୧୦ ବର୍ଷ ବିତିଗଲା, ‘ବିଶାଖା’ ଜମିହରାଙ୍କୁ ମିଳିଲାନି ନ୍ୟାୟ

ସରକାର ଦେଇଥିଲେ, କମ୍ପାନୀ ଛଡ଼ାଇନେଲା, ଜମି ଫେରିପାଇବା ଆଶାରେ ଆଖି ବୁଜିଲେଣି ୫ ପ୍ରଜା

ରେଙ୍ଗାଲି: ସମ୍ବଲପୁର ଜିଲା ପରମାଣପୁର ପାଖ ନୁଆଁମୁଣ୍ଡାରେ ପ୍ରତିଷ୍ଠା ହୋଇଛି ବିଶାଖା ଆଜବେଷ୍ଟସ କମ୍ପାନୀ। ୧୦ ବର୍ଷ ହେଲା ଚାଲିଥିବା ଏହି ଆଜବେଷ୍ଟସ କାରଖାନା ପରିସରରେ ୧୦ଟି ଆଦିବାସୀ ଏବଂ ପଛୁଆବର୍ଗ ପରିବାର ଜମି ବିନା କ୍ଷତିପୂରଣ ତଥା ବିନା ସହମତିରେ କମ୍ପାନୀ ଜବରଦସ୍ତି ନିଜ ଅକ୍ତିଆରରେ ରଖି କାରଖାନା ଚଳାଇଛନ୍ତି। ଗତ ୧୦ ବର୍ଷ ହେଲା ଜମିହରା ଆଦିବାସୀ ପରିବାର ଜମି ଫେରିପାଇବା ପାଇଁ ବିଭିନ୍ନ ଦପ୍ତର, ଅଦାଲତର ଦ୍ୱାରସ୍ଥ ହୋଇଥିଲେ ହେଁ ଏଯାଏ ନ୍ୟାୟ ନପାଇ ଦୁଶ୍ଚିନ୍ତା ଏବଂ ଅନଟନରେ କାଳାତିପାତ କରୁଛନ୍ତି। ଜମିହରା ଆଦିବାସୀ ପରିବାର ମଧ୍ୟରୁ ଯଦୁ ମିର୍ଦ୍ଧା, ଶ୍ରୀକର ମିର୍ଦ୍ଧା, ଜଗଦୀଶ ମିର୍ଦ୍ଧା, ସାହେବ ମିର୍ଦ୍ଧା ପ୍ରମୁଖ ୪ ଜଣ ବିଗତବର୍ଷରେ ଜମିକୁ ଝୁରି ଝୁରି ମୃତ୍ୟୁବରଣ କରିଥିବାବେଳେ ଗତ ୨୦ ତାରିଖ ଦୁଃଖୁ ମିର୍ଦ୍ଧା ମୃତ୍ୟୁବରଣ କରିଛନ୍ତି। ସରକାର ଗରିବ ଆଦିବାସୀ /ହରିଜନ/ ପଛୁଆବର୍ଗର ସ୍ୱାର୍ଥରକ୍ଷା ଏବଂ ସେମାନଙ୍କୁ ଉଚିତ ନ୍ୟାୟ ଦେବାକୁ ଡେଙ୍ଗୁରା ପିଟୁଥିବା ବେଳେ ୧୦ ବର୍ଷ ହେଲା ବିଶାଖା ଆଜବେଷ୍ଟସ୍‌ କମ୍ପାନୀ ଯୋଗୁଁ ଜମି ହରାଇଥିବା ଆଦିବାସୀ ପରିବାର ନ୍ୟାୟ ପାଇଲେ ନାହିଁ। ଜମି ହରାଇଥିବା ପରିବାର ମୁଖ୍ୟଙ୍କ ମୃତ୍ୟୁ ପାଇଁ କମ୍ପାନୀ ଦାୟୀ ବୋଲି ସ୍ଥାନୀୟ ସଚେତନ ମହଲରେ ମତପ୍ରକାଶ ପାଉଛି।

ଗତ ୨୦ ତାରିଖ ଜମିହରା କୁଦୋପଡାର ଦୁଃଖୁ ମିର୍ଦ୍ଧା ବିଧବା ପତ୍ନୀ ସୁମିତ୍ରା (୫୮), ପୁଅ ଗୋବିନ୍ଦ (୩୫), ବୋହୂ ଯସ୍ମିତା (୨୯), ନାତୁଣି ଜାଗୃତି(୮) ଏବଂ ଭିନ୍ନକ୍ଷମ ଭାଇ ସୁଖୁ ମିର୍ଦ୍ଧାକୁ ଛାଡି ଆରପାରିକୁ ଚାଲିଗଲେ। ଦିବଂଗତ ଦୁଃଖୁ ମିର୍ଦ୍ଧାଙ୍କ ପୁଅ ଗୋବିନ୍ଦ ମିର୍ଦ୍ଧା କହିଛନ୍ତି ସରକାର ଜମି ଦେଇଥିଲେ ଓ ସେଇ ଜମିରେ ଚାଷ କରି ଆମ ପରିବାର ପ୍ରତିପୋଷଣ ହେଉଥିଲା ବିନା କ୍ଷତିପୂରଣରେ ସହମତି ନ ନେଇ କମ୍ପାନୀ ଜୋରଜବରଦସ୍ତି ଜମିକୁ ଛଡ଼ାଇ ନେଇ କାରଖାନା ପ୍ରତିଷ୍ଠା କରିଛି। ଆମକୁ ଜମି ଫେରାଇଦେଉ କିମ୍ବା ଉଚିତ କ୍ଷତିପୂରଣ ଦେଉ ବୋଲି ସେ ଦାବି କରିଛନ୍ତି। ଆହୁରି ମଧ୍ୟ କହିଛନ୍ତି ଯେ ସରକାର ଦେଇଥିଲେ କମ୍ପାନୀ ଛଡ଼ାଇନେଲା। ବାପା ଏବଂ ଅଜା ଜମି ଫେରିପାଇବା ପାଇଁ ବହୁତ ଲଢ଼େଇ କରି ହତାଶ ହୋଇ ମୃତ୍ୟୁବରଣ କଲେ। କମ୍ପାନୀ ଆମର ଜମି କବ୍‌ଜା କରିଥିଲେ ବି ଆମେ ଖଜଣା ଦେଉଛୁ ବୋଲି କହି ଗୋବିନ୍ଦ ଖଜଣା ରସିଦ ଦେଖାଇବା ସହ ଖଜଣା ବୁଝାଉଥିବାରୁ ଜମି ଉପରେ ଆମର ହକ୍‌ ଅଛି ବୋଲି କହିଥିଲେ। ପୂର୍ବରୁ ମୃତ୍ୟୁବରଣ କରିଥିବା ଶ୍ରୀକର ମିର୍ଦ୍ଧା ତାଙ୍କ ପତ୍ନୀ ସୁଭଦ୍ରାଙ୍କୁ ଏକାକୀ କରି ଛାଡ଼ି ଯାଇଛନ୍ତି। ସେ ନିଃସଙ୍ଗ ଜୀବନ ଅତିବାହିତ କରୁଛନ୍ତି। ବିଗତବର୍ଷ ମୃତ୍ୟୁବରଣ କରିଥିବା ସାହେବ ମିର୍ଦ୍ଧାଙ୍କ ପତ୍ନୀ କଇଁଫୁଲ ଏବଂ ଦୁଇପୁଅ ମହେନ୍ଦ୍ର, ଯୋଗେନ୍ଦ୍ର ଓ ଦୁଇ ବୋହୂ ରହିଛନ୍ତି।

ସୂଚିତ ଯେ ୧୯୮୩ରେ ପରମାଣପୁର ମୌଜା (ନୁଆମୁଣ୍ଡା )ଖାତା ନମ୍ବର ୪୪୫ ରୁ ୫୭ ଏକର ସିଲିଂ ବହିର୍ଭୂତ ଜମି ସରକାର ଆଦିବାସୀ, ହରିଜନ ଏବଂ ଭୂମିହୀନ ପରିବାର ମଧ୍ୟରେ ବଣ୍ଟନ କରି ସମ୍ପୃକ୍ତ ପରିବାରକୁ ସିଲିଂ ଜମିପଟ୍ଟା ପ୍ରଦାନ କରାଯାଇଥିଲା। ସିଲିଂ ଜମି ପଟ୍ଟା ପାଇଥିବା ଆଦିବାସୀ/ହରିଜନ ଏବଂ ଭୂମିହୀନ ପରିବାର ଜମିକୁ ଭୋଗଦଖଲ କରି ଚାଷ କରିବା ସହ ପ୍ରତିବର୍ଷ ଖଜଣା ଦାଖଲ କରିଆସୁଥିଲେ। କମ୍ପାନୀ କବ୍‌ଜାରେ ଜମି ଥିଲେ ମଧ୍ୟ କେତେକ ପରିବାର ଏପର୍ଯ୍ୟନ୍ତ ଖଜଣାପୈଠ କରୁଛନ୍ତି। ୨୦୧୦ରେ ବିଶାଖା ଆଜବେଷ୍ଟସ୍‌ କମ୍ପାନୀ ସରକାର ଦେଇଥିବା ସିଲିଂ ଜମିକୁ ବିନା କ୍ଷତିପୂରଣ ଏବଂ ପଟ୍ଟାଦାରଙ୍କ ବିନା ସହମତିରେ କବ୍‌ଜା କରି କାରଖାନା ପ୍ରତିଷ୍ଠା କରିବା ଫଳରେ ସିଲିଂ ଜମି ପାଇଥିବା ଆଦବାସୀ/ହରିଜନ ପରିବାର ଜମିହରା ହୋଇଗଲେ। ଜମି ଫେରି ପାଇବାକୁ ତହସିଲଦାର, ଜିଲାପାଳଙ୍କ ନିକଟରେ ଲିଖିତ ଆପତ୍ତି ଅଭିଯୋଗ କଲା ପରେ କୌଣସି ସୁଫଳ ମିଳିଲା ନାହିଁ।
ଜମିହରା ପରିବାର ଫଳରେ ମାସାଧିକ କାଳ କାରଖାନା ମୁଖ୍ୟ ଫାଟକ ସାମ୍ନାରେ ଅନଶନ ଧାରଣା ମଧ୍ୟ ଦେଇଥିଲେ। କିଛିଦିନ କାରଖାନା ବନ୍ଦ ବି ରହିଥିଲା। କିନ୍ତୁ କମ୍ପାନୀ କିଛି ପ୍ରଶାସନିକ ଅଧିକାରୀଙ୍କୁ ଆୟୁଧ କରି ଅନଶନରେ ବସିଥିବା ୧୦ଜଣ ଜମିହରାଙ୍କ ନାଁରେ ମିଛ ମାମଲା ରୁଜୁ କରିବା ଫଳରେ ସେମାନଙ୍କୁ ଜେଲ୍‌ ହାଜତକୁ ଯିବାକୁ ପଡ଼ିଥିଲା। ଜମିହରାଙ୍କୁ ନ୍ୟାୟ ପ୍ରଦାନ ପାଇଁ ହାଇକୋର୍ଟରେ ଏକାଧିକ ଜନସ୍ୱାର୍ଥ ମାମଲା ମଧ୍ୟ ଦାୟର ହୋଇଥିଲା। ସବୁଆଡୁ ନିରାଶ ଓ ହତାଶ ହୋଇ ଆମକୁ ଆତ୍ମହତ୍ୟା ପାଇଁ ଅନୁମତି ଦିଆଯାଉ ବୋଲି ମଧ୍ୟ କିଛି ଜମିହରା ଚାଷୀ ତତ୍କାଳୀନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ନିକଟରେ ନିବେଦନ କରିଥିଲେ। ପରେ ହାଇକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ନି​‌େ​‌ଜ ବିଶାଖା ଇଣ୍ଡଷ୍ଟ୍ରିଜ୍‌ ଏବଂ ସରକାରୀ କଳ ବିରୋଧରେ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ଗରିବ ଆଦିବାସୀ/ଭୂମିହୀନଙ୍କ ଚାଷଜମିରେ କୋଟି କୋଟି ଟଙ୍କାର କାରଖାନା ଛିଡ଼ା କରି ମୁନାଫା କରୁଥିବା କମ୍ପାନୀ ବିରୋଧରେ ନିଜ ଜମି ଫେରିପାଇବା ପାଇଁ ଲଢେଇ କରୁଥିବା ନିରୀହ ତଥା ଗରିବ ଆଦିବାସୀ ପରିବାରକୁ ନ୍ୟାୟ ପାଇଁ ଆଉ କେତେ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ବୋଲି ସଚେତନ ମହଲରେ ପ୍ରଶ୍ନ ଉଠୁଛି।

Comments
Loading...