MEllora 950×100

ଆହୁରି ତୀବ୍ର ହେବ ଆନ୍ଦୋଳନ; ୭ଦିନ ପରେ ବି  ଅଙ୍ଗନବାଡ଼ି କର୍ମୀଙ୍କୁ ସରକାରଙ୍କ ଅଣଦେଖା

ରେଙ୍ଗାଲିକ୍ୟାମ: ଅଲ୍ ଓଡିଶା ଲେଡିସ ଅଙ୍ଗନ ବାଡ଼ି ୱାର୍କର  ଏସୋସିଏସନ୍ ଓ ସହାୟିକା ମାନଙ୍କ ପକ୍ଷରୁ ବିଭିନ୍ନ ନାର୍ଯ୍ୟ ଦାବି ଗୁଡ଼ିକୁ ନେଇ ଗତ ନଭେମ୍ବର ୨୧ତାରିଖ ଦିନ ଠାରୁ ରାଜ୍ୟବ୍ୟାପୀ କାର୍ଯ୍ୟ ବନ୍ଦ କରି ଭୁବନେଶ୍ୱରରେ ଆନ୍ଦୋଳନ ଜାରି ରଖିଛନ୍ତି । ଦିନକୁ ଦିନ ଆନ୍ଦୋଳନ  ତୀବ୍ରତର ହେଉଛି । ରାଜ୍ୟସ୍ତରରେ ଆନ୍ଦୋଳନ ହେବା ସହ ରାଜ୍ୟର ପ୍ରତି ବ୍ଲକ ସ୍ତରରେ ମଧ୍ୟ ଏହି ଆନ୍ଦୋଳନ ଜାରି ରହିଛି ।  ଏସୋସିଏସନର ବରଗଡ଼ ଜିଲ୍ଲା ଉପସଭାପତି ଅରୁଣା ମହାପାତ୍ରଙ୍କ ନେତୃତ୍ୱରେ ଅତାବିରା ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧୀନରେ ଥିବା ୧୪ଟି ସେକ୍ଟରରୁ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ମାନେ ଗତ ନଭେମ୍ବର ୨୧ତାରିଖରୁ କାର୍ଯ୍ୟବନ୍ଦ କରି ପ୍ରଶାସନିକ ସ୍ତରରେ ଲିଖିତ ଭାବରେ ଜଣାଇ ଆଜି ଅତାବିରା ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଆରମ୍ଭ କରି ଦାବି ପୂରଣ କରିବା ପାଇଁ କର୍ମୀ ମାନେ ଗର୍ଜନ କରିଛନ୍ତି । ଆଜି ଆନ୍ଦୋଳନକୁ ସାତ ଦିନ ପୂରଣ ହୋଇ ଯାଇଥିଲେ ସୁଦ୍ଧା   ତାଙ୍କର  କଥା  ସରକାର ଶୁଣୁ ନାହାନ୍ତି ବୋଲି କର୍ମୀ ମାନେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାୟି କରିଛନ୍ତି ।

୨୦୧୮ ଆନ୍ଦୋଳନ ସମୟରେ ବହିଷ୍କୃତ ହୋଇଥିବା ୬ଜଣ ଅଙ୍ଗନବାଡ଼ି କର୍ମୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ, ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ, ଯେ ପର୍ଯ୍ୟନ୍ତ ମାନ୍ୟତା ଦିଆଯିବ ନାହିଁ ସେ ପର୍ଯ୍ୟନ୍ତ କର୍ମୀଙ୍କୁ ୧୮ହଜାର ଓ ସହାୟିକା ମାନଙ୍କୁ ୯ହଜାର ଟଙ୍କା ପ୍ରଦାନ କରାଯିବା ସହ ଇପିଏଫ୍, ଇଏସଆଇସି ଓ ଗ୍ରାଚୁଟିରେ ସାମିଲ, ମିନି ଅଙ୍ଗନବାଡ଼ିଙ୍କୁ ମୁଖ୍ୟ ଅଙ୍ଗନବାଡ଼ି କର୍ମୀ ଭାବରେ ମାନ୍ୟତା ପ୍ରଦାନ, ସମାନ କାମକୁ ସମାନ ଦରମା ଦେବା ସହ କର୍ମୀ ଓ ସହାୟିକା ମାନଙ୍କୁ ଅବସରକାଳୀନ ସହାୟତା ୫ଲକ୍ଷ ଟଙ୍କା ଓ ମାସିକ ପେନସନ୍ ବାବଦକୁ ୫ହଜାର ଟଙ୍କା ପ୍ରଦାନ, କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁ ବରଣ କଲେ କର୍ମୀ ମାନଙ୍କୁ ମୃତ୍ୟୁ କାଳୀନ ସହାୟତା ରାଶି ୫ଲକ୍ଷ ଟଙ୍କା ପ୍ରଦାନ କରିବା ସହ ପରିବାରର ଜଣଙ୍କୁ ଚାକିରି ପ୍ରଦାନ, ଗାଁ କଲ୍ୟାଣ ସମିତିରୁ କର୍ମୀ ମାନଙ୍କୁ ବାଦ୍ ଦେଇ ପୋଷଣ ଟ୍ରାକରରେ ଅନ୍ ଲାଇନ୍ ଲୋକେସନକୁ ବନ୍ଦ କରି ୨୦୧୮ରେ ଘୋଷଣା କରା ଯାଇଥିବା ଗ୍ରୀଷ୍ମ ଅବକାଶକୁ ଲାଗୁ, ନୂତନ ଶିକ୍ଷା ନୀତିରେ ଅଭିଜ୍ଞତା ଓ ଯୋଗ୍ୟତା ଆଧାରରେ ବୟସ ସୀମା ନରଖି ସମସ୍ତ କର୍ମୀଙ୍କୁ ପ୍ରି ପ୍ରାଇମେରୀ ଶିକ୍ଷୟିତ୍ରୀ ମାନ୍ୟତା, ୫୦ ପ୍ରତିଶତ କର୍ମୀଙ୍କୁ ପଦୋନ୍ନତି ଦିଆଯାଉଥିବା ବେଳେ ଅନ୍ୟ ୫୦ପ୍ରତିଶତ ସ୍ନାତକ ଓ ତଦୁର୍ଦ୍ଧ ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ସୁପର ଭାଇଜର ପଦବୀରେ ପଦୋନ୍ନତି ପ୍ରଦାନ ଦାବିରେ କର୍ମୀ ମାନେ ଅଟଳ ରହିଛନ୍ତି ।

ଯେ ପର୍ଯ୍ୟନ୍ତ ସରକାର ଦାବି ପୂରଣ ନକରିବେ ସେ ପର୍ଯ୍ୟନ୍ତ ପ୍ରତ୍ୟହ କର୍ମୀ ମାନଙ୍କୁ ନେଇ କାର୍ଯ୍ୟ ବନ୍ଦ୍ କରିବା ସହ ଆନ୍ଦୋଳନ ଜାରି ରଖିବେ । ଏହା ସହ ପଞ୍ଚାୟତ ସ୍ତରରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରି ସମସ୍ତ ଅଫିସ କାର୍ଯ୍ୟାଳୟକୁ ବନ୍ଦ କରିବା ପାଇଁ କାର୍ଯ୍ୟପନ୍ଥା ସ୍ଥିର ହୋଇଛି । ଆନ୍ଦୋଳନ  ତୀବ୍ରତର ହେବା ସହ ଅଧିକାର ନପାଇବା ପର୍ଯ୍ୟନ୍ତ ପଛକୁ ହଟିବେ ନାହିଁ ବୋଲି ମୁଖ୍ୟ କର୍ମୀ ମାନେ ଚେତାବନୀ ଦେଇଛନ୍ତି । ସରକାରଙ୍କ ଅବହେଳା ତଥା ବୈମାତୃକ ମନୋଭାବର ଶିକାର ହୋଇ କାର୍ଯ୍ୟ ବନ୍ଦ ଯୋଗୁଁ ଶିଶୁ ପୁଷ୍ଟି ହୀନତା ଓ ସରକାରୀ ସୁବିଧାରୁ ବଞ୍ଚିତ ରହି ଯଦି କୌଣସି ଅପ୍ରିତୀକର ପରିବେଶ ସୃଷ୍ଟି ହୁଏ ତେବେ ଏଥିପାଇଁ ସରକାର ଦାୟୀ ରହିବେ ବୋଲି କହିଛନ୍ତି  । ୧୪ ଟି ସେକ୍ଟରରୁ ଏସୋସିଏସନର ବହୁ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ମାନେ ଏହି ଆନ୍ଦୋଳନରେ ଉପସ୍ଥିତ ରହିଛନ୍ତି ।

 

Comments are closed.