ଜନ୍ମପୀଠ ଖିଣ୍ଡାରେ ବୀର ସୁରେନ୍ଦ୍ର ସାଏଙ୍କ ୨୩୧ତମ ଜୟନ୍ତୀ ପାଳିତ, ଜନ୍ମପୀଠରେ ହେବ ପ୍ରେରଣା ମନ୍ଦିର : ଧର୍ମେନ୍ଦ୍ର ପ୍ରଧାନ

ସୁରେନ୍ଦ୍ର ସାଏଙ୍କ ଭଳି ସ୍ବାଧୀନତା ସଂଗ୍ରାମୀ ବିଶ୍ବ ଇତିହାସରେ ବିରଳ

ରେଙ୍ଗାଲି: ସ୍ୱାଧୀନତା ସଂଗ୍ରାମୀ ବିପ୍ଲବୀ ବୀର ସୁରେନ୍ଦ୍ର ସାଏ ଏ ମାଟିର ଗର୍ବ ଏବଂ ଗୌରବ ତଥା ଅଞ୍ଚଳର ସ୍ୱାଭିମାନ। ତାଙ୍କ ବୀରତ୍ୱର ତୁଳନା ନାହିଁ। ବିଶ୍ୱ ଇତିହାସରେ ସୁରେନ୍ଦ୍ର ସାଏଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀ ବିରଳ। ମା’ ମାଟିର ମୁକ୍ତି ପାଇଁ ଦୀର୍ଘ ବର୍ଷର ସଂଗ୍ରାମ ପାଇଁ ସେ ମନେ ରହିବେ ବୋଲି ଆଜି ସଂଗ୍ରାମୀ ବୀରଙ୍କ ଜନ୍ମ ମାଟି ସମ୍ବଲପୁର ଜିଲା ଖିଣ୍ଡାଠାରେ ଆୟୋଜିତ ଜୟନ୍ତୀ ସଭାରେ କେନ୍ଦ୍ର ପେ​‌େ​‌ଟ୍ରାଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ଜାତୀୟ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠରେ ଏକ ପ୍ରେରଣା ମନ୍ଦିର ନିର୍ମାଣ କରାଯିବ ବୋଲି ପ୍ରକାଶ କରିଛନ୍ତି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହଭାଗିତାରେ ପର୍ୟ୍ୟଟକମାନଙ୍କୁ ଆକର୍ଷଣ କଲା ଭଳି ଏହି ମନ୍ଦିର ନିର୍ମାଣ ହେବ ଏବଂ ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବି ବୋଲି ସେ କହିଛନ୍ତି। ଖିଣ୍ଡାକୁ ଆଦର୍ଶ ଗ୍ରାମ ରୂପେ ବିକଶିତ କରିବା ପାଇଁ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କୁ ଶ୍ରୀ ପ୍ରଧାନ ପରାମର୍ଶ ଦେବା ସହ ଏଥିପ୍ରତି ସେ ସ୍ବତନ୍ତ୍ର ଧ୍ୟାନ ଦେବେ ବୋଲି ପ୍ରକାଶ କରିଛନ୍ତି।


ସୁରେନ୍ଦ୍ର ସାଏଙ୍କ ଦାୟାଦ ଲାଲ୍‌ ଫକିର ସାଏଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରେଙ୍ଗାଲି ବିଧାୟକ ନାଉରି ନାଏକ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ତଲସରା ବିଧାୟକ ଭବାନୀ ଭୋଇ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ, ପୂର୍ବତନ ବିଧାୟକ ରବିନାରାୟଣ ନାଏକ ଓ ପ୍ରଦୀପ ପୁରୋହିତ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଜିତେନ୍ଦ୍ର ପଣ୍ଡା, ସୀମାଞ୍ଚଳ ଖଟାଇ, ଟଙ୍କଧର ତ୍ରିପାଠୀ, ଗିରିଶ ପଟେଲ, ରାମଚନ୍ଦ୍ର ମେହେର ପ୍ରମୁଖ ମଞ୍ଚାସୀନ ଥିଲେ। ସଭାକୁ ଦୁର୍ଗାପ୍ରସାଦ ସାହୁ ସଂଯୋଜନା କରିଥିଲେ। ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଝାରସୁଗୁଡାରୁ ବିମାନ ବନ୍ଦରରେ ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଉଦଘାଟନ ସମାରୋହରେ ଯୋଗ ଦେଇ ଆସି ଖିଣ୍ଡା ଛକରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲାପରେ ଶୋଭାଯାତ୍ରାରେ ଜନ୍ମପୀଠକୁ ଯାଇ ସୁରେନ୍ଦ୍ରଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।
ବୀର ସୁରେନ୍ଦ୍ର ସାଏଙ୍କ ୨୧୩ତମ ଜୟନ୍ତୀ ଅବସରରେ ଜନ୍ମପୀଠ ଖିଣ୍ଡାରେ ମନ୍ତ୍ରୀ, ବିଧାୟକ, ନେତା ତଥା ବିଭିନ୍ନ ସଙ୍ଗଠନ ପକ୍ଷରୁ ପୃଥକ ପୃଥକ୍‌ ଭା​‌​‌ବେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଆଜି ପୂର୍ବାହ୍ନ ୯ଟାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସିଂ, ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି, ସରକାରୀ ଦଳର ଉପ-ମୁଖ୍ୟ ସଚେତକ ଇଂ ରୋହିତ ପୂଜାରୀ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ବିଜେଡି ଜିଲା ସଭାପତି ସିଦ୍ଧାର୍ଥ ଦାସ, ଜିଲା ପର୍ୟବେକ୍ଷକ ଇଂ. ନଳିନୀ ପ୍ରଧାନ ପ୍ରମୁଖ ଖିଣ୍ଡା ଛକରେ ଥିବା ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ସୁରେନ୍ଦ୍ର ସାଏ ଶ୍ରମିକ ସଂଘର ସଭାପତି କିରଣ ବେହେରା, କାର୍ୟ୍ୟକାରୀ ସଭାପତି ବାବୁଲୁ ରାଉତ, ବିଜେଡି ନେତା ଦେବେନ୍‌ ପତି, ମୋତିଲାଲ ତନ୍ତି, ମହେନ୍ଦ୍ର ଓରାମ, ବ୍ଳକ ସଭାପତି ଅଶୋକ ଗୁରୁ, ଯୁବ ବିଜେଡି ବ୍ଳକ ସଭାପତି ଦୟାନିଧି ଭଇଁସାଲ, ପୂର୍ବତନ ବ୍ଳକ ସଭାପତି ନାରାୟଣ ଶର୍ମା ପ୍ରମୁଖଙ୍କ ନେତୃତ୍ବରେ ବାଇକ ରାଲିରେ ଯାଇ ଜନ୍ମପୀଠରେ ମାଲ୍ୟାର୍ପଣ କରିଥିଲେ।

ସୁରେନ୍ଦ୍ର ସାଏଙ୍କ ସାଲିସ ବିହୀନ ସଂଗ୍ରାମ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ସୁରେନ୍ଦ୍ର ସାଏ ଏବଂ ତାଙ୍କ ସହଯୋଗୀ ତଥା ସହଯୋଦ୍ଧା ମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା ସହିତ ଜନ୍ମପୀଠର ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଫୋକସ୍‌ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ସୁରେନ୍ଦ୍ର ସାଏ ତଥା ସହଯୋଗୀମାନଙ୍କ ଜନ୍ମପୀଠ ବିକଶିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଗ୍ରାମ୍ୟ ଉନ୍ନୟନ ଏବଂ ଶ୍ରମ ସଶକ୍ତୀକରଣ ମନ୍ତ୍ରୀ ସୁଶାନ୍ତ କୁମାର ସିଂ ଶ୍ରଦ୍ଧାଞ୍ଜଳି ସଭାରେ ସୂଚନା ଦେଇଛନ୍ତି। ପୂର୍ବାହ୍ନ ୧୦ଟାରେ ଜନ୍ମପୀଠ ଖିଣ୍ଡାରେ ସୁରେନ୍ଦ୍ର ସାଏ ସ୍ମୃତି ସଂସଦ ସଭାପତି ତଥା ସୁରେନ୍ଦ୍ର ସାଏଙ୍କ ଦାୟାଦ ଲାଲ୍‌ ଫକିର ସାଏଙ୍କ ଅଧ୍ୟକ୍ଷତା ଏବଂ ଶିକ୍ଷାବିତ୍‌ ଦୁର୍ଗାପ୍ରସାଦ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ରେଙ୍ଗାଲି ବ୍ଳକ୍‌ ଉପାଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲା, ଜଙ୍ଗଳା ସରପଞ୍ଚ ଇଂ. ଗାନ୍ଧି ବେହେରା, ଯୁବନେତା ସଞ୍ଜିତ ମହାନ୍ତି, ଜିଲା ଯୁବ ବିଜେଡି ସଭାପତି ଲକ୍ଷ୍ମୀନାରାୟଣ ମହାପାତ୍ର, ଛାତ୍ର ନେତା ମିଲନ ହୋତା, କିରଣ ବେହେରା, ହୀରାଲାଲ ବେହେରା, ମୋତିଲାଲ ତନ୍ତି, ଦେବାଶିଷ ପରିଡ଼ା, ସ୍ମୃତି ସଂସଦର ସମ୍ପାଦକ ସନ୍ତୋଷ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। ଏହିି ଅବସରରେ ସୁରେନ୍ଦ୍ର ସାଏଙ୍କ ଅଣନାତି ଲାଲ୍‌ ଫକିର ସାଏଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା।

ଏହାସହ ପୂର୍ବତନ ରେଙ୍ଗାଲି ବିଧାୟକ ରମେଶ ପଟୁଆ ରମେଶ ପଟୁଆ, ଏମ୍‌.ସତ୍ୟମ୍‌, ୟୁଥ୍‌ କ୍ଳବ୍‌ ଲପଙ୍ଗା ବ୍ୟାନର୍‌ରେ ପିଣ୍ଟୁ ବେହେରା, ଚିନ୍ତା ବାଗ, ପୂର୍ବତନ ବିଧାୟକ ଦୁ​ର୍ଯ୍ୟୋଧନ ଗର୍ଡିଆ, ବ୍ଳକ୍‌ କଂଗ୍ରେସ ସଭାପତି ସୁବାଷ ବିଶ୍ୱାଳ ପ୍ରମୁଖ ଜନ୍ମପୀଠ ଏବଂ ଖିଣ୍ଡା ଛକରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଭୂଷଣ ଷ୍ଟିଲ୍‌ କମ୍ପାନୀ ପକ୍ଷରୁ କମ୍ପାନୀର ଡିଜିଏମ୍‌ ଗୋପାଳ ଶର୍ମା ଏବଂ ପ୍ରମୋଦ ପାତ୍ର ତଥା ଅନ୍ୟ ପଦାଧିକାରୀମାନେ ସକାଳେ ଖିଣ୍ଡା ଛକ ଏବଂ ଜନ୍ମପୀଠରେ ଥିବା ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Comments are closed.