ଲଇଡା ସମେତ ବିଭିନ୍ନ ସ୍ଥାନରେ ବଏଲ୍ ଯାତ୍ରା ପାଳିତ

ରେଙ୍ଗାଲି:ସମ୍ବଲପୁର ଜିଲ୍ଲା ର ଲଇଡା ଗ୍ରାମ ର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ ଦେବୀ ଙ୍କ ପୀଠ ରେ ଗତକାଳି ଠାରୁ ଆରମ୍ଭ ହୋଇଥିବା ପ୍ରସିଦ୍ଧ ବଏଲ୍ ଯାତ୍ରା ଅଜି ମଧ୍ୟାହ୍ନ ରେ ଉଦଯାପିତ ହୋଇଯାଇଛି। ବୁଧବାର ରାତିରେ ସମଲେଶ୍ୱରୀ ଦେବୀ ଙ୍କ ପୀଠ ରେ ବିଧିମତେ ପୂଜା ଅର୍ଚ୍ଚନା କରାଯାଇ ପୂଜକ କ୍ଷିରୋଦ ଚନ୍ଦ୍ର ପୂଜାରୀ ଧ୍ୟାନରେ ବସିଥିବା ଦେବୀବାହନ ବରୁଆ ଶରୀର ରେ ମନ୍ତ୍ରତନ୍ତ୍ର ପ୍ରୟୋଗ କରି ଦୈବୀ ଶକ୍ତିସଂଚାରିତ କରିଥିଲେ। ଢୋଳ,ନିସାନ,ତାସା,ମହୂରୀ, ଗିନି,ଘଣ୍ଟ,ଘଣ୍ଟା ର ଷୋହଳ ଭରନି ବାଦ୍ୟ ର ତାଳ ସହ ଧ୍ୟାନ ରେ ବସିଥିବା ବରୁଆ ପ୍ରାୟ ରାତି ୧୦ଟା ସମୟ ରେ ଦେବୀବାହନ ବରୁଆ ଚାଚେରୀ ନୃତ୍ୟ କରି ମନ୍ଦିର ରୁ ଭକ୍ତମାନଙ୍କ ଦର୍ଶନ ଦେବା ତଥା ଆଶିର୍ବାଦ ପ୍ରଦାନ ସକାଶେ ଗ୍ରାମ୍ୟ ପରିକ୍ରମା ରେ ବାହାରି ଥିଲେ। ଏହି ଅବସର ରେ ମନ୍ଦିର ପରିସର ରେ ଦୁଃଖକଷ୍ଟ, ରୋଗନିବାରଣ ତଥ ମାନସିକ ପୂରଣ ପାଇଁ ଅଧିଆ ପଡି ଦେବୀ ଙ୍କ ଶରଣାପନ୍ନ ହୋଇଥିବା ଭକ୍ତମାନଙ୍କୁ ସଂଙ୍କଟ ରୁ ଉଦ୍ଧାର ର ବାଟ ବତାଇ ବରୁଆ ଆଶିର୍ବାଦ ପ୍ରଦାନ କରିଥିଲେ। ଦେବୀ ଙ୍କ ସାକ୍ଷାତ ଅବତାର ବୋଲି ବିବେଚିତ ବରୁଆ ଙ୍କ ଦର୍ଶନ କରିବା ପାଇଁ ମନ୍ଦିର ପରିସର ରେ ଶ୍ରଦ୍ଧାଲୁ ଭକ୍ତ ଙ୍କ ଭିଡ ଲାଗିଥିଲା। ଛତର ବାଉତି,ମଶାଳ, ଖଣ୍ଡା ଆଦି ଅସ୍ତ୍ର ଶସ୍ତ୍ର ସହ ଦେବୀବାହନ ବରୁଆ ଗ୍ରାମ୍ୟ ପରିକ୍ରମା କରିବା ଅବସର ରେ ପ୍ରତି ଘରେ ବରୁଆ ଙ୍କ ସ୍ୱାଗତ କରାଯାଇ ପୂଜା ଅର୍ଚ୍ଚନା କରାଯାଇ ଭୋଗ ନୈବେଦ୍ୟ (ମଡୋ) ଅର୍ପଣ କରାଯାଇଥିଲା। ଗ୍ରାମ୍ୟ ପରିକ୍ରମା କରି ସାରିଲା ପରେ ମଧ୍ୟାହ୍ନ ରେ ବରୁଆ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବା ଅବସର ରେ ଜମିଦାର ପୃଥୀରାଜ୍ ସିଂ ଏବଂ ତାଙ୍କ ଭାଇ ଦିଲ୍ଲିପ ସିଂହ ବରୁଆ ଙ୍କ ସହିତ ଖଣ୍ଡା କୌଶଳ ପ୍ରଦର୍ଶନ କରିଥିଲେ। ଏହାପରେ ପୁରୋହିତ ମନ୍ତ ପ୍ରୟୋଗ କରି ବରୁଆ ଶରୀର ରୁ ଦୈବୀଶକ୍ତି ଅପସାରଣ କରିବା ପରେ ବରୁଆ ପାଟ୍ ଯାଇ ବଏଲ୍ ଯାତ୍ରା ଉଦ୍ୟାପିତ ହୋଇଥିଲା। ଯାତ୍ରା ଆୟୋଜନ ଏବଂ ପରିଚାଳନା ରେ ପୂଜାକମିଟୀ ଏବଂ ସ୍ଥାୟୀ କମିଟୀ କର୍ମକର୍ତ୍ତା ଓ ସଦସ୍ୟ ମାନେ ସକ୍ରିୟ ଦାୟିତ୍ୱ ତୁଲାଇଥିଲେ।

ଲଇଡା ବ୍ୟତୀତ ବିଗତ ଦିନ ରେ ରେଙ୍ଗାଲି ବ୍ଳକ୍ ର ଝାଙ୍କରପାଲି (ଲାଉମାଲ) ର ତୁଲାରମା ରେ ଥିବା ସମଲେଶ୍ୱରୀ ପୀଠ, ରୁନିମହୁଲ. ସାଲଡ, ଲପଙ୍ଗା, ବମାଲୋଇ,ଲାରିପାଲି,ପୁଡାପଡା ଆଦି ବିଭିନ୍ନ ଗ୍ରାମ ରେ ଥିବା ଶକ୍ତିପୀଠ ମାନଙ୍କ ରେ ବିଧିମତେ ବଏଲ୍ ଯାତ୍ରା ଆୟୋଜିତ ହୋଇ ଦେବୀବାହନ ବରୁଆ ଗ୍ରାମ୍ୟ ପରିକ୍ରମାରେ ବାହାରି ଶ୍ରଦ୍ଧାଲୁ ଭକ୍ତ ମାନଙ୍କୁ ଦର୍ଶନ ଦେଇ ଆଶିର୍ବାଦ ପ୍ରଦାନ କରିଥିଲେ।

Comments are closed.