ସଫେଇ ଆଳରେ ଅଳଙ୍କାର ନେଇ ଚମ୍ପଟ ମାରୁଥିବା ବାପପୁଅ ଗିରଫ

ରେଙ୍ଗାଲି: ରେଙ୍ଗାଲି ପୁରୁଣାବସ୍ତିର ବଲ୍ଲବି ସାହୁ ନାମ୍ନୀ ଜନୈକ ମହିଲା ନିଜ ଘରେ ଥିବାବେଳେ ଗତ ୯ ତାରିଖ ଶୁକ୍ରବାର ଦିନ ଦୁଇ ଜଣ ଅପରିଚିତ ବ୍ୟକ୍ତି ଘରକୁ ଆସି ନିଜକୁ ଉଜାଲା କମ୍ପାନୀର କର୍ମଚାରୀ ବୋଲି ପରିଚୟ ଦେଇ ଆମେ ସୁନା ରୂପା ଅଳଙ୍କାର ସଫା କରି ପୁରା ନୁଆ କରିଦେଉ ବୋଲି କହି କଥାବାର୍ତ୍ତାରେ ବଲ୍ଲବିଙ୍କୁ ବିମୋହିତ କରିଦେଇଥିଲେ। ଉଭୟ ଅପରଚିତଙ୍କ କଥାରେ ବଲ୍ଲବି ପ୍ରଭାବିତ ହୋଇ ଦୁଇଟି ରୂପା ପାଉଁଜି ସଫା କରିବାକୁ ଦେଇଥିଲେ। ଏହାପରେ ଦୁଇ ଠକ ରୂପା ପାଉଁଜିକୁ ପାଣି ଥିବା ଏକ ପାତ୍ରରେ ସଫା କରିବା ପାଇଁ ପକାଇ ଶୋଷ ହେଉଛି ପାଣି ପିଇବାକୁ ଦିଅ ବୋଲି ବଲ୍ଲବିଙ୍କୁ କହିବାରୁ ବଲ୍ଲବି ପାଣି ନେବାକୁ କୋଠରୀ ଭିତରକୁ ଗଲାବେଳେ ରୂପା ପାଉଁଜିକୁ ଏକ ଟିଣ ଡବାରେ ଭର୍ତ୍ତି କରିଦେଇ ଉଭୟେ ସେଠାରୁ ଚମ୍ପଟ ମାରିଥିଲେ।

ବଲ୍ଳବି କୋଠରି ଭିତରୁ ପାଣି ନେଇ ଆସି ଦେଖିଲା ବେଳକୁ ଠକ ଦ୍ୱୟଙ୍କୁ ନଦେଖି ସାହି ପଡିଶା ଲୋକଙ୍କୁ ଡାକି ଘଟଣା ସଂକ୍ରାନ୍ତରେ କହିଥିଲେ। ପଡିଶା ଲୋକେ ଠକଙ୍କୁ ଧରି ଉତ୍ତମ ମଧ୍ୟମ ଦେଇ ଥାନାରେ ଜିମା ଦେଇଥିଲେ। ବଲ୍ଲବିଙ୍କ ଏତଲା ଆଧାରରେ କେସ୍‍ ନଂ ୧୨୧ ଦଫା ୩୯୯/୪୦୨/୩୪ ଆଇପିସିରେ ମାମଲା ରୁଜ୍ଜୁ କରି ଆଇଆଇଆସି ଧବଳେଶ୍ୱର ସାହୁ ଘଟଣାର ତଦନ୍ତ କରି ଅଭିଯୁକ୍ତ ରାଜେଶ ସା(୪୭) ଏବଂ ତା’ର ପୁଅ କରଣ କୁମାରଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି। ଉଭୟେ ବିହାର ପ୍ରଦେଶ ଭାଗଲପୁର ଜିଲ୍ଲା ମୋଇଜାକପୁର ଥନା ଅନ୍ତର୍ଗତ ମହୁଦିନମଗରର ବାସିନ୍ଦା ବୋଲି ଜଣାପଡିଛି। ଦୁଇ ଠକଙ୍କ ଠାରୁ ସୁନାରୂପା ସଫା କରିବା ପାଇଁ ବ୍ୟବହାର କରୁଥିବା ସରଞ୍ଜାମ ଜବତ କରାଯାଇଛି।

Comments are closed.