ଵରେ ଥିବା ବେଳେ ରବିଶଙ୍କର ବାଙ୍କା, ଜନାର୍ଦ୍ଦନ ପ୍ରଧାନ ଓ ସନାତନ ପ୍ରଧାନ କର୍ତ୍ତା ଦାୟିତ୍ଵ ତୁଲାଇଥିଲେ। ଆଜି ଶେଷ ଦିନରେ ରୀତି ଅନୁଯାୟୀ ଗଉଡ ଘରୁ କଳସୀରେ ପାଣି ଅଣାଯାଇ ମାଙ୍କ ପୀଠରେ ରଖାଯାଇଥିଲା। ଏହାପରେ ଝାଙ୍କର୍ ନିଜ ଘରେ ପୂଜାର୍ଚ୍ଚନା କରି ଭରନି ତାଳରେ ବାଜା ବଜାଇ ମାଙ୍କୁ ଡକାଜାଏ। ଝାଙ୍କର ଦେହରେ ମା ବିଜେ କଲା ପରେ ତାଙ୍କୁ ବରଂ କରି ମନ୍ଦିରକୁ ଅଣାଯାଇ ଗଉଡ ଘରୁ ଆସିଥିବା ପାଣିରେ ସ୍ନାନ କରାଇ ପୂଜାର୍ଚ୍ଚନା କରାଯାଏ।ଏହି ସମୟରେ ଅନେକ ମାନସିକ ଧାରୀ ନିଜ ନିଜର ମାନସିକ ପୂରଣ ପାଇଁ ମାଙ୍କ ପାଖରେ ଗୁହାରି କରିଥାନ୍ତି। ଚଳିତ ବର୍ଷ କରୋନାରୁ ସଂସାରକୁ ରକ୍ଷା କରିବା ପାଇଁ ଅନେକ ଭକ୍ତ ମାଙ୍କ ପାଖରେ ଜଣାଇଥିଲେ। ସେହିପରି ଅଞ୍ଚଳର ଟୋପ, ଗୋଡ଼ଭଗା, ଖଲିଆପାଲି, ଭାଲୁପାଲି ଆଦି ସ୍ଥାନମାନଙ୍କରେ ମା ସମଲେଶ୍ଵରୀଙ୍କ ଷୋହଳ ପୂଜା ସମ୍ପନ୍ନ ହୋଇଛି।

Comments are closed.