୫ଟି ବିଦ୍ୟାଳୟର ଚାକଚକ୍ୟ ଭିତରେ ଶତାଧିକ ବର୍ଷର ପୁରୁଣା ବିଦ୍ୟାଳୟକୁ ହତାଦର

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ଟୋପ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଞ୍ଚଳର ସବୁଠାରୁ ପୁରୁଣା ବିଦ୍ୟାଳୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ୧୯୦୦ ମସିହା ରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ସାମ୍ପ୍ରତିକ ପରିସ୍ଥିତିରେ ସରକାରୀ ସ୍କୁଲ୍ ଗୁଡିକରେ ପିଲl ସଂଖ୍ୟା କମି ଯାଉଛନ୍ତି। ହେଲେ ଏହି ବିଦ୍ୟାଳୟରେ ଆଜି ମଧ୍ୟ ୨୫୦ ପିଲା ପଢୁଛନ୍ତି। ପ୍ରତିବର୍ଷ ଏହି ବିଦ୍ୟାଳୟରୁ ଅନେକ ପିଲା ଛାତ୍ର ବୃତ୍ତି, ନବୋଦୟ ଆଦି ପାଇ ବ୍ଲକରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଆସିଛି।

ଏହି ବିଦ୍ୟାଳୟଟି ଏବେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଏହାର ୩ଟି ଶ୍ରେଣୀଗୃହ ଶତାଧିକ ବର୍ଷର ପୁରୁଣା ହୋଇଥିବାରୁ ଛାତ ଖସୁଥିବାରୁ ସମ୍ପୂର୍ଣ ଅଚଳାବସ୍ଥା ସୃଷ୍ଟି ହୋଇଛି। ଛାତ ଫାଟି ଲୁହା ଛଡ଼ ଗୁଡ଼ିକ ତାଳମୁହଁ ହୋଇ ରହିଛି। ଏକ ଅର୍ଦ୍ଧ ନିର୍ମିତ ନୂତନ ଶ୍ରେଣୀ ଗୃହରେ ଝରକା ନାହିଁ କି କବାଟ ନାହିଁ। କାନ୍ଥ ଛପେଇ ବି ହୋଇନାହିଁ। ବର୍ତ୍ତମାନ ଖରା ଦିନରେ ପାଠପଢ଼ା ଚାଲିଛି। କୋଠରି ମଧ୍ୟରେ ପଙ୍ଖାଟିଏ ଲଗାଇବାର ବ୍ୟବସ୍ଥା ବି କରିହେଉନି ଖୋଲା ଥିବା ଯୋଗୁ। ଏମିତି ପରିସ୍ଥିତିରେ ପିଲା ବସି ପାଠ ପଢିବେ କେମିତି।

ଅନ୍ୟପକ୍ଷରେ ଏହି ବିଦ୍ୟାଳୟକୁ ଲାଗି ରହିଛି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ। ବର୍ତ୍ତମାନ ଏହାର ୫ ଟି ରୂପାନ୍ତରଣ କାର୍ଯ୍ୟ ଚାଲୁଛି। ଏହି ବିଦ୍ୟାଳୟର କାର୍ଯ୍ୟ ଦେଖିବା, ତଦାରଖ କରିବା ପାଇଁ ବରଗଡ଼ ଜିଲ୍ଲାପାଳ ଦୁଇ ଦୁଇ ଥର ପରିଦର୍ଶନରେ ଆସିଛନ୍ତି। ହେଲେ ଏହି ଛୋଟ ଛୋଟ ଶିଶୁଙ୍କ ଶତାଧିକ ବର୍ଷର ପୁରୁଣା ବିଦ୍ୟାଳୟକୁ ଟିକେ ଦୃଷ୍ଟି ପକେଇ ନାହାନ୍ତି। ଡିମିରି ଗଛ ତଳେ ଅଙ୍ଗନୱାଡି ପାଠ ପଢାକୁ ନେଇ ‘ସମାଜ’ରେ ପ୍ରକାଶିତ ହେବା ପରେ ତତ୍କାଳୀନ ଜିଲ୍ଲାପାଳ ଟୋପରେ ପହଞ୍ଚିଥିଲେ। ସମସ୍ୟାର ସମାଧାନ କରିବା ପାଇଁ ସେ ପ୍ରାଥମିକ ବିଦ୍ୟାଳୟରେ ଅଙ୍ଗନୱାଡି କେନ୍ଦ୍ର ହେବ ବୋଲି କହି ଏହି କେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିଲେ। କିନ୍ତୁ ଏଥିପାଇଁ କୌଣସି ସ୍ଥାନ କିମ୍ବା ଘର ପାଇଁ କୌଣସି ଆର୍ଥିକ ରାଶିର ବ୍ୟବସ୍ଥା କରିନଥିବା ଜଣାପଡିଛି।

Comments are closed.