ଧାରା ଶ୍ରାବଣରେ ବୈଶାଖ ଭଲି ରୌଦ୍ର ତାପ, ଚାଷ ଜମି ଫାଟି ଆଁ

ରେଙ୍ଗାଲି : ସମ୍ବଲପୁର ଜିଲାର ରେଙ୍ଗାଲି ବ୍ଳକ୍‍ ଅଞ୍ଚଳରେ ଜୁଲାଇ ମାସରେ ଆଦୌ ବର୍ଷା ହୋଇ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ସାଧାରଣତଃ ଶ୍ରାବଣ ମାସରେ ଝଁକେର ବର୍ଷା ହୋଇ ଥାଏ ବୋଲି ଏହି ମାସକୁ ଧାରା ଶ୍ରାବଣ ବୋଲି କୁହା ଯାଇଥାଏ। କିନ୍ତୁ ବିଡମ୍ବନାର ବିଷୟ ଯେ, ଶ୍ରାବଣରେ ଜ୍ୟେଷ୍ଠ.ବୈଶାଖ ମାସ ଭଲି ମୁଣ୍ଡ ଫଟା ଖରାରେ ଲୋକେ ତ୍ରାହି ତ୍ରାହି ଡାକ ଛାଡୁଛନ୍ତି। ଚାଷ ଜମି ଶୁଖିଯାଇ ଫାଟି ଆଁ କଲାଣି । ଶ୍ରାବଣ ମାସରେ କ୍ଷେତରେ ନଡିଆ ଭାଙ୍ଗିଯିବା ଭଲି ସ୍ଥିତି ଦେଖାଦେଲାଣି ବୋଲି ଚାଷୀ ମହଲରେ ଉଦ୍‍ବେଗ ପ୍ରକାଶ ପାଇଲାଣି। କାଁ ଭାଁ ଖାଲୁଆ ବାହାଲ ଏବଂ ବେର୍ଣା କିସମ ଜମିକୁ ଛାଡି ଦେଲେ ବାକି କିସମ ଜମି ରେ ପାଣି ନାହିଁ। ଚାଷ ହୋଇଥିବା ଧାନ ଗଛ ଶୁଖି ମରିବାକୁ ବସିଲାଣି। ବର୍ଷା କମ୍‍ ହୋଇ ଥିବାରୁ ବନ୍ଧକଟା ଆଦି ପାରମ୍ପାରିକ ଜଳ ଉତ୍ସ ଗୁଡିକ ମଧ୍ୟ ପୂର୍ଣ ଗର୍ଭା ହୋଇ ପାରିନାହିଁ। ଏହି ସଙ୍କଟ ଜନକ ସ୍ଥିତି ରେ ଉପାୟ ଶୂନ୍ୟ ହୋଇ ଚାଷୀ କପାଳ ରେ ହାତ ମାରି ବର୍ଷା କୁ ଚାତକ ଭଲି ଅନାଇ ବସିଛନ୍ତି। ଶ୍ରାବଣ ମାସ ରେ ବର୍ଷା ର ଏଭଲି ଦୟନୀୟ ଅବସ୍ଥା ଆମେ କେବେ ଦେଖି ନଥିଲୁ ବୋଲି ପୁରୁଖା ଚାଷୀ ମାନେ କହୁଛନ୍ତି। ଆଉ କିଛି ଦିନ ବର୍ଷା ନହେଲେ ଚାଷ ଜମିରେ ଗୋରୁ ଚରାଇଦେବା ଛଡା ଆଉ କିଛି ଉପାୟ ନାହିଁ ବୋଲି କେତେକ ଅଞ୍ଚଳ ର ହତାସ୍‍ ଚାଷୀ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।

ସୂଚନା ଅନୁଯାୟୀ, ଜୁଲାଇ ମାସ ରେ ମାତ୍ର ୩ ଦିନ ଅତି ସ୍ୱଳ୍ପ ପରିମାଣରେ ରେଙ୍ଗାଲି ସହର ଏବଂ ଏହାର ଆଖପାଖ କେତେକ ଗାଁରେ ବର୍ଷା ହୋଇଥିଲା। ଯାହାକି ବର୍ଷା ନ ହେଲା ସହିତ ସମାନ। ତେବେ ବ୍ଳକର ବାକି ସମସ୍ତ ପଞ୍ଚାୟତ ଅଞ୍ଚଳରେ ଅଂଶୁଘାତ ହୋଇଯିବା ଭଲି ତାଳୁଫଟା ଖରା ରେ ଲୋକେ ଝାଲନାଲ ହୋଇ ଅତିଷ୍ଠ ହୋଇ ପଡୁଛନ୍ତି। ଶ୍ରାବଣ ସରିବାକୁ ଆଉ ମାତ୍ର ୪ଦିନ ବାକି ରହିଲା। ବର୍ଷାର ଦେଖା ନାହିଁ। ଗାଁ ଦାଣ୍ଡରେ ଧୂଳି ଉଡୁଛି। ସୂଚିତ ଯେ ଏହି ବ୍ଳକର  ତବଡାବାଲ ଏବଂ ପଣ୍ଡରି ଗ୍ରାମ କୁ ଛାଡି ଦେଲେ ୧୬ଟି ଯାକ ପଞ୍ଚାୟତ ଅଣଜଳ ସେଚିତ ଅଞ୍ଚଳ ଅଟେ। ବର୍ଷା ଜଳ ଉପରେ ନିର୍ଭର କରି ଚାଷୀ ମାନେ ଖରିଫ ଫସଲ ଚାଷ କରିଥାନ୍ତି। ଚଳିତ ବର୍ଷ ଚାଷ ପାଇଁ ପାଣି ଆବଶ୍ୟକ ଥିବା ସମୟ ବର୍ଷା ନ ହୋଇ ପ୍ରଚଣ୍ଡ ଖରା ହେଉଥିବାରୁ ନିଶ୍ଚିତ ମରୁଡି ଆଶଙ୍କାରେ ଆଶଙ୍କିତ ଚାଷୀ ଆଖିରୁ ନିଦ ହଜିଯାଇଛି। ଗୋଟିଏ ପଟେ କରୋନା କଷଣ ଏବଂ ଅନ୍ୟ ପଟେ ବର୍ଷା ଅଭାବର କଷଣ ବେଡି ଆମକୁ ବେଡି ଉପରେ କୋରଡା ସଦୃଶ ହୋଇ ପଡୁଛି ବୋଲି ଚାଷୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି।

Comments are closed.