ମର୍ଯ୍ୟାଦା ସମ୍ପନ୍ନ ହେବାକୁ ପ୍ରେରଣା ଯୋଗାଏ ଶ୍ରୀରାମ ନବମୀ

ରେଙ୍ଗାଲିକ୍ୟାମ୍ପ: ଅତାବିରାର ବିଭିନ୍ନ ଅଞ୍ଚଳରେ ଆଜି ମହାସମାରୋହରେ ପାଳିତ ହୋଇଯାଇଛି ଶ୍ରୀରାମ ନବମୀ। ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ମହାମାରୀ କରୋନାରୁ ଯେତେବେଳେ ବିଶ୍ଵବାସୀ କିଛିଟା ତ୍ରାହି ପାଇଛନ୍ତି, ଅତି ଶ୍ରଦ୍ଧାର ସହ ଭଗବାନ ପୁରୁଷୋତ୍ତମ ଶ୍ରୀରାମ ଚନ୍ଦ୍ରଙ୍କ ଜନ୍ମ ତିଥି ବହୁ ଆଡମ୍ବରସହ ପାଳିତ ହେଉଛି। ଖଲିଆପାଲି ଗ୍ରାମରେ ନବ ନିର୍ମିତ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପରେ ପରେ ମହାମାରୀ ସଂକ୍ରମଣ ଯୋଗୁଁ ସବୁକିଛି ବନ୍ଦ ରହିଥିଲା। କେବଳ ବାହାରୁ ଦର୍ଶନ କରି ଭକ୍ତମାନେ ଫେରି ଯାଇଥିଲେ।

ରାମ ଜନ୍ମତିଥିରେ ହେଉଥିବା ଚବିଶ ପ୍ରହରୀ ନାମ ଯଜ୍ଞ ମଧ୍ୟ ବନ୍ଦ ରହିଥିଲା କିନ୍ତୁ ଚଳିତ ବର୍ଷ ଅର୍ଥାତ୍ ଆଜି ଗ୍ରାମରେ ସକାଳ ଚାରିଟାରୁ ଆରମ୍ଭ ହୋଇ ଯାଇଛି ରାମଙ୍କର ପୂଜାର୍ଚ୍ଚନା କାର୍ଯ୍ୟକ୍ରମ। ଶ୍ରୀରାମଙ୍କ ସମେତ ଭାଇ ଲକ୍ଷ୍ମଣ, ମାତା ସୀତା ଓ ଭକ୍ତ ହନୁମାନଙ୍କ ବିଗ୍ରହଙ୍କୁ ସ୍ନାନ କରାଯାଇ ଷୋଡ଼ଷପଚାରେ ପୂଜା କରାଯାଇଥିଲା। ଏହାପରେ ଗ୍ରାମର ମଝି ଦାଣ୍ଡରେ ନିର୍ମିତ ଯଜ୍ଞ ମଣ୍ଡଳୀ ବା ନାମମଣ୍ଡଳୀକୁ ଉଜ୍ବଳ ଆଲୋକମାଳା ତଥା ଆମ୍ବ ତୋରଣ ଦେଇ ସଜ୍ଜିତ କରାଯାଇ ଥିଲା। ଗ୍ରାମର ପୋଖରୀରୁ ନାମ ସଙ୍କୀର୍ତ୍ତନ ସହ ହରିବୋଲ ହୁଳୁହୁଳି ଦେଇ ପୂର୍ଣ୍ଣ କଳସ କର୍ତ୍ତା ଗୋପାଳ ଦେବତା ଓ ତାଙ୍କ ଧର୍ମପତ୍ନୀଙ୍କ ଦ୍ଵାରା ଅଣାଯାଇ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା। ପଣ୍ଡିତ ବାବୁଲାଲ ପାଣ୍ଡିଆଙ୍କ ମନ୍ତ୍ରୋଚ୍ଚାରଣ ଦ୍ଵାରା ପୂଜା କାର୍ଯ୍ୟ ଓ ହୋମ ଆହୁତି ପ୍ରଦାନ କରାଯାଇ ମହାମନ୍ତ୍ର ଜପ ଆରମ୍ଭ ହୋଇଥିଲା।

ଗ୍ରାମର ସମସ୍ତ ହବିଷଧାରି ହାତରେ ହବିଷ ବ୍ରତ ବାନ୍ଧି ନାମ ଜପରେ ମଜ୍ଜିଯାଇଥିଲେ। ଏହି ନାମ ଜପ ଚବିଶ ପ୍ରହରୀ ପର୍ଯ୍ୟନ୍ତ ଚାଲିବ। ଆସନ୍ତା ଶୁକ୍ଳ ଦ୍ଵାଦଶୀ ତିଥିରେ ପୂର୍ଣ୍ଣାହୁତି ପଡ଼ିବ ବୋଲି ଜଣାପଡିଛି। ତିନି ଦିନ ଧରି ହବିଷlର୍ଣ୍ଣ ଗ୍ରହଣ କରି ପାଲି ଅନୁସାରେ ଗ୍ରାମର ପୁରୁଷ ତଥା ଯୁବ ଗୋଷ୍ଠୀ ଏହି ନାମ ଜପରେ ସାମିଲ ହୋଇ ରହିବେ। ଠିକ୍ ସେହିପରି ଭୂର୍ଷିପାଲି, ଜାଙ୍ଗେଡ, ପୋଡବlଡି ଆଦି ବିଭିନ୍ନ ଗ୍ରାମରେ ରାମ ନବମୀ ଉତ୍ସବ ସହ ମହମନ୍ତ୍ର ଜପ ଆରମ୍ଭ ହୋଇଯାଇଛି। କେଉଁଠି ଅଷ୍ଟ ପ୍ରହରୀ ନାମ ଜପ ତ ଆଉ କେଉଁଠାରେ ଚୋବିଶ ପ୍ରହରୀ ନାମ ଜପ ଚାଲିଛି। ରାମ ମନ୍ଦିର ତଥା ଯଜ୍ଞ ମଣ୍ଡପମାନଙ୍କରେ ଭକ୍ ମାନଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଚୈତ୍ର ନବରାତ୍ର ସହ ରାମ ନବମୀ ଉତ୍ସବର ଏହି ମହାର୍ଘ ଅବସରରେ ଅଞ୍ଚଳ ଉତ୍ସବ ମୁଖରିତ ହୋଇଉଠିଛି।

Comments are closed.