ୟୁରିଆ ପାଇଁ ଲଇଡା ସେବା-ସମବାୟ ସମିତିରେ ଚାଷୀଙ୍କ ପ୍ରବଳ ଭିଡ

ରେଙ୍ଗାଲି: କୃଷି ଏବଂ କୃଷକ ମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ସରକାର ଚାଷୀ ମାନଙ୍କ ଆବଶ୍ୟକତା ଅନୁଯାୟୀ ୟୁରିଆ ସାର ଯୋଗାଇବାରେ ସମ୍ପୂର୍ଣ ବିଫଳ ହୋଇଥିବାରୁ ଚାଷୀ ମାନଙ୍କ ମଧ୍ୟରେ ୟୁରିଆ ସାର ପାଇଁ ହାହାକାର ସୃଷ୍ଟି ହୋଇଛି। ୨୫ ଶହ ବସ୍ତା ୟୁରିଆ ସାର ଦରକାର ଥିବା ବେଳେ ଦୀର୍ଘ ଦିନର ବ୍ୟବଧାନ ପରେ ନୁଆଁଖାଇ ଦିନ ଭୋରରୁ ସମ୍ବଲପୁର ଜିଲାର ଲଇଡା ସେବା-ସମବାୟ ସମିତିକୁ ମାତ୍ର ଏକ ହଜାର ବସ୍ତା ୟୁରିଆ ସାର ଯୋଗାଇ ଦିଆଯାଇଥିଲା। ଯାହାକି ସମୁଦ୍ରକୁ ଶଙ୍ଖେ ସଦୃଶ। ସମବାୟ ସମିତି ୟୁରିଆସାର ଆସିଛି ବୋଲି ବୋଲି ଖବର ପାଇ ଆଜି ସକାଳୁ ଲଇଡା, ରେଙ୍ଗଲୋଇ ଏବଂ କିନାଲୋଇ ୩ଟି ପଞ୍ଚାୟତର ପ୍ରାୟ ୧ହଜାର ଚାଷୀ ସାର ନେବା ପାଇଁ ସମବାୟ ସମିତି ସମ୍ମୁଖରେ ଭଲି ଭିଡ ଜମେଇଥିଲେ। ୧୦/୧୨ ଜଣଙ୍କ ସାର ଦେଲା ପରେ ହୋହଲ୍ଲା ପାଟିତୁଣ୍ଡ ହେବାରୁ ସାର ବଣ୍ଟନ ପ୍ରକ୍ରିୟାକୁ ବନ୍ଦ କରି ଦିଆଯାଇଥିଲା। ଆସନ୍ତା କାଳି ଠାରୁ ଗୋଟିଏ ଦିନରେ ଗୋଟିଏ ପଞ୍ଚାୟତ ଅନୁସାରେ ୩ଦିନରେ ୩ଟି ପଞ୍ଚାୟତର ଚାଷୀଙ୍କୁ ପର୍ଯ୍ୟାୟକ୍ରମେ ସାର ବଣ୍ଟନ କରାଯିବ ବୋଲି ସେବା-ସମବାୟ ସମିତି ପକ୍ଷରୁ ନୋଟିସ୍‍ ମାଧ୍ୟମରେ ସୂଚନା ଦିଆଯାଇ ସାର ବଣ୍ଟନ ପ୍ରକ୍ରିୟାକୁ ବନ୍ଦ କରି ଦିଆଯାଇଥିଲା।

ବର୍ତ୍ତମାନ ଧାନ ଫସଲରେ ୟୁରିଆ ସାର ପ୍ରୟୋଗ ଜରୁରୀ ହୋଇଥିବା ବେଳେ ସେବା-ସମବାୟ ସମିତି ଏବଂ ଲାଇସେନ୍ସପ୍ରାପ୍ତ ଡିଲର୍‍ ମାନଙ୍କ ପାଖରେ ଚାଷୀଙ୍କ ଆବଶ୍ୟକତା ପୂରଣ କରିବା ଭଲି ୟୁରିଆ ସାର ନାହିଁ। ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀ ମାନେ କଳାବଜାରୀ କରି ବସ୍ତା ପ୍ରତି ୨୬୬ଟଙ୍କା ୫୦ ପଇସା ମୂଲ୍ୟ ଧାର୍ଯ୍ୟ ଥିବା ୟୁରିଆ ସାରକୁ ୫ଶହରୁ ୭ଶହ ଟଙ୍କାରେ ବିକ୍ରି କରି ମାଲେମାଲ୍‍ ହୋଇ ଚାଷୀ ମାନଙ୍କୁ ବେଧଡକରେ ଶୋଷଣ କରୁଛନ୍ତି ବୋଲି ଅଭିଯୋଗ ହେଉଛି। ବିଭାଗୀୟ କର୍ତ୍ତୃପକ୍ଷ କଳାବଜାରୀ ମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଛନ୍ତି ବୋଲି ସଚେତନ ଚାଷୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି।

Comments are closed.