ସାମାଜିକ ସୁରକ୍ଷା ଓ ସର୍ବ ନିମ୍ନ ମଜୁରୀ ଦାବି ; ଅତିରିକ୍ତ କୃଷି ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର

ରେଙ୍ଗାଲିକ୍ୟାମ୍ପ : ଅତାବିରା କୃଷି ସୂଚନା ଓ ପରାମର୍ଶ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଓଡ଼ିଶା କୃଷକ ସାଥୀ ସଂଘର ସଭାପତି ଅମୂଲ୍ୟ କୁମାର କରଙ୍କ ନିର୍ଦ୍ଦେଶ କ୍ରମେ ତଥା ବ୍ଲକ ସଭାପତି କଲାସାହେବ ଭୋଇଙ୍କ ନେତୃତ୍ୱରେ ଧାରଣା ଦେଇଥିଲେ । ଏହି ସଂଘର କହିବା ଅନୁଯାୟୀ ୨୦୦୬ ମସିହାରୁ ଓଡ଼ିଶା ସରକାରଙ୍କ କୃଷି ଓ କୃଷକର ବିକାଶ ନିମନ୍ତେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଯଥା ମୃତ୍ତିକା ନମୁନା ସଂଗ୍ରହ,ଫସଲ ପାଇଁ ଖାଦ୍ୟସାର ପରିଚାଳନା ,ଜଳ ପରିଚାଳନା ପାଇଁ ପାଣି ପଞ୍ଚାୟତ ଗଠନ, ରୋଗ ପୋକ ପରିଚାଳନା ,ତଥ୍ୟ ପ୍ରଦାନ, ଶ୍ରୀ ପ୍ରଣାଳୀରେ ଧାଡ଼ି ରୁଆ ଧାନ ଚାଷ ପାଇଁ କୃଷକ ମାନଙ୍କୁ ପରାମର୍ଶ ଦେବା , ରିହାତି ମୁଲ୍ୟରେ କୃଷି ଯନ୍ତ୍ରପାତି କୃଷକଙ୍କୁ ଯୋଗାଣ ପାଇଁ ପରାମର୍ଶ ,ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା , ପ୍ରଧାନ ମନ୍ତ୍ରୀ ଫସଲ ବିମା ଯୋଜନା ,କାଳିଆ ଯୋଜନା ,ବଳରାମ ଯୋଜନା ,ବର୍ତ୍ତମାନର ପରିସଂଖ୍ୟାନ ବିଭାଗର କାର୍ଯ୍ୟ ଓ କାଳିଆ ଯୋଜନା ନିମନ୍ତେ ତଥ୍ୟ ସଂଗ୍ରହ ଆଦି ଉପରେ ଅବୈତନିକ ଭାବରେ କାମ କରି ଆସୁଛନ୍ତି । ତେଣୁ ସର୍ବନିମ୍ନ ମଜୁରୀ ଦାବି ନେଇ ଧାରଣା ଦେବା ସହ ଅତିରିକ୍ତ ବ୍ଲକ କୃଷି ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଏହା ବ୍ୟତୀତ କୃଷି ସଚିବ ,କୃଷି ଓ କୃଷକ ସଶକ୍ତି କରଣ,କୃଷି ନିର୍ଦ୍ଦେଶକ ,କୃଷି ଓ ଖାଦ୍ୟ ଉତ୍ପାଦନ ,ନିର୍ଦ୍ଦେଶକ ଇମେଜ ଭୁବନେଶ୍ୱର ଓ ବରଗଡ଼ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ମଧ୍ୟ ଏହାର ଏକ ନକଲ ପଠାଇଥିବା ଜଣା ପଡ଼ିଛି ।
ଏହି ଦାବି ପତ୍ରରେ କୃଷକ ସାଥିଙ୍କୁ ତାଲିମ ପ୍ରଦାନ ସହ ସାର୍ଟିଫିକେଟ ପ୍ରଦାନ,ପରିସଂଖ୍ୟାନ ବିଭାଗର ଅମିନ ଭାବରେ ନିୟୋଜନ କରାଯାଇ ୨୦୦୬ ମସିହାରୁ ନିଯୁକ୍ତ କୃଷକ ସାଥିଙ୍କୁ ମାଟ୍ରିକ ଯୋଗ୍ୟତା ଭିତ୍ତିରେ ଅଗ୍ରାଧିକାର ପ୍ରଦାନ , ଅଗ୍ରଣୀ କୃଷକ ସାଥୀ ପରିବର୍ତ୍ତେ କୃଷି କର୍ମ ଚାରିର ମାନ୍ୟତା ପ୍ରଦାନ , କୃଷି ଭିତ୍ତିକ ଉନ୍ନତ କାର୍ଯ୍ୟରେ ଏନ୍ ଜି ଓ ମାନଙ୍କୁ ଉଚ୍ଛେଦ କରି କୃଷକ ସାଥିଙ୍କୁ ନିଯୁକ୍ତି,ଡ୍ରେସ କୋଟ ସହ ପରିଚୟ ପ୍ରଦାନ ,କୃଷକ ସସକ୍ତ କରଣ ଏବଂ ବିହନ ବିଶୋଧନ କାର୍ଯ୍ୟ କ୍ରମରେ ଏସ ଏସ ଜି ମାନଙ୍କ ବଦଳରେ କୃଷି ସାଥିଙ୍କୁ ନିଯୁକ୍ତି ପ୍ରଦାନ ,ସରକାରଙ୍କ ନିର୍ଦ୍ଦେଶ ନାମା ଅନୁଯାୟୀ କୃଷକ ସାଥୀ ମାନଙ୍କୁ ଉଦ୍ୟାନ କୃଷି କାର୍ଯ୍ୟରେ ନିୟୋଜନ ,ଧାନ ସଂଗ୍ରହ ପାଇଁ ପରିଚୟ ପତ୍ର ଏବଂ କ୍ଷେତ୍ର ପରିଦର୍ଶନ ଯାଞ୍ଚ ପ୍ରକ୍ରିୟାରେ କୃଷକ ସାଥୀଙ୍କୁ ନିୟୋଜନ , ଆସିବାକୁ ଥିବା କେନ୍ଦ୍ରୀୟ ଭୂମି ପୋଷଣ ଅଭିଯାନ କାର୍ଯ୍ୟ କ୍ରମରେ କୃଷକ ସାଥୀ ମାନଙ୍କୁ ସାମିଲ କରି ଏଥି ନିମନ୍ତେ ପ୍ରଦତ୍ତ ପାରିଶ୍ରମିକ ରାଶିର ପ୍ରଦାନ ଆଦି ଅନ୍ୟାନ୍ୟ ୧୪ ଟି ଦାବି ଉଲ୍ଲେଖ ରହିଛି । ଦୀର୍ଘ ବର୍ଷ ଧରି ସେମାନେ ଏହି ଦାବି ସରକାରଙ୍କ ନିକଟରେ ରଖିଥିଲେ ମଧ୍ୟ ଆଜି ଯାଏ ସରକାର ଏମାନଙ୍କ ପାଇଁ କୌଣସି ପଦକ୍ଷେପ ନେଇ ନାହାନ୍ତି ବୋଲି ସଂଘ୍ କ୍ଷୋଭ ପ୍ରକାଶ କରିଛି । ଯଦି ଆସନ୍ତା ଜୁଲାଇ ୧୮ ତାରିଖ ମଧ୍ୟରେ ଏହି ସବୁ ଦାବି ପୁରଣ କରା ନ ଯାଏ,ତେବେ ବିଧାନ ସଭା ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦିଆଯିବ ବୋଲି ସଂଘ ଚେତାବନୀ ଦେଇଛି । ଏହି ଧାରଣାରେ ସଂଘର ସଂପାଦକ ତରଣିସେନ ମହାପାତ୍ର , ସଭ୍ୟ ପ୍ରମୋଦ ସାହୁ ,ଦଶରଥ ପ୍ରଧାନ ,ସୁରେନ ପ୍ରଧାନ,ଦିଲୀପ ପ୍ରଧାନ , ଜାମ୍ବବାନ ପ୍ରଧାନ ,ମହେନ୍ଦ୍ର ସାହୁ ,ସୁଧୀର ପ୍ରଧାନ ,ସରୋଜ ପ୍ରଧାନ , ଆନନ୍ଦ ଜାଲ ପ୍ରମୁଖ ସାମିଲ ହୋଇଥିଲେ ।

Comments are closed.