ପାଲଟଣା ଘରେ ବିତିଲାଣି ୮୦ ବର୍ଷ….ତଥାପି ଭୂମିହୀନ

ରେଙ୍ଗାଲିକ୍ୟାମ୍ପ: ସେ ସରକାରୀ ସହାୟତା ହେଉ ବା ଭଗବାନଙ୍କ ଆଶୀର୍ବାଦ, ତେଲିଆ ମୁଣ୍ଡରେ ତେଲ ଆଉ ନୁଖୁରା ମୁଣ୍ଡ କେ ଛୁଛା” ଆଜି ବି ଏଇ ଲୋକକଥାର ବାସ୍ତବତା ଦେଖିବାକୁ ମିଳୁଛି। ଅତାବିରା ବ୍ଲକ ଅନ୍ତର୍ଗତ ସିଂହପାଲିରୁ ବନ୍ଧର ଯିବା ରାସ୍ତାରେ ପଡ଼େ ବିଧବା ମୋତି ନିଆରଙ୍କ ପାଲଟଣା ଘର। ବୟସ ୬୦ରୁ ଉର୍ଦ୍ଧ୍ବ। ସାଙ୍ଗରେ ରହନ୍ତି ଝିଅଜୋଇଁ ଆଉ ନାତି ନାତୁଣୀ। ସମ୍ବଳ କହିଲେ ମାତ୍ର ସେଇ ପାଲଟଣା ଘର ଖଣ୍ଡିକ ଯାହା ସମ୍ବଲପୁର ଗୋପାଲଜି ମଠର ଭୂମିରେ ଅବସ୍ଥିତ। କୁଲି ମଜୁରୀ କରି ପେଟ ପୋଷି ଆସୁଛନ୍ତି କାହିଁ କେତେ ଦିନରୁ। ତାଙ୍କ ବାପ ଅଜା ଅମଳରୁ ସେମାନେ କଣ୍ଟାବାଞ୍ଜି ପାଖ ଝାରବାହାଲିରୁ ଆସି ଏଠି ରହୁଛନ୍ତି ବୋଲି ମୋତି କହନ୍ତି।

ଏଠି ସେମାନଙ୍କ ନିଜସ୍ଵ ଭୂମି ବୋଲି କିଛି ନାହିଁ। ଏପରିକି ସେମାନେ ଏଠିକାର ଭୋଟର ହୋଇ ଭୋଟ ଦେଉଛନ୍ତି, କିନ୍ତୁ ସ୍ଥାୟୀ ବାସିନ୍ଦା ହୋଇ ନାହାନ୍ତି। ପ୍ରତି ମାସରେ ସରକାରୀ ଟଙ୍କିକିଆ ଚାଉଳ ୧୦ କିଲୋ ଓ ବିଧବା ଭତ୍ତା ପାଉଛନ୍ତି ୫୦୦ ଟଙ୍କା। ତିନି ତିନି ଥର ତାଙ୍କ ନାଁରେ ଇନ୍ଦିରା ଆବାସ ଆସିଛି। ହେଲେ ଭୂମିହୀନ ହୋଇଥିବାରୁ କିଛି ଲାଭ ମିଳୁନି। ବିନା ଭୂମିରେ ଇନ୍ଦିରା ଆବାସ ନିର୍ମାଣ ପାଇଁ ସରକାରୀ ନିୟମ ନାହିଁ। ତେଣୁ ତାହା ଫେରି ଯାଉଛି। ବର୍ତ୍ତମାନ ବିଜୁ ଆବାସ ଯୋଜନା ମାଧ୍ୟମରେ ଭୂମିହୀନମାନଙ୍କୁ ସରକାରୀ ଜମି ପଟ୍ଟା ବଣ୍ଟନ କରାଯାଉଛି। କାହାକୁ ମୋ କୁଡିଆ ଯୋଜନା ତା ଆଉ କାହାକୁ କେତେ ପ୍ରକାର ସରକାରୀ ସହାୟତା ମିଳୁଛି। କୌଣସି ସରକାରୀ ଜମିରେ ଘର କରି ଲୋକେ ରହି ଯାଉଛନ୍ତି ଓ ପରବର୍ତ୍ତୀ ସମୟରେ ଜମିର ପଟ୍ଟା ପାଇ ଇନ୍ଦିରା ଆବାସ ଯୋଜନା ହେଉ କି ମୋ କୁଡିଆ ଯୋଜନା ହେଉ, ଘର ଖଣ୍ଡେ କରି ଆରାମରେ ରହିପlରୁଛନ୍ତି। କିନ୍ତୁ ଆଜିକୁ ଅଶି ବର୍ଷ ହେଲା ରହିବା ପରେ ଭୂମିହୀନ ହେବା ଅତ୍ୟନ୍ତ ପରିତାପର ବିଷୟ।

ଏ ବିଷୟରେ ସେ ଅନେକ ଥର ସରପଞ୍ଚ ଓ ବିଧାୟିକାଙ୍କୁ ଜଣାଇ ସାରିଛନ୍ତି ହେଲେ ଆଜି ଯାଏ ତାଙ୍କର କଥା କେହି ଶୁଣି ନଥିବା ମୋତି କହନ୍ତି। ତେବେ କୌଣସି ସରକାରୀ ଯୋଜନାରେ ତାଙ୍କୁ ଦି ହାତ ଜମି ମିଳିଲେ, ତାଙ୍କର ଖଣ୍ଡେ ଘର ତିଆରି ହୋଇ ପାରନ୍ତା ବୋଲି ସେ କହିଛନ୍ତି। ଦେଖାଯାଉ ମୋତିଙ୍କ ଭାଗ୍ୟ କେବେ ବଦଳୁଛି ଆଉ କେବେ ତାଙ୍କ ଭାଗ୍ୟରେ ସରକାରୀ ଜମି ଖଣ୍ଡେ ଯୁଟୁଛି।

Comments are closed.