ଭାଇ ଭଉଣୀର ପବିତ୍ର ସମ୍ପର୍କକୁ ଚରିତାର୍ଥ କରେ ପଶ୍ଚିମ ଓଡ଼ିଶାର ପର୍ବ ଭାଇ ଜିଉନ୍ତିଆ

ରେଙ୍ଗାଲିକେମ୍ପ: ଆମ ପଶ୍ଚିମ ଓଡ଼ିଶାରେ ଯେଉଁ ସବୁ ପର୍ବ ସମୂହ ପାଳନ କରାଯାଏ ତାରି ପଛରେ ନିଶ୍ଚିତ ଭାବରେ ଏକ ମହାନ୍ ଉଦ୍ଦେଶ୍ୟ ରହିଥାଏ। ଯେଉଁ ଉଦ୍ଦେଶ୍ୟ ଆମର ଜୀବନ ଯାପନ ପ୍ରଣାଳୀକୁ ଆହୁରି ସରସ ସୁନ୍ଦର କରି ଗଢି ତୋଳିବାରେ ବେଶ୍ ସାହାଯ୍ୟ କରିଥାଏ। ଅନେକଗୁଡ଼ିଏ ପର୍ବ ଆଜି ଆଧୁନିକତାର ସ୍ପର୍ଶରେ ଭାରତୀୟ ସଂସ୍କୃତି ସହ ପାଶ୍ଚାତ୍ୟ ଦେଶର ସଂସ୍କୃତିର ମିଶ୍ରଣ ହୋଇସାରିଛି। କିନ୍ତୁ ଆମ ପଶ୍ଚିମ ଓଡ଼ିଶାର ପର୍ବଗୁଡିକରେ ଆଜି ବି ରହିଛି ସେଇ ଭାରତୀୟ ପରମ୍ପରା, ଏକ୍ୟ ମନୋଭାବ, ପୁରାତନ ଶୈଳୀ ସହ ଶୁଦ୍ଧ ସରଳ ପୂଜା ପଦ୍ଧତି।

ସେଥିମଧ୍ୟରୁ ଆଶ୍ୱିନ ମାସରେ ଶାରଦୀୟ ଦୁର୍ଗା ପୂଜା ଅଷ୍ଟମୀ ଦିନ ପାଳିତ ହେଉଥିବା ଭାଇଯିଉନ୍ତିଆ ବ୍ରତ। ସହରଠୁ ଆରମ୍ଭ କରି ଗାଆଁ ପର୍ଯ୍ୟନ୍ତ ସବୁଠାରେ ମାଁ ଦୁର୍ଗାଙ୍କ ପୂଜା କରାଯାଏ। ଛୋଟରୁ ବଡ଼ ପ୍ରତି ମେଢ଼ମାନଙ୍କରେ ଥିବା ମାଆଙ୍କର ମୂର୍ତ୍ତି ଆଉ ରଙ୍ଗୀନ ଆଲୋକର ମାଲାରେ ଆଖି ଝଲସି ଉଠେ। ପବିତ୍ର ନବରାତ୍ରର ଅଷ୍ଟମୀ ତିଥିରେ ଚାରିଆଡେ ଉତ୍ସବ ମୁଖରିତ ହୋଇଉଠେ କାରଣ ଏହି ଦିନ ପଡେ ଭାଇଯିଉନ୍ତିଆ, ଭାଇ ଭଉଣୀର ସମ୍ପର୍କକୁ ପବିତ୍ର ଓ ଉଦ୍ଜୀବିତ କରି ରଖୁଥିବା ପର୍ବ। ଏହି ପର୍ବରେ ଭାଇର ମଙ୍ଗଳ ଆଉ ଦୀର୍ଘାୟୁ ପାଇଁ ଭଉଣୀ ଓଷା ବା ବ୍ରତ ଅlଚରିଥାଏ। ଭଉଣୀ ବାହା ହୋଇ ଶାଶୁ ଘରକୁ ଚାଲିଯାଇଥିଲେ ମଧ୍ୟ ଏହି ବ୍ରତ ପାଇଁ ସେ ନିଶ୍ଚିତ ରୂପେ ବାପା ଘରକୁ ଆସିଥାଏ।

ଏହାର ଏକ ନିଆରା ପରମ୍ପରା ବା ସାମାଜିକ ପ୍ରଥା କହିଲେ ଅତ୍ୟୁକ୍ତି ହେବ ନାହିଁ ଯେ ବାପା ବା ଭାଇ ଝିଅକୁ ଆଣିବାକୁ ଯିବେ ଏବଂ ପୂଜା ପରେ ଝିଅର ସ୍ଵାମୀ ବା ଶାଶୁ ଘରର ଅନ୍ୟ କେହି ହୁଅନ୍ତୁ ନେବା ପାଇଁ ଆସିବେ। ଏହା ପଛରେ ଉଭୟ ପରିବାର ମଧ୍ୟରେ ବନ୍ଧୁତ୍ୱ ବଜାୟ ରହିବା ସହ ପରସ୍ପର ସହ ସାକ୍ଷାତ ହେବାର ଏକ ଅବସର ପ୍ରାପ୍ତ ହୁଏ। ଏହି ବ୍ରତ କରିବା ପାଇଁ ଗ୍ରାମ ହେଉ ବା ସହରରେ ବିବାହିତା ଝିଅଙ୍କ ସମାଗମ ହୁଏ। ଦୀର୍ଘ ଦିନର ସାଥୀ ସାଙ୍ଗ ମାନଙ୍କ ସହ କିଛି ସମୟ ରହିବା,ଭାବ ବିନିମୟ କରିବା ଆଦି ପାଇଁ ଏହି ବିବାହିତା ଝିଅଙ୍କ ପାଇଁ ଏକ ସୁବର୍ଣ୍ଣ ସମୟ ଆସିଥାଏ। ବିବାହ ପରେ ଝିଅଟିଏ ତାର ସବୁ ଇଚ୍ଛା ଅନିଚ୍ଛା ସବୁକିଛି ସ୍ଵାମୀ, ଶାଶୁ ଶ୍ୱଶୁର ଆଉ ପିଲାମାନଙ୍କ ଖୁସିରେ କେଉଁଠି ହଜି ଯାଇଥାଏ। କିନ୍ତୁ ଏହି ଦଶହରା ଭାଇଯିଉଁନ୍ତୀଆ ଅବସର ଆଣିଦିଏ ହଜି ଯାଇଥିବା ସ୍ୱାଧୀନତାର କିଛି ପୂଳକ, ବାପା ମାଆଙ୍କ ସାନିଧ୍ୟ ଆଉ କିଛି ଦିନ, କିଛି ମୁହୁର୍ତ୍ତ ପାଇଁ ଗୃହସ୍ଥ ଜଞ୍ଜଳରୁ ମୁକ୍ତି। ତେବେ ବ୍ରତ ପାଇଁ ସକାଳୁ ସକାଳୁ ସାଙ୍ଗ ମେଳରେ ଦୁବ ତୋଳିବା, ଫୁଲ ସଂଗ୍ରହ କରିବା ଆଦି କାର୍ଯ୍ୟରେ ଭଉଣୀ ନିଜକୁ ହଜେଇ ଦେଇଥାଏ। ୧୦୮ ଦୁବ, ୧୦୮ ଅଭଙ୍ଗା ଚାଉଳକୁ ବlନ୍ଧି ଦେଇ ମନରେ ଭାଇର ଆୟୁଷ ବୃଦ୍ଧି ପାଇଁ ମାଁ ଗୌରୀଙ୍କ ଠାରେ କାମନା କରନ୍ତି।

ସନ୍ଧ୍ୟା ସମୟରେ ଚାରିଟି କାକୁଡି ଚକା, ଚାରି ଖଣ୍ଡ କାଠି, କଖାରୁ ଫୁଲ ଆଦି ଧରି ପୋଖରୀ କିମ୍ବା ନଈ ତୁଠକୁ ଯାଆନ୍ତି ସ୍ନାନ ପାଇଁ।ସେଠାରେ ବାଲିର ପିଣ୍ଡି କରି କାଠି ଉପରେ କାକୁଡି ଚକି ଦେଇ ପୂଜା କରନ୍ତି ଶିବ ପାର୍ବତୀଙ୍କୁ। ଏହାପରେ ସ୍ନାନ କରି ଘରକୁ ଫେରି ଭାଇ କିଣି ଥିବା ନୂଆଁ ଲୁଗା ପରିଧାନ କରିଥାନ୍ତି। ରାତ୍ରିର ଦ୍ଵିତୀୟ ପ୍ରହରରେ ପୂଜା ସାମଗ୍ରୀ ଧରି ଯାଇଥାନ୍ତି ଦେବୀ ପୀଠକୁ ବା ନିଜ ଘରେ ମଧ୍ୟ ମା’ ଦୁର୍ଗାଙ୍କ ଠାରେ ପୂଜାର୍ଚ୍ଚନା କରନ୍ତି।ଭାଇ ଜିଉନ୍ତିଆ ବ୍ରତ କଥା ଶୁଣନ୍ତି। ସହେ ଆଠ ଦୁବ ଆଉ ଯିଉନ୍ତିଆକୁ ମା’ଙ୍କ ପାଦରେ ଲଗାଇ ଭାଇଙ୍କର ଶୁଭ ମନାସି ଥାନ୍ତି। ଦିନସାରା ନିର୍ଜଳା ଉପବାସ ରହି ଦୃଢ଼ ଭକ୍ତିରେ ମା’ଙ୍କୁ ସୁମରଣା କରି ରାତି ବିତାଇଥାନ୍ତି। ପୁଣି ଓଷାରୁ ଉଠି ପୂଜା ସାମଗ୍ରୀ, ତିଖୁରି, ଯୁଗାର ଧରି ପୋଖରୀକୁ ସ୍ନାନ ପାଇଁ ଯାଇଥାନ୍ତି। ସେଠାରେ ସ୍ନାନ ସାରି ଶୁକ୍ଳ ବସ୍ତ୍ର ପରିଧାନ କରି ପୂର୍ବ ସନ୍ଧ୍ୟାରେ କରିଥିବା ବାଲୁକା ପୀଠରେ ପୂଜାର୍ଚ୍ଚନା କରି ଆଠଟି ମୁଗ, ଆଠଟି ଚାଉଳ ଆଉ ଦହି ଗିଲିଥାନ୍ତି। ଆଠ ଖିଆ ସୂତାରେ ତିଆରି ଯିଉନ୍ତିଆକୁ ପିନ୍ଧି ଜଳରେ ଦୀପ ଭାସାଇଥାନ୍ତି।

ଗଙ୍ଗା ମାତାଙ୍କୁ ସୁମରଣା କରି ଭାଇର ମଙ୍ଗଳ ଓ ଦୀର୍ଘାୟୁ କାମନା କରିଥାନ୍ତି। ଘରକୁ ଫେରି ଆସନରେ ଭାଇମାନଙ୍କୁ ବସାଇ ଦୀପ ଜାଳି ଦୁବ ଛୁଆଁଇଥାନ୍ତି। ଜିଉନ୍ତିଆ ଭାଇ ହାତରେ ବାନ୍ଧି ଦେଇ ମା’ ଦୁର୍ଗାଙ୍କୁ ଭାଇମାନଙ୍କୁ ଘଣ୍ଟ ଘୋଡାଇ ରଖିବା ପାଇଁ ଆଶିଷ ମାଗନ୍ତି। ଭାଇଙ୍କ ପାଇଁ ଆଣିଥିବା ନୂଆ ଲୁଗା ଦେଇ କଲ୍ୟାଣ କରିଥାନ୍ତି। ଭାଇମାନେ ବି ବଡ ଭଉଣୀମାନଙ୍କୁ ପ୍ରଣାମ କରି ଆଶିଷ ନିଅନ୍ତି। ଏହା ପରେ ପ୍ରସାଦ ସେବନ କରି ଭଉଣୀମାନେ ଖୁସି ମନରେ ରହିଥାନ୍ତି। ତେବେ ଏହି ବ୍ରତ ଭାଇ ଭଉଣୀର ପବିତ୍ର ବନ୍ଧନକୁ ଆହୁରି ମଜଭୂତ କରିବା ସହ ପରସ୍ପର ମଧ୍ୟରେ ସ୍ନେହ ମମତାର ବନ୍ଧନରେ ବାନ୍ଧି ହୁଅନ୍ତି। ପାର୍ବଣ ଭିତରେ ଏହି ଭାଇ ଜିଉନ୍ତିଆ ପର୍ବ ପରିବେଶକୁ ବେଶ ଉତ୍ସବ ମୁଖରିତ କରିଥାଏ।

Comments are closed.