କାଗଜପତ୍ରରେ ବିକାଶ, ନଳକୂପ ଅଛି କିନ୍ତୁ ବାହାରୁନି ପାଣି

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଟୋପ ପଞ୍ଚାୟତର ପରମାନପୁର ଗାଁରେ ଏବେ ପାନୀୟ ଜଳର ଘୋର ଅଭାବ ପରିଲକ୍ଷିତ ହେଉଛି। ୩ଟି ୱାର୍ଡ ବିଶିଷ୍ଟ ଏହି ଗାଆଁରେ ପ୍ରାୟ ୨୫୦୦ରୁ ଉର୍ଦ୍ଧ୍ବ ଲୋକ ବାସ କରନ୍ତି। ଗାଆଁରେ ରହିଛି ୪ଟି ନଳକୂପ। ସେଥିମଧ୍ୟରୁ ଏବେ ତିନିଟି ଅଚଳ ବସ୍ଥାରେ ପଡ଼ି ରହିଛି। ସ୍କୁଲ୍ ପଡ଼ାରେ ଥିବା ନଳକୂପ ତିନି ବର୍ଷ ହେଲା ଅଚଳ ହୋଇ ପଡ଼ି ରହିଛି, ସ୍କୁଲ୍ ଭିତରେ ଥିବା ନଳକୂପ ଗୋଟିଏ ବର୍ଷ ଅଚଳ ହେଲାଣି। ଏମିତିକି ତାର ହ୍ୟାଣ୍ଡଲ ବି ନାହିଁ। ଠିକ୍ ସେମିତି ବରତଳ ପଡ଼ାର ନଳକୂପ ପାଞ୍ଚ ବର୍ଷ ହେଲା ଅଚଳ ହୋଇପଡ଼ିଛି।

ବିଦ୍ୟାଳୟରେ ଶତାଧିକ ପିଲା, ଯଦି ସ୍କୁଲ୍ ଖୋଲିଯାଏ ତେବେ ପାଣି ମୁନ୍ଦାଏ ପାଇଁ ହା ହା କାର ହେବେ। ଗାଆଁର ଯେଉଁ ଗୋଟିଏ ନଳକୂପ ଚାଲୁଛି, ସେଥିରୁ ମଧ୍ୟ ଲୁହା ଗୁଣ୍ଡ ମିଶ୍ରିତ ପାଣି ବାହାରୁଛି। ଖାତା ପତ୍ରରେ ସଂଖ୍ୟା ଚଢ଼ୁଛି ଗାଆଁରେ ଏତିକି ନଳକୂପ ଖନନ କରାଯାଇଛି ବୋଲି, କିନ୍ତୁ ସେ ନଳକୂଅଟି କେତେ ଦୂର କାର୍ଯ୍ୟକ୍ଷମ ହେଉଛି କି ନାହିଁ, ଲୋକେ ସେଥିରୁ ଉପକୃତ ହେଉଛନ୍ତି ନା ନାହିଁ, ତାର କିଛି ରେକର୍ଡ ରହୁନାହିଁ। ଦୀର୍ଘ ବର୍ଷ ଧରି ଅଚଳ ଅବସ୍ଥାରେ ପଡ଼ିରହିଥିଲେ ମଧ୍ୟ, ପଞ୍ଚାୟତ ଅଫିସରେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ଆଜି ଯାଏ ପଞ୍ଚାୟତ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ।

ଲୋକେ ଯଦି ଭାଦ୍ରବ ମାସରେ ପାନୀୟ ଜଳ ପାଇଁ ଏତେ ସମସ୍ୟା ଘେରରେ ରହିଛନ୍ତି ତେବେ ଗ୍ରୀଷ୍ମ ଋତୁରେ ଏମାନଙ୍କ ଅବସ୍ଥା କଣ୍ ବା ନ ହେବ! ତେବେ ସ୍ଥାନୀୟ ସାୟତ୍ତ୍ଵ ଶାସନ ସଂସ୍ଥା ବ୍ୟବସ୍ଥାରେ ଗ୍ରାମ ପଞ୍ଚାୟତର ଭୂମିକା ଗ୍ରାମମାନଙ୍କ ବିକାଶ ପାଇଁ ରହିଛି। ଗ୍ରାମର ସମସ୍ୟାକୁ ସରକାରଙ୍କ ଆଗରେ ଉଥାପନ୍ କରି ତାର ସମାଧାନ ଦିଗରେ କାର୍ଯ୍ୟ କରିବା ପାଇଁ ରହିଛି ପଂଚାୟତ ବ୍ୟବସ୍ଥା। ଏଠି କିନ୍ତୁ ସବୁ ଓଲଟା ଚାଲିଛି। ତେବେ ଦେଖାଯାଉ ଆଉ କେତେ ଦିନ ପରେ ପରମାନପୂର ଗ୍ରାମର ଜଳ ସମସ୍ୟା ଦୂର ହୋଇପାରୁଛି?

Comments are closed.