ମିଲର୍ସ୍ ଓ ପ୍ରଶାସନ ପଶା ଖେଳରେ ସର୍ବସ୍ବାନ୍ତ ଚାଷୀ, ମିଲର୍ସ ମାଲାମାଲ

ରେଙ୍ଗାଲିକ୍ୟାମ୍ପ: ଚଳିତ ରବିଫସଲ ଅମଳରେ କରୋନା ଓ କାଳବୈଶାଖୀ ଚାଷୀଙ୍କୁ ଯେତିକି ପ୍ରଭାବ ପକାଇଛି ତା ଠାରୁ ଶହେଗୁଣ ଅଧିକ ପ୍ରଭାବ ପକାଉଛି ମିଲର୍ସଙ୍କ ମନମୁଖୀ କାମ। ମିଲର୍ସ ମାନଙ୍କ ଲାଭଖୋର ମନୋବୃତ୍ତି ଆଉ ନିଜର ଅହେତୁକି ସ୍ବାର୍ଥ ହାସଲ କରିବାର ସଂକୁଚିତ ମନୋବୃତ୍ତି ଯୋଗୁ ଆଜି ଶହ ଶହ ଚାଷୀ ସର୍ବସ୍ବାନ୍ତ ହୋଇଛନ୍ତି। ସରକାରଙ୍କ ଟୋକନ ବ୍ୟବସ୍ଥାର ଫାଇଦା ଉଠାଉଛନ୍ତି ଏହି ମିଲର୍ସ ଗୋଷ୍ଠୀ। ଏବେ ପେକ୍ସ ବି ମିଲର୍ସ ମାନଙ୍କ ଚାପରେ ରହିଥିବା ଜଣାପଡିଛି। ଧାନ କିଣା ବିକାରେ ଏବେ ମିଲର୍ସ ରାଜ୍ ଚାଲିଛି। ଧାନ କିଣାକୁ ସ୍ୱଚ୍ଛ କରିବା ପାଇଁ ସରକାର ଟୋକନ ପ୍ରଚଳନ କଲେ। ଟୋକନର ଅବଧି ସଂକୁଚିତ କରିବା ଫଳରେ ଯେଉଁ ଚାଷୀଙ୍କର ଟୋକନ ଆସିଛି ତଥା ଧାନ ଅମଳ କରିପାରି ନାହାନ୍ତି ସେମାନେ ବେପାରୀ ତଥା ଧାନ ମିଲର୍ସଙ୍କ ଏଜେଣ୍ଟ ଜରିଆରେ ମଣ୍ଡି କର୍ମଚାରୀଙ୍କୁ ବସ୍ତା ପ୍ରତି ୧୨ ଟଙ୍କା, ମିଲର୍ସ ଏଜେଣ୍ଟକୁ ୪୦ ଟଙ୍କା, ମିଲର ଛଟନି ପାଇଁ ୨ରୁ ୩ କେଜି ଅର୍ଥାତ ୪୦ରୁ ୬୦ ଟଙ୍କା, ବସ୍ତା କିଣା ପ୍ୟାକେଟ ପ୍ରତି ୨୫ ଟଙ୍କା ହିସାବରେ ୨ ପ୍ୟାକେଟକୁ ୫୦ଟଙ୍କା, ମଣ୍ଡି ପର୍ଯ୍ୟନ୍ତ ଧାନର ପରିବହନ ଖର୍ଚ୍ଚ ୨୦ରୁ ୩୦ ଟଙ୍କା ଇତ୍ୟାଦି ବାବଦକୁ ବସ୍ତା ପ୍ରତି ୨୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି। ଅନ୍ୟ ବର୍ଷ ମାନଙ୍କରେ ଏହି ଖର୍ଚ୍ଚ ବାବଦକୁ ୧୦୦ ମଧ୍ୟରେ ସିମୀତ ଥିଲା। ଏତେ ଟଙ୍କା କ୍ଷତିରେ ମଧ୍ୟ ଚାଷୀ ତାର ଧାନ ବିକିବା ପାଇଁ ବାର ଦୁଆର ସୁଣ୍ଡିପିଣ୍ଡା ହେଉଛି। କେତେବେଳେ ବେପାରୀମାନଙ୍କର ଗୋଡ଼ ଧରୁଛି ତା ଆଉ କେତେବେଳେ ମିଲର୍ଷ ମାନଙ୍କର।କେତେ ନେହୁରା ହେଉଛି ତାର ଧାନ ଗଣ୍ଡକ ବିକ୍ରି କରିବା ପାଇଁ। କିନ୍ତୁ ଧାନ ମଣ୍ଡିକୁ ପହଞ୍ଚାଇବା ପରେ ମଧ୍ୟ ଟୋକନ ବାତିଲ ହେଉଛି।

ପ୍ରତିଦିନ ଅତାବିରା, ଲରମ୍ଭା ଓ ଝିଲିମିଣ୍ଡା ସୋସାଇଟି ଅଧୀନରେ ଥିବା ମଣ୍ଡି ମାନଙ୍କରେ ୨୦ ଟି ପର୍ଯ୍ୟନ୍ତ ଟୋକନ ବାତିଲ ହେଉଛି। ସରକାରଙ୍କ ନିର୍ଦ୍ଧାରିତ ନୀତି ଅନୁସାରେ ମଣ୍ଡି ରେ ଧାନ ପହଞ୍ଚିଲା ପରେ ଧାନ ଓଜନ ହୋଇ ଏରିଭାଲ ହେବା କଥା,କିନ୍ତୁ ଏବେ ମିଲର୍ଷ ଙ୍କ ହିସାବରେ ଧାନ ଟ୍ରକ୍ ରେ ଲୋଡ଼ିଂ ହେବା ପରେ ତାହା ପେକ୍କ ଏରିଭାଲ୍ ହେଉଛି। ଫଳରେ ମଣ୍ଡିରେ ହଜାର ହଜାର ପାକେଟ ଧାନ ପଡ଼ିରହି ବର୍ଷାରେ ଭିଜିଯାଇ ଗଜା ମାରୁଛି। କେତେକ ଚାଷୀ ଟୋକନ ପାଇ ଧାନ ମଣ୍ଡିରେ ପକାଇ ତାହା ଏରିଭାଲ ବି ହୋଇସାରିବା ପରେ ଟୋକନ ବାତିଲ ହେଉଥିବା ଚଷିଁ ଅଭିଯୋଗ କରୁଛନ୍ତି। ତେବେ ଏଇଠି ପ୍ରଶ୍ନ ଉଠୁଛି ଯେ ଏରିଭାଲ ହେଲା ପରେ ବି ଟୋକନ କେମିତି ବାତିଲ ହେଉଛି? ଏଥିପାଇଁ କିଏ ଦାୟୀ? ପେକ୍ସ ନା ଚାଷୀ? କିନ୍ତୁ ସର୍ବସ୍ବାନ୍ତ ହେଉଛି ଚାଷୀ।

୧୭ଏମ୍ ସି ଧାନ ମାର୍କେଟ କୁ ଆଣିବା ପାଇଁ ସରକାର ଚାଷୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି,ଯାହା ଉନ୍ନତ ମାନର ବୋଲି ସର୍ବସମ୍ମତି ଦିଆଯାଇଛି। ହେଲେ କାଳବୈଶାଖୀ ର ସୁଯୋଗ ନେଇ ୧୫ଏମ୍ ସି ଧାନ ଆଣିଲେ ବି ସେଥିରୁ ପ୍ୟାକେଟ ପ୍ରତି ୧କେଜି ଧାନ ମିଲର୍ଷ ମାନେ କାଟୁଥିବା ନେଇ ଚାଷୀ ଅଭିଯୋଗ କରୁଛନ୍ତି।ତେବେ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ମିଲର୍ସ୍ ମାନଙ୍କ ର ଚାଲୁଥିବା ମନମୁଖୀ କାମ ।ସିଧାସଳଖ କହିବାକୁ ଗଲେ ଚାଷୀଙ୍କୁ ଶୋଷଣ କରୁଛନ୍ତି ଏଇ ମିଲର୍ସ ମାନେ। ଧାନ କିଣିବା ପାଇଁ ମଣ୍ଡି ଖୋଲିବା ପରେ ପ୍ରଥମେ ଅତାବିରା ର ସ୍ଥାନୀୟ ମିଲର୍ସ ମାନଙ୍କୁ ଟେକ୍ ମିଳିଥିଲା।କିନ୍ତୁ ସେତେବେଳେ ଚାଷୀଙ୍କ ଧାନ ଅମଳ ହୋଇପାରି ନଥିଲା ଯାହା ଫଳରେ ମନ ଇଚ୍ଛା ଧାନ କିଣା ନିତି ଚାଲିଥିଲା। ଏବେ ପୁଣି ବରଗଡ଼ର ୪ଟି ମିଲର୍ସ୍ ଙ୍କୁ ୧୬୦୦୦ ଟେକ୍ ଦିଆଯାଇଛି। ଏବେ ଧାନ ଉଠିବାରେ ବିଳମ୍ବ ହେଉଛି। ବର୍ଷାରେ ଧାନ ଭିଜି ଯାଇ ନଷ୍ଟ ହେଉଛି। ମିଲର୍ସ୍ ଏହାର ଫାଇଦା ଉଠାଇ ଶାଗ ଦରରେ ଧାନ ବିକିବାକୁ ଚାଷୀଙ୍କୁ ବାଧ୍ୟ କରାଉଛି। ଏପରିକି ଚାଷୀ ପଲିଥିନ ପ୍ୟାକେଟ ରେ ଧାନ ବିକ୍ରୟ ପାଇଁ ଆଣିଥିଲେ ମଧ୍ୟ ବସ୍ତାର ଓଜନ ୨୦୦ ଗ୍ରାମ ପରିବର୍ତ୍ତେ ୭୦୦ ଗ୍ରାମ କଟାଯାଉଛି। ସେଥିରେ ବି ଚାଷୀ ସୋଷିତ ହେଉଛି । ମାର୍କେଟ ଆଗରେ ଜାତୀୟ ରାଜପଥ ଉପରେ ଟି ରାମନା ଓ କାଶୀ ନାମକ ଜନୈକ ଚାଷୀଙ୍କର ୯ଏକର ଜମିର ୭୨୦ ପ୍ୟାକେଟ ଧାନ ଭିଯିଯାଇ ଗଜା ମାରିଛି। ସେମାନେ ଧାନ ଭରିବା ପାଇଁ ବସ୍ତା ବି ପାଇ ନାହାନ୍ତି ଏବଂ ମାଗିଲେ ଧାନ ଏଣ୍ଟ୍ରି କଳା ପରେ ଯାଇ ବସ୍ତା ମିଳିବା ବୋଲି କୁହାଯାଇଥିବା ଅଭିଯୋଗ କରିଛନ୍ତି।ସେମାନେ ବାଧ୍ୟ ହୋଇ ୨୫ଟଙ୍କା ଲେଖାଏଁ ଦେଇ ବସ୍ତା କିଣୁଛନ୍ତି। ଚାଷୀଙ୍କ ଧାନ ସୁରକ୍ଷା ପାଇଁ କୋଟି କୋଟି ଟଙ୍କାର ପଲିଥିନ ପ୍ରତିବର୍ଷ ଆସୁଛି ସରକାରଙ୍କ ପକ୍ଷରୁ।କିନ୍ତୁ କୌଣସି ଚାଷୀଙ୍କ ଧାନରେ ଭଲ ପଲିଥିନ ଟିଏ ନାହିଁ। ତେବେ ଚାଷୀଙ୍କୁ ଏକ ପ୍ରକାର ଶାରୀରିକ, ମାନସିକ ଓ ଆର୍ଥିକ ନିର୍ଯାତନା ଦିଆଯାଉଛି।

ଯେତେ ଦିନ ପର୍ଯ୍ୟନ୍ତ ସରକାର ମିଲର୍ସଙ୍କ ଦୟାରେ ଧାନ କିଣୁଥିବେ, ମଣ୍ଡି ବ୍ୟବସ୍ଥାକୁ ସୁଦୃଢ କରିବେ ନାହିଁ, ସେତେଦିନ ପର୍ଯ୍ୟନ୍ତ ଜଣା ପଡିବ ଯେ ସରକାର ସ୍ୱଚ୍ଛତା ନାଁ ରେ ଦୁର୍ନୀତି କରୁଛନ୍ତି ଓ ଟୋକନ ଜରିଆରେ ନିଜେ ବ୍ୟବସାୟ କରୁଛନ୍ତି। ତେଣୁ ଶୀଘ୍ର ଚାଷୀଙ୍କ ସମସ୍ୟାକୁ ସରକାର ବା ପ୍ରଶାସନ ଦୂର କରନ୍ତୁ ନଚେତ୍ ଏକ ବିରାଟ ଚାଷୀ ଆନ୍ଦୋଳନର ସମ୍ଭାବନାକୁ ସରକାର ଏଡାଇ ଦେଇ ପାରିବେ ନାହିଁ ବୋଲି ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ଶାଖା ର ବରିଷ୍ଠ ଚାଷୀ ନେତା ଭିକାରୀ ଚରଣ ବାରିକ୍, ଶ୍ରୀମନ୍ତ ବାରିକ୍, ଗଣେଶ ମହାକୁର, ପଲଉ ମାଝୀ ସମେତ ଅନ୍ୟାନ୍ୟ ଚାଷୀ ଚେତାବନୀ ଦେଇଛନ୍ତି।

Comments are closed.