ସଂରକ୍ଷଣ ବିଜ୍ଞପ୍ତିକୁ ନେଇ ଅସନ୍ତୋଷ; ସଂଶୋଧନ ପାଇଁ ଜିଲାପାଳଙ୍କୁ ଫେରାଦ୍

ରେଙ୍ଗାଲି: ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ ହେଉଛନ୍ତି। ଯେ କୌଣସି ସମୟରେ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇପାରେ। ତେବେ କିଛି ଦିନ ତଳେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶିତ ହୋଇଥିବା ସଂରକ୍ଷଣ ତାଳିକାକୁ ନେଇ ରେଙ୍ଗାଲି ବ୍ଳକରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକାଶିତ ସଂରକ୍ଷଣ ତାଳିକାରେ ବ୍ଳକର ୧୬ ଟି ଯାକ ପଞ୍ଚାୟତର କୌଣସି ଗୋଟିଏ ହେଲେ ପଞ୍ଚାୟତର ସରପଞ୍ଚ ପଦବୀ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ କରାଯାଇ ନାହିଁ । ଫଳରେ ଅନୁସୁଚିତ ଜନଜାତି ସଂପ୍ରଦାୟ ଏବଂ ସଚେତନ ନାଗରିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସରକାର ଆଦିବାସୀ ସଂପ୍ରଦାୟ ପାଇଁ ସବୁ କ୍ଷେତ୍ରରେ ପ୍ରାଥମିକତା ଦିଆଯାଉଛି ବୋଲି ଡିଣ୍ଡିମ ପିଟୁଥିବା ବେଳେ ପ୍ରକାଶିତ ସଂରକ୍ଷଣ ତାଳିକାରେ ରେଙ୍ଗାଲି ବ୍ଳକର କୌଣସି ସରପଞ୍ଚ ପଦ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ କରା ନଯିବା ଦୁର୍ଭାଗ୍ୟ ର ବିଷୟ ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନୁସୂଚିତ ଜନଜାତି ସଂପ୍ରଦାୟକୁ ସରପଞ୍ଚ ପଦବୀରେ ସଂରକ୍ଷଣ ରୁ କାହିଁକି ବାଦ୍ ଦିଆଗଲା ବୋଲି ପ୍ରଶ୍ନ ହେଉଛି।

 

ପ୍ରକାଶିତ ତାଳିକାର ସଂଶୋଧନ କରାଯାଇ ଅନୁସୂଚିତ ଜନଜାତିଙ୍କ ପାଇଁ ସରପଞ୍ଚ ପଦବୀ ରେ ନିୟମ ଅନୁସାରେ ସଂରକ୍ଷଣ ବ୍ୟବସ୍ଥା କରିବାକୁ ରେଙ୍ଗାଲି ବ୍ଳକ୍ ଲଇଡା କୃଷକ ସଙ୍ଗଠନର ସଭାପତି ସଲିଲ ନାଏକ, ଲଇଡା ସରପଞ୍ଚ ଯୁଗଳକିଶୋର ସାହୁ,ଆଞ୍ଚଳିକ ଲକ୍ଷଘର ଗଣ୍ଡା ସମାଜ ସଭାପତି ଭାରତଚନ୍ଦ୍ର କରାଲି, ସମ୍ପାଦକ ନରେଶ ତଣ୍ଡିଆ, ନାସିର ଅଲ୍ଲି , ପ୍ରେମାନନ୍ଦ ବ୍ରିନେଦ୍ ପ୍ରମୁଖ ଜିଲାପାଳଙ୍କ ଠାରେ ଲିଖିତ ଦାବୀ କରିଛନ୍ତି। ଏହାବ୍ୟତୀତ ଲଇଡା ପଞ୍ଚାୟତର ସରପଞ୍ଚ ପଦ ୨୫ ବର୍ଷ ପୂର୍ବେ ଅନୁସୂଚିତ ଜାତି ମହିଳାମାନଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଏବେ ପୁଣି ତହିଁ ର ପୁନଃରାବୃତ୍ତି କରାଯାଇଥିବାରୁ ଅନୁସୂଚିତ ଜାତି ସଂପ୍ରଦାୟର ପୁରୁଷ ପ୍ରାର୍ଥୀ ସରପଞ୍ଚ ପାଇଁ ପ୍ରତିଦ୍ୱନ୍ଦିତାରୁ ବଞ୍ଚିତ ହୋଇଛନ୍ତି । ଏଣୁ ଏହାର ସଂଶୋଧନ କରାଯାଇ ଲଇଡା ପଞ୍ଚାୟତର ସରପଞ୍ଚ ପଦ ଅନୁସୂଚିତ ଜାତି ପୁରୁଷଙ୍କ ପାଇଁ ସଂରକ୍ଷିତ କରିବାକୁ ଦାବୀ କରଯାଇଛି।

Comments are closed.