ହାରାଙ୍କ ଜୀବନ ସହ ସଂଗ୍ରାମ ; ପୁଅ ଶିକୁଳିରେ ବନ୍ଧା ,ସ୍ବାମୀ ଆରପାରିରେ

ରେଙ୍ଗାଲିକ୍ୟାମ୍ପ : ଜୀବନ ସହ ସଂଗ୍ରାମ କରୁଥିବା ମଣିଷ ହିଁ ବୁଝିପାରେ ଜୀବନର ମୂଲ୍ୟବୋଧ । ଅତାବିରା ନିର୍ବାଚନ ମଣ୍ଡଳୀର ସହଁରା ଟିକ୍ରା ଟେଲିଫୋନ ଟାୱାର ସମ୍ମୁଖରେ ମାସକୁ ୫୦୦ଟଙ୍କା ଭଡ଼ା ଦେଇ ଭଡ଼ାରେ ରହୁଛନ୍ତି ହାରା ମୁଦୁଲି (୫୫) । ମାଲିପାଲିର ହାରା ହାଟ ଗାଆଁ ଠାରେ ବିବାହ କରିଥିଲେ। ଶାଶୁ ଶ୍ୱଶୁରଙ୍କ ଝଡ଼ଝଞ୍ଜା ସହି ନ ପାରି ସ୍ଵାମୀଙ୍କ ସହ ଘରୁ ବାହାରି ଆସିଥିଲେ ଏକ ସୁଖମୟ ବୈବାହିକ ଜୀବନର ଆଶା ନେଇ। ସହଁରା ଟିକ୍ରା ରେ ଦୀର୍ଘ ୩୦ବର୍ଷ ହେଲା ରହିଆସିଛନ୍ତି ଭଡ଼ା ଘରେ।
ଯାହା ପରିଶ୍ରମ କରି ସ୍ବାମୀ ଯାହା ରୋଜଗାର କରୁଥିଲେ ସେଥିରେ ତାଙ୍କର ତେଲ ଲୁଣର ସଂସାର ଚଳି ଯାଉଥିଲା । କିନ୍ତୁ ଏଇ ସୁଖର ସମୟ ବେଶୀ ଦିନ ରହି ନଥିଲା। କିଛି ବର୍ଷ ପରେ ଏକ ମାତ୍ର ପୁଅ ରିଙ୍କୁ ର ମାନସିକ ବିକୃତି ରୋଗରେ ଆକ୍ରାନ୍ତ ହୋଇ ଧୀରେ ଧିରେ ଘରୁ ଏପଟ ସେପଟ ବୁଲିବାରେ ଲାଗିଲା। ତାର ପାଗଳାମି ବଢ଼ି ବାପା ମାଁ ଙ୍କ ର ଚିନ୍ତାର କାରଣ ହେଲା। ତାକୁ ଆୟତ୍ତରେ ରଖିବାର କୌଣସି ଉପାୟ ନ ପାଇ ତାକୁ ଶିକୁଳିରେ ବାନ୍ଧି ରଖିଲେ। ତାର ଚିକିତ୍ସା ପାଇଁ ତାକୁ କଟକ ନେଲେ। ଯାହା କିଛି ସଞ୍ଚିତ ଅର୍ଥ ତଥା ମାଗି ଯାଚି ୫୦ହଜାର ଟଙ୍କା ଖର୍ଚ୍ଚ କଲେ। କିନ୍ତୁ କିଛି ସୁଫଳ ହେଲା ନାହିଁ। ଏତିକିରେ ବି ହାରା ଙ୍କ ଦୁଃଖର ସୀମା ଶେଷ ହୋଇ ନଥିଲା । ଏକମାତ୍ର ରୋଜଗାର କ୍ଷମ ସ୍ବାମୀ ବି ପାରାଲିସିସ ରୋଗରେ ଆକ୍ରାନ୍ତ ହୋଇ କିଛି କାମ କରିପାରିଲେ ନାହିଁ। ରୋଗୀଣା ସ୍ଵାମୀ ସହ ଶିକୁଳିରେ ବନ୍ଧା ପୁଅକୁ ନେଇ ହାରା ସଂସାରକୁ ଆଗକୁ ନେବାର ସାହସ ବାନ୍ଧି ନିଜେ ରୋଜଗାର କରିବାକୁ ବାହାରିଥିଲେ। କିନ୍ତୁ ତାଙ୍କ ରୋଜଗାର ପେଟକୁ ମୁଠାଏ ଅନ୍ନ ବ୍ୟତୀତ ଅନ୍ୟ କିଛି ଦେଇପରିଲା ନାହିଁ।
ଅର୍ଥ ଅଭାବରୁ ଚିକିତ୍ସା କରି ନପାରି ବାରୁ  ଅଢେଇ ବର୍ଷ ତଳେ ସ୍ବାମୀ ଙ୍କ ର ବି ମୃତ୍ୟୁ ହୋଇଗଲା। ବିଧବା ହାରାଙ୍କ ସବୁ ସପନ ଭାଙ୍ଗିଗଲା। ଶିକୁଳିରେ ବନ୍ଧା ହୋଇଥିବା ୨୩ବର୍ଷ ର ପୁଅର ସେବା ସହ ନିଜର ପେଟ ପୋଷିବା ପାଇଁ ହାରା ଅସମର୍ଥ ହୋଇପଡିଲେ। କାକୁତି ମିନତି କରି ସରକାରଙ୍କ ଠାରୁ ପୁଅର ମାନସିକ ବିକଳାଙ୍ଗ ଭତ୍ତା ୭୦୦ଟଙ୍କା ଓ ବିଧବା ଭତ୍ତା ୫୦୦ଟଙ୍କା ସହ ୧୦ କିଲୋ ଚାଉଳ ପାଉଛନ୍ତି ।ମାସକୁ ୧୨୦୦ଟଙ୍କା ଭତ୍ତା ପାଉଛନ୍ତି ହେଲେ ପୁଅର ଔଷଧ ଖର୍ଚ୍ଚ ମାସକୁ ୨୦୦୦ଟଙ୍କା। ପୁଣି ଘର ଭଡ଼ା। ହାରା କହନ୍ତି , “ଦୁଇ ମାସ ହେଲା ଘର ଭଡ଼ା ଦେଇ ପାରିନି,ପୁଅର ଔଷଧ ଯେମିତି କିଣି ପାରିବି, ଚେଷ୍ଟା କରୁଛି, କାଳେ ପୁଅ ମୋର ଭଲ ହୋଇଯିବ ଏଇ ଆଶା ନେଇ “। କିନ୍ତୁ କେତେ ଦିନ ଭଡ଼ା ନ ଦେଇ ସେ ରହିପାରିବେ ଭଡ଼ା ଘରେ। ଆଉ ଯଦି ମୁଣ୍ଡ ଗୁଞ୍ଜିବାକୁ ଆଶ୍ରା ନ ମିଳେ ତେବେ ପୁଅକୁ ଏମିତି ଅବସ୍ଥାରେ କୁଆଡେ ନେଇ ଯିବେ। ଶିକୁଳିରେ ବନ୍ଧା ହୋଇ ପୁଅର ଅଣ୍ଟା ବି ପଡ଼ିଯାଇଛି। ଆଉ ଉଠି ବି ପାରୁନି। ହେଲେ ମାଁ ହାରା ଆଜି ବି ଆଶା ଛାଡି ନାହାନ୍ତି। କେବଳ ସହାୟତାର ହାତ ଖୋଜୁଛନ୍ତି।ସରକାରଙ୍କ ପକ୍ଷରୁ ଘରଟିଏ ମିଳିବା ପାଇଁ ଓ ପୁଅକୁ ଚିକିତ୍ସା କର ନିବେଦନ କରୁଛନ୍ତି ।

Comments are closed.