ଅପନ୍ତରା ହୋଇ ପଡିରହିଛି କାଣିବନ୍ଧଲି-ଖପସାଡେରା ରାସ୍ତା

ରେଙ୍ଗାଲି: ସରକାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଭିତ୍ତିଭୁମି ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା ଏବଂ ସ୍ୱତନ୍ତ୍ର ପାଣ୍ଠି ବ୍ୟବସ୍ଥା କରିଛନ୍ତି ବୋଲି ଡେଙ୍ଗୁରା ବାଜୁଛି। ତେବେ ବିଡମ୍ବନାର ବିଷୟ ଯେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍‍ ଟାମ୍ପରକେଲା ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଗାଁ କାଣିବନ୍ଧଲିରୁ ଖପସାଡେରାକୁ ସଂଯୋଗ କରୁଥିବା ଆର୍‍.ଡି ରାସ୍ତା ଦୀର୍ଘ ବର୍ଷ ହେଲା ଅପନ୍ତରା ହୋଇ ପଡି ରହିଥିଲେ ମଧ୍ୟ ତଥା କଥିତ ଆଦିବାସୀ ଅଞ୍ଚଳର ବିକାଶ ଯୋଜନା ଏବଂ ସ୍ୱତନ୍ତ୍ର ପାଣ୍ଠିରୁ ଏହି ରାସ୍ତାର ଉନ୍ନତି ପାଇଁ କାଣି କଉଡିଟିଏ ବିନିଯୋଗ ହୋଇନାହିଁ। ରାସ୍ତାର ଉନ୍ନତି କରଣ କରାଯିବାକୁ ଟାମ୍ପରକେଲା ପଞ୍ଚାୟତର ସରପଞ୍ଚ ସନାତନ ସାହୁ ଏବଂ ଅଞ୍ଚଳବାସୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବୀପତ୍ର ପ୍ରଦାନ କରିବାର ଏକବର୍ଷ ବିତିଗଲା ପରେ ବି କୌଣସି ସୂଫଳ ମିଳୁନାହିଁ।

ଅସଂଖ୍ୟ ଗାଢ ଖାଳଖମାରେ ପରିପୁର୍ଣ ହୋଇ ପଡି ରହିଥିବା ଏହି ରାସ୍ତାରେ ବର୍ଷା ଋତୁ ଆରମ୍ଭ ହେବା ପରେ ୧୦୮ ଆମ୍ବୁଲାନ୍ସ ଯାଇ ପାରୁ ନାହିଁ। ଫଳରେ ଗୁରୁତର ଅସୁସ୍ଥ ରୋଗୀଙ୍କୁ ଖଟରେ ବୁହାହୋଇ କାଣିବନ୍ଧଲିକୁ ଆଣିବାକୁ ପଡିଥାଏ। ଏଭଲି ଦୟନୀୟ ଅବସ୍ଥାରେ ପଡି ଥିବା ଏହି ରାସ୍ତାର ଉନ୍ନତିକରଣ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଏବଂ ପ୍ରଶାସନ ଦୃଷ୍ଟି ଦେଉ ନଥିବାରୁ ତୀବ୍ର ଜନଅସନ୍ତୋଷ ଦେଖା ଦେଉଛି।

Comments are closed.